ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗିନିଜ୍‌ ବିଶ୍ବ ରେକର୍ଡରେ କଟକ: ୨୧ଶହ ୨୧ ଛାତ୍ରଛାତ୍ରୀ ୩୫ ମିନିଟ୍‌ରେ ପ୍ରସ୍ତୁତ କଲେ ୨୨ ହଜାର ୪୭୩ କାଗଜଡଙ୍ଗା

କଟକ: ଶେଷରେ ଇତିହାସ ରଚିଲା କଟକ। ଐତିହାସିକ କଟକ ବାଲିଯାତ୍ରାରେ ‌ଯୋଡ଼ି ହୋଇଗଲା ବିଶ୍ବ ରେକର୍ଡର ଗୌରବ। ବାଲିଯାତ୍ରା ଅବସରରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ରେକର୍ଡ ପରିମାଣର କାଗଜ ଡଙ୍ଗା ପ୍ରସ୍ତୁତ କରି କଟକ ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। କଟକ ପୌର ନିଗମ ପକ୍ଷରୁ ବାରବାଟୀ ଷ୍ଟାଡ଼ିୟମରେ ଆୟୋଜିତ ଏହି ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମରେ ୨୧ଶହ ୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୨ ହଜାର ୪୭୩ଟି କାଗଜ ଡଙ୍ଗା ତିଆରି କରି ଏହି ରେକର୍ଡ କରିଛନ୍ତି। ପୂର୍ବରୁ ୧୩ଶହ ୪ଜଣ ବ୍ୟକ୍ତି ଗୋଟିଏ ସ୍ଥାନରେ କାଗଜରେ ଡଙ୍ଗା ତିଆରି କରିବାର ବିଶ୍ବ ରେକର୍ଡ ଥିଲା। ବିଶ୍ବ ରେକର୍ଡରେ କଟକ ସ୍ଥାନ ପାଇବାକୁ ନେଇ ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଅନ୍ୟପଟେ ବାଲିଯାତ୍ରାକୁ ଆଉ ଗୋଟିଏଦିନକୁ ବଢ଼ାଯାଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବୁଧବାର ଶେଷ ହେବାକୁ ଥିବା ବାଲିଯାତ୍ରା ଗୁରୁବାର ଶେଷ ହେବ ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଆଜି ଘୋଷଣା କରିଛନ୍ତି।

ବାଲିଯାତ୍ରାର ଆତ୍ମା କୁହାଯାଉଥିବା ବୋଇତ ବନ୍ଦାଣକୁ ନେଇ ପୌର ନିଗମ ପକ୍ଷରୁ ଚଳିତ ବର୍ଷ ଏଭଳି ଏକ ସ୍ବତନ୍ତ୍ର ପରିକଳ୍ପନା କରାଯାଇଥିଲା। ବାଲିଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବା ସହ ଏହାକୁ ସ୍ମରଣୀୟ କରିବା ପାଇଁ ବାଲିଯାତ୍ରା ସମୟରେ ନିଗମ ତରଫରୁ କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ଦେବାକୁ ଉଦ୍ୟମ କରାଯାଇଥିଲା। ସଂପୃକ୍ତ ସଂସ୍ଥା ସହ ଏହାକୁ ନେଇ ଯୋଗାଯୋଗ କରାଯିବା ପରେ ସେମାନଙ୍କ ଦ୍ବାରା ଦିଆଯାଇଥିବା ନିୟମ ଆଧାରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହିଅବସରରେ ବାରବାଟୀ ଷ୍ଟାଡ଼ିୟମରେ ଡଙ୍ଗା ତିଆରି କରିବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିପାଇଁ ଆଜି ସକାଳ ୧୦ଟାରେ ୨୨ଟି ସ୍କୁଲର ୩ ହଜାର ଛାତ୍ରଛାତ୍ରୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓରିଗାମିର ଧଳା କାଗ‌ଜରେ ଡଙ୍ଗା ତିଆରି କରିବାକୁ କୁହାଯାଇଥିଲା। ଧଳା କାଗଜରେ ଡଙ୍ଗା ତିଆରି କରିବା ଟ୍ରାଏଲ ଶେଷ ହେବା ପରେ ୨୧ଶହ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଥିଲା।

ମନୋନୀତ ଛାତ୍ରଛାତ୍ରୀଙ୍କୁ ୨୫ରୁ ଅଧିକ ଗ୍ରୁପରେ ବିଭକ୍ତ କରାଯାଇ ଷ୍ଟାଡ଼ିୟମର ପଡ଼ିଆରେ ବସାଯାଇଥିଲା। ପଡ଼ିଆରେ ବସି ଛାତ୍ରଛାତ୍ରୀ ବିଭିନ୍ନ ରଂଗର ଓରିଗାମି କାଗଜରେ ଡଙ୍ଗା ପ୍ରସ୍ତୁତ କରୁଥିବା ବେଳେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲଣ୍ଡନ୍‌ସ୍ଥିତ ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ କାର୍ଯ୍ୟାଳୟରୁ ଏହାର ମୂଲ୍ୟାଙ୍କନ କରାଯାଇଥିଲା। ସମସ୍ତ ଗ୍ରୁପର ଛାତ୍ରଛାତ୍ରୀଙ୍କ ଡଙ୍ଗା ତିଆରି କୌଶଳକୁ ଦେଖିବା ପାଇଁ ୭୦ଜଣ ଷ୍ଟିୱାର୍ଡ ସଂସ୍ଥା ପକ୍ଷରୁ ନିୟୋଜିତ ହୋଇଥିଲେ। ଏହାସହ ଜାପାନରୁ ଆସିଥିବା ୨ଜଣ ଓରିଗାମି ବିଶେଷଜ୍ଞ ଡଙ୍ଗା ପ୍ରସ୍ତୁତ ହେଉଥିବା ଓରିଗାମି କାଗଜର ଓଜନ, ଆକାର ଓ ଗୁଣକୁ ପରୀକ୍ଷା କରିଥିଲେ। ପୁରା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଲଣ୍ଡନ୍‌ସ୍ଥିତ ଗିନିଜ୍‌ ୱାର୍ଲଡ ରେକର୍ଡସ କାର୍ଯ୍ୟାଳୟରୁ ଆଡଜୁଡିକେଟ୍‌ର ବା ନିର୍ଣ୍ଣାୟକ ଭାବେ ଋଷି ନାଥ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜଣେ ଜଣେ ଛାତ୍ରଛାତ୍ରୀ ୩୫ ମିନିଟରେ ୩୦ରୁ ୩୬ଟି ଡଙ୍ଗା ପ୍ରସ୍ତୁତ କରିଥିଲେ। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ଡଙ୍ଗା କରିବା ପରେ ସେଗୁଡିକୁ ଗଣାଯାଇଥିଲା। ଗଣତି ପରେ ପୂରା କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସିଂରେ ଲଣ୍ଡନରୁ ଦେଖୁଥିବା ବିଚାରକ ମାନେ ଗିନିଜ୍‌ ୱାର୍ଲଡ ରେକର୍ଡସରେ କଟକର ନାମ ସ୍ଥାନ ପାଇଥିବା ଘୋଷଣା କରିଥିଲେ। ଏହାପରେ ଆଡଜୁଡିକେଟ୍‌ର ଶ୍ରୀ ନାଥ ମେୟର ସୁବାସ ସିଂହଙ୍କୁ ବିଶ୍ବ ରେକର୍ଡର ସାର୍ଟିଫିକେଟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଡେପୁଟି ମେୟର ଦମୟନ୍ତୀ ମାଝୀ, ଜିଲ୍ଲାପଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, କମିସନର ନିଖିଲ୍‌ ପୱନ୍‌ କଲ୍ୟାଣ, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତି ଥିଲେ।

ସୂଚନାଯୋଗ୍ୟ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହରର ୨୨ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ୩ଟି ଫେଜ୍‌ରେ ଓରିଗାମି କାଗଜରେ ଡଙ୍ଗା ତିଆରି କରିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା। ଆଜିର ଦିନଟି ବାଲିଯାତ୍ରାର ଇତିହାସ ଓ ଭବିଷ୍ୟତ ସହିତ ଯୋଡି ହୋଇଗଲା ବୋଲି ମେୟର ସୁବାସ ସିଂହ କହିଛନ୍ତି। କଟକର ଛାତ୍ରଛାତ୍ରୀ ଆଜି ବିଶ୍ବ ଦରବାରରେ ସହରର ନାମକୁ ରଖିଛନ୍ତି। ଡଙ୍ଗା ତିଆରି କରିବା କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଥିବା ଉତ୍ସାହ ଦେଖିବାକୁ ମିଳିଛି ବୋଲି ଜିଲ୍ଲାପାଳ ଡକ୍ଟର ଚୟନୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ପରେ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢାଇବାକୁ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଜିଲ୍ଲାପାଳ ଘୋଷଣା କରିଥିଲେ। ଆସନ୍ତା ଗୁରୁବାର, ନଭେମ୍ବର ୧୭ ତାରିଖ ଦିନ ବାଲିଯାତ୍ରା ଉଦ୍‌ଯାପିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ବାଲିରେ ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ

କଟକ: ଇଣ୍ଡୋନେସିଆର ବାଲି ଦ୍ବୀପରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ କଟକର ଐତିହାସିକ ବାଲିଯାତ୍ରା ଗାଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯଦିଓ ବାଲିଯାତ୍ରାକୁ ଆଜିପର୍ଯ୍ୟନ୍ତ ଜାତୀୟ ବା ଅନ୍ତର୍ଜାତୀୟ ଉତ୍ସବର ମାନ୍ୟତା ମିଳିନି, ତଥାପି ପ୍ରଧାନମନ୍ତ୍ରୀଙ୍କ ଏଭଳି ବାର୍ତ୍ତା ଆଜି ସାରାବିଶ୍ବ ଦରବାରରେ କଟକ ବାଲିଯାତ୍ରାକୁ ପ୍ରସିଦ୍ଧି ଆଣିଦେଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ସବୁ ମହଲରେ ଉଚ୍ଚପ୍ରଶଂସା କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ, ‘ଆଜି ଯେଉଁ ସମୟରେ ମୁଁ ଆପଣମାନଙ୍କ ସହିତ କଥା ହେଉଛି ଓ ଆମେ ବାଲିରେ ବସିଛେ ଓ ବାଲିର ପରମ୍ପରାର ଗୀତ ଗାଉଛେ, ଠିକ୍‌ ଏହିସମୟରେ ବାଲିଠାରୁ ଦେଢ଼ହଜାର କିଲୋମିଟର ଦୂର ଭାରତର କଟକ ସହରରେ ମହାନଦୀର ଅବବାହିକାରେ ବାଲିଯାତ୍ରା ମହୋତ୍ସବ ଚାଲିଛି, ଯାହାକୁ ବାଲିଯାତ୍ରା କୁହାଯାଏ। ଏହି ବାଲିଯାତ୍ରା କ’ଣ ? ଏହି ମହୋତ୍ସବ ଜରିଆରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ହଜାର ବର୍ଷର ପୁରୁଣା ବାଣିଜ୍ୟିକ ପରମ୍ପରା (ଟ୍ରେଡ୍‌) ସ୍ମୃତିକୁ ଉତ୍ସବ ଭାବରେ ପାଳନ କରାଯାଉଛି। ଇଣ୍ଡୋନେସିଆର ଲୋକ ଏହିବର୍ଷର ବାଲିଯାତ୍ରାର ଫଟୋ ଇଣ୍ଟରନେଟ୍‌ରେ ଦେଖିଲେ ସେମାନଙ୍କ ମନ ନିଶ୍ଚିତଭାବେ ଗର୍ବ, ଆନନ୍ଦ, ଉତ୍ସାହରେ ଭରିଯିବ। ବର୍ଷବର୍ଷ ଧରି ବାଲିଯାତ୍ରା ତଥା ଏହି ମହୋତ୍ସବ ଓଡ଼ିଶାରେ ବହୁତ ବଡ ଆକାରରେ ଭବ୍ୟତାର ସହିତ ଦିବ୍ୟତାର ସହିତ ଲକ୍ଷ ଲକ୍ଷ ଲୋକଙ୍କ ସହଭାଗିତାରେ ପାଳନ କରାଯାଉଛି।’

‘ ମୋତେ କୁହାଯାଇଛି ଯେ ସେଠିକାର ଲୋକ ବାଲିଯାତ୍ରାର ସ୍ମରଣରେ କାଗଜର ଡଙ୍ଗା ସବୁ ତିଆରି କରି ତାକୁ ଭସାଇବେ ଓ ବିଶ୍ବ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାର ଅର୍ଥ ଏହା ଯେ ଓଡ଼ିଶାରେ ଆଜି ଯେଉଁ ଲୋକ ଏକାଠି ହୋଇଛନ୍ତି ସେମାନଙ୍କ ଶରୀର ସେଠାରେ ରହିଛି କିନ୍ତୁ ମନ ବାଲିରେ ରହିଛି ଓ ଆପଣମାନଙ୍କ ମଧ୍ୟରେ ରହିଛି। ଭାରତ-ଇଣ୍ଡୋନେସିଆ ସଂପର୍କକୁ ଯଦି ଦେଖାଯାଏ ତାହାଲେ ସମୁଦ୍ରର ବିଶାଳ ଲହଡି ଭଳି ଦୁଇଦେଶର ସଂପର୍କ। ଏହି ସଂପର୍କ ସମୁଦ୍ରର ଲହଡି ଭଳି ଉତ୍ସାହିତ ଓ ଜୀବନ୍ତ ହୋଇ ରହିଛି। କେବେ ଥକିପଡିନି। ଏକ ସମୟ ଥିଲା କଳିଙ୍ଗ, ମେଦାଙ୍ଗ ‌ଭଳି ସାମ୍ରାଜ୍ୟ ମାଧ୍ୟମରେ ଭାରତର ଦର୍ଶନ, ଭାରତର ସଂସ୍କୃତି ଇଣ୍ଡୋନେସିଆ ମାଟି ପର୍ଯ୍ୟନ୍ତ ପହଞ୍ଚି ଥିଲା। ଆଜି ବି ଏହି ସମୟରେ ଦୁଇ ଦେଶ ଭାରତ ଓ ଇଣ୍ଡୋନେସିଆ ଏକବିଂଶ ଦଶନ୍ଧିରେ ବି ବିକାଶ ପାଇଁ କାନ୍ଧକୁ କାନ୍ଧ ମିଳାଇ ଏକାଠି କାମ କରୁଛନ୍ତି। ଇଣ୍ଡୋନେସିଆର ମାଟି ଭାରତରୁ ଆସିଥିବା ଲୋକଙ୍କୁ ଆ‌ପଣେଇ ନେଇଛି, ନିଜ ସମାଜରେ ସମ୍ମିଳିତ କରି ନେଇଛି,’ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି