ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାନ୍ଧୀ ମାର୍ଗରେ ବସିଲେ ସନଲିଶା: ଯୋଗଦେଲେ ବୁଦ୍ଧାଦିତ୍ୟ, ପପୁ ପମ୍‌ପମ୍ ଓ ଆହୁରି ଅନେକ

ଭୁବନେଶ୍ବର: ୫ ଦଫା ଦାବି ନେଇ ଆଜିଠାରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି ଚର୍ଚ୍ଚାରେ ଥିବା ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ଓଡ଼ିଆ ଫିଲ୍ମ ଜଗତକୁ ବଞ୍ଚାଇବା ତାଙ୍କ ଧାରଣାର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସରକାର ତାଙ୍କ ଦାବି ପୂରଣ ନ କରିବା ଯାଏ ସେ ଧାରଣା ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି। ସନଲିଶା ସରକାରଙ୍କ ନିକଟରେ ରଖିଥିବା‌ ୫ ଦଫା ଦାବିଗୁଡ଼ିକ ହେଲା, ପ୍ରତି ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଓ ହଲ୍‌ଗୁଡ଼ିକ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି ଆଇନ ପ୍ରଣୟନ, ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରିପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା ତଥା ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ସିନେମାକୁ ଟିକସମୁକ୍ତ କରାଯିବା ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ। ଏହାସହ ସିନେମା ଶିଳ୍ପ ସହିତ ସଂପୃକ୍ତ ଲୋକଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଶିଳ୍ପ ବିଭାଗର ‘ଗୋ ସ୍ବିଫ୍ଟ ଯୋଜନା’ରେ ଶିଳ୍ପାନୁଷ୍ଠାନ ଓ ଶିଳ୍ପୋଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। କିନ୍ତୁ ଚଳଚ୍ଚିତ୍ର ଶିଳ୍ପକୁ ସେଥିରୁ ବଞ୍ଚିତ କାହିଁକି କରାଯାଇଛି‌ ବୋଲି ସେ ପ୍ରଶ୍ନ କରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଓଡ଼ିଶା ସରକାରଙ୍କର କେଉଁ ବିଭାଗ ଅଧୀନରେ ରହିଛି, ଏହା ମଧ୍ୟ ଦ୍ବନ୍ଦ୍ବ ଭିତରେ ରହିଛି। ସେ କହିଛନ୍ତି, ‘‘ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି।’’ ସନଲିଶାଙ୍କ ସମର୍ଥନରେ ଧ‌ାରଣାରେ ଯୋଗ ଦେଇଥିବ‌ା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି, ସନଲିଶା ଯେଉଁସବୁ ଦାବି ଉଠାଇଛନ୍ତି, ତାହା ଓଡ଼ିଆ ସି‌ନେ ଜଗତ ପାଇଁ ଗୁରୁତ୍ବପୂର୍ଣ୍ଣ। ଏବେ ସିନେମା ଜଗତର ଭବିଷ୍ୟତ ପାଇଁ ସମସ୍ତେ ଏକଜୁଟ୍ ହେବାର ସମୟ ଆସିଛି। ବିଶେଷ କରି ଓଡ଼ିଶାରେ ଓଡ଼ିଆ ସିନେମା ପାଇଁ ହଲ୍ ନିହାତି ଦରକାର, ତେଣୁ ସରକାର ଏହି ଦାବିଗୁଡ଼ିକୁ ଗୁରୁତର ସହ ଗ୍ରହଣ କରିବା ଆବଶ୍ୟକ। ଆଜି ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ପପୁ ପମ୍‌ପମ୍, ଅଖିଳ ପଟ୍ଟନାୟକ, ପ୍ରଯୋଜକ ପ୍ରୀତମ ମହାନ୍ତି, ସଂଳାପକାର ରଜନିରଞ୍ଜନ, ସତୀଶ ମିଶ୍ର ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।

ଆସନ୍ତାକାଲିଠାରୁ ଆହୁରି ଅନେକ ପ୍ରଯୋଜକ, କଳାକାର, ଟେକ୍‌ନିସିଆନ୍‌ ଓ ନିର୍ଦ୍ଦେଶକ ତାଙ୍କ ସହିତ ଯୋଗଦେବେ ସନଲିସା ଜଣାଇଛନ୍ତି।
ଉଲ୍ଲେଖନୀୟ ଯେ ଗତ ଦଶହରାରେ ସନଲିଶାଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ତେବେ ସେହି ସମୟରେ ତଥାକଥିତ ପଶ୍ଚିମ ଓଡ଼ିଶାର ଅଭିନେତା ମନୋଜ ମିଶ୍ର ଓ ତଥାକଥିତ ଉପକୂଳ ଓଡ଼ିଶାର ଜଣେ ଅଭିନେତାଙ୍କ ଭିତରେ ପୂର୍ବରୁ ଥିବା ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। ସେଥିରେ ଆହୁରି ଅନେକ ବ୍ୟକ୍ତି ସାମିଲ ହୋଇଥିଲେ। ତେଣୁ ମନୋଜଙ୍କର କିଛି ସମର୍ଥକ ପଶ୍ଚିମ ଓଡ଼ିଶାରେ ‘ପ୍ରଥା’ର ପ୍ରଦର୍ଶନକୁ ବିରୋଧ କରିଥିଲେ। ଏହାର ପ୍ରତିବାଦରେ ସନଲିଶା ନିଜ ଫିଲ୍ମ ‘ପ୍ରଥା’କୁ ରିଲିଜ୍ ପରଦିନ ହିଁ ହଲ୍‌ଗୁଡ଼ିକରୁ ଉଠାଇ ନେଇଥିଲେ। ସମସ୍ୟାର ସ୍ଥାୟୀ ସମାଧାନ ନହେବାଯାଏ ସେ ତାଙ୍କ ଫିଲ୍ମକୁ ହଲ୍‌କୁ ଫେରାଇବେନାହିଁ ବୋଲି ସେ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।