ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଲା ପରେ କଡ଼ା ସମାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ଶ୍ରୀ ପାଣିଗ୍ରାହୀ ଏମିତି ଜଣେ ଜନବିରୋଧୀ ନେତା ଯିଏ ନିଜ ଜ୍ୱାଇଁ ଆକାଶ ପାଠକ ଓ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ସହ ମିଶି ଚାକିରି ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇ ତାହାର ଅସଲ ଚେହେରା ଦେଖାଇଛି।
ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଥିଲେ, ଭାବୀ ଜ୍ୱାଇଁକୁ ଟାଟା ମୋଟର୍ସର ଏମ୍ଡି ଦର୍ଶାଇ ନିଜ ନିର୍ବାଚନମଣ୍ଡଳୀର ବେକାର ଗରିବ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଠକିଥିଲେ। ଧରା ପଡ଼ିବା ପରେ ପ୍ରଦୀପଙ୍କ ସମେତ ପାଠକ ବାପା-ପୁଅ ଗିରଫ ହୋଇ ଜେଲରେ ଥିଲେ। ଲୋକଙ୍କୁ ଠକି ଠୁଳ କରିଥିବା ଟଙ୍କାରେ ଚାଟାର୍ଡ ଫ୍ଲାଇଟ୍ରେ ଭାରତ ସାରା ବୁଲି ବଡ଼ ହୋଟେଲରେ ରାତି କାଟୁଥିଲେ। ଠକେଇ ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏକାଧିକ ମାମଲା ରହିଛି। ଭୁବନେଶ୍ୱର ସ୍ପେସାଲ ଭିଜିଲାନସ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ ମଧ୍ୟ କରିସାରିଛନ୍ତି। ଏଭଳି ଜନବିରୋଧୀ ନୀତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।
ପ୍ରଦୀପଙ୍କ ସମୁଦି ତଥା ଦୁର୍ନୀତିଗ୍ରସ୍ତ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକଙ୍କ ପାଖରୁ ବିପୁଳ ସମ୍ପତ୍ତି ମିଳିବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସୁପାରିସ କରିଥିଲେ। ସମସ୍ତ ପ୍ରମାଣ ଦେଖି କେନ୍ଦ୍ର ସରକାର ସମ୍ମତି ପ୍ରଦାନ କରିଥିଲେ। ସେବେ ପ୍ରଦୀପଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଠକ ଓ ଲମ୍ଫଟ ବୋଲି କହିଥିଲେ। ଯାହାକୁ ଗାଳି କରୁଥିଲେ, ଆଜି ତାକୁ କୋଳେଇ ନେଲେ କେଉଁ ବାଧ୍ୟବାଧ୍ୟକତାରେ? ଶୁଣିବାକୁ ମିଳୁଛି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ କୁଆଡ଼େ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର ଥିଲା। ହେଲେ ଶ୍ରୀ ପାଣିଗ୍ରାହୀଙ୍କ କଳା କାରନାମା ଜାଣିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସଫା ସଫା ମନା କରିଦେଲେ। ତେଣୁ ତରବରିଆ ଭାବେ ଏହି ମିଶ୍ରଣ ପର୍ବର ଆୟୋଜନ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ କରାଗଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏହି ମିଶ୍ରଣ ପର୍ବରୁ ଦୂରେଇ ରହିଲେ। ଏବେ ଓଡ଼ିଶା ବିଜେପିର ସାଂଗଠନିକ କ୍ଷେତ୍ରରେ ଦୟନୀୟ ଚିତ୍ର ଧୀରେ ଧୀରେ ଜଣାପଡ଼ୁଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।