ରାଜ୍ୟ

ଗଞ୍ଜାମରେ ପରିବାରବାଦ ରାଜନୀତି: ପାଞ୍ଚ ଆସନରେ ୮ ଉତ୍ତରାଧିକାରୀ

ବ୍ରହ୍ମପୁର: ଏକଦା ଗଞ୍ଜାମ ରାଜନୀତିରେ ସବୁବେଳେ ରାଜପରିବାରର ଦବ୍‌ଦବା ରହି ଆସିଥିଲା। ଏବେ ଦୁଇ ରାଜପରିବାର ରାଜନୀତିରେ ସକ୍ରିୟ ରହିଛନ୍ତି। ରାଜପରିବାର ପରେ ବର୍ତ୍ତମାନ ଜିଲ୍ଲାରେ କ୍ଷମତା ରାଜନୀତିରେ ପରିବାରବାଦ ଦେଖିବାକୁ ମିଳୁଛି। ନିଜ ହାତରେ ରାଜନୈତିକ କ୍ଷମତା ରଖିବା ପାଇଁ ବାପା ପରେ ପୁଅ, ଝିଅ ଓ ସ୍ବାମୀଙ୍କ ପରେ ସ୍ତ୍ରୀ ରାଜନୀତିକୁ ଓହ୍ଲାଉଛନ୍ତି। ଏଥର ୫ଟି ଆସନରେ ନେତାଙ୍କ ରାଜନୈତିକ ଉତ୍ତରାଧିକାରୀ ୮ ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇ ଛନ୍ତି। ଗଞ୍ଜାମ ଜିଲ୍ଲାର ସୋରଡ଼ା, ଆସିକା, ଚିକିଟି, ଦିଗପହଣ୍ଡି ବିଧାନସଭା ଓ ଆସିକା ଲୋକସଭା ଆସନରେ ଏହି ଲଢ଼େଇ ହେବାକୁ ଯାଉଛି। ତେବେ,ଏମାନଙ୍କ ମଧ୍ୟରୁ କିଏ ସଫଳ ହେଉଛନ୍ତି ତାହା ଦେଖିବାକୁ ରହିଲା।

ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବା ବେଳେ ଦୁଇଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି। ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏଥର ବିଜେଡିରୁ ସଂଘମିତ୍ରା ସ୍ବାଇଁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ବର୍ତ୍ତମାନର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ। ବିଜେଡି ଏଥର ଏହି ନିର୍ବାଚନମଣ୍ଡଳୀରେ ମହିଳା କାର୍ଡ଼ ଖେଳି ସଂଘମିତ୍ରାଙ୍କୁ ଟିକେଟ ଦେଇଛି। ବିଜେଡିର ଆସିକା ବିଧାନସଭା ପ୍ରାର୍ଥୀ ଭାବେ ବିଧାୟିକା ମଂଜୁଳା ସ୍ବାଇଁ ଟିକେଟ ପାଇଛନ୍ତି। ସେ ବିଜେଡିରୁ ଦ୍ବିତୀୟଥର ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ସ୍ବର୍ଗତ ବରିଷ୍ଠ ନେତା ତଥା ଆସିକା ଲୋକସଭାର ପୂର୍ବତନ ସାଂସଦ ଲଡ଼ୁ କିଶୋର ସ୍ବାଇଁଙ୍କ ପତ୍ନୀ। ଚିକିଟି ବିଧାନସଭା ଆସନ ପାଇଁ ୩ଜଣ ରାଜନୈତିକ ଉତ୍ତରାଧିକାରୀ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି। ମନ୍ତ୍ରୀ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ବିଜେଡି ଟିକେଟ ପାଇଥିବା ବେଳେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ତୃତୀୟ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ବ‌ିଜେପି ପ୍ରାର୍ଥୀ କରିଛି।

ଦ୍ବିତୀୟ ପୁଅ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଚଳିତ ନିର୍ବାଚନରେ ଗୋଟିଏ ପରିବାରର ଦୁଇଭାଇ ମଧ୍ୟରେ ଲଢ଼େଇ ହେବ। ସେହିପରି, ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବିପ୍ଲବ ପାତ୍ର। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ହେଉଛନ୍ତି ସ୍ବର୍ଗତ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୁପୁତ୍ର। ସୂର୍ଯ୍ୟନାରାୟଣଙ୍କ ବିୟୋଗ ପରେ ସେ ଦିଗପହଣ୍ଡି ଅଞ୍ଚଳରେ ବିଜେଡିର ମଙ୍ଗ ଧରିଥିଲେ। ଦଳ ମଧ୍ୟ ତାଙ୍କର ନେତୃତ୍ବରେ ଭରସା କରି ବିଧାନସଭା ଟିକେଟ ଦେଇଛି।

ଆସିକା ଲୋକସଭା ଆସନ ପାଇଁ ମଧ୍ୟ ଦୁଇଜଣ ନେତାଙ୍କ ଝିଅ ମଧ୍ୟ ଲଢ଼େଇ ହେବ। ବିଜେଡି ତରଫରୁ କୋଦଳାର ପୂର୍ବତନ ନଗରପାଳ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ଝିଅ ରଂଜିତା ସାହୁଙ୍କୁ ଟିକେଟ ଦିଆଯାଇଛି। ବିଜେପି ତରଫରୁ ଏଥର ମଧ୍ୟ ଅନିତା ଶୁଭଦର୍ଶିନୀ ପ୍ରାର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଅନ୍ୟତମ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ। ସେ ଗତ ୨୦୧୯ରେ ମଧ୍ୟ ବିଜେପିରୁ ଆସିକା ଲୋକସଭା ଆସନରୁ ଲଢ଼େଇ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।