ରାଜ୍ୟ

ଖୋଲିଲା ମୋହନ ପେଡି: କଥା ରଖିଲେ

ଭୁବନେଶ୍ବର, ୨୫/୭ (ଇମିସ): ସମସ୍ତ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଛି। ଯେଉଁ ଯୋଜନା ନବୀନ ପଟ୍ଟନାୟକ ସରକାରରେ ଚାଲୁଥିଲା, ତାହା ମୋହନ ମାଝୀ ସରକାରରେ ମଧ୍ୟ ଜାରି ରହିବ। ତେବେ ଯେଉଁ ଯୋଜନାମାନଙ୍କରେ ବିଜୁ ଓ ନବୀନଙ୍କ ନାମ ଥିଲା, ନୂଆ ସରକାରରେ ସେସବୁର ନାମ ବଦଳାଇ ଦିଆଯାଇଛି। ଏଥିସହିତ ପାଖାପାଖି ୧୬ଟି ନୂତନ ପଦକ୍ଷେପ ନେଇଛନ୍ତି ସରକାର। ଏଭଳି ଅନେକ ପରିବର୍ତ୍ତନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ୨୦୨୪-୨୫ଆର୍ଥିକ ବର୍ଷ ଲାଗି ବିଶାଳ ତଥା ସର୍ବକାଳୀନ ବଡ଼ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୨ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ବଜେଟ୍‌ ଠାରୁ ଏହା ୧୫% ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷରେ ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା। ଅତି ସଂକ୍ଷେପରେ କହିଲେ, ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଏହାର ଇସ୍ତାହାରରେ ରାଜ୍ୟବାସୀଙ୍କ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, କ୍ଷମତାକୁ ଆସିବା ପରେ ମୋହନ ସରକାର ସେଥିରୁ ଅନେକର କାର୍ଯ୍ୟାନ୍ବୟନ ପାଇଁ ଉଦ୍ୟମ କରିଛନ୍ତି। ଯେହେତୁ ସ୍ବୟଂ ମୁଖ୍ୟମନ୍ତ୍ରୀ ନିଜ ହାତରେ ଅର୍ଥ ବିଭାଗ ରଖିଛନ୍ତି, ଏଣୁ ସ୍ବାଭାବିକ ଭାବେ ପ୍ରସ୍ତାବିତ ବଜେଟ୍‌ରୁ ଗୁରୁତ୍ବ ବଢ଼ିଛି। ସରକାର ଏହାକୁ ଜନସାଧାରଣଙ୍କ ବଜେଟ୍ ବୋଲି ସୂଚାଇବା ସହିତ ‘ବିକଶିତ ଓଡ଼ିଶା -ବିକଶିତ ଭାରତ’ ସ୍ଲୋଗାନ୍ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜର ଚାରିଟି ପ୍ରମୁଖ ଶ୍ରେଣୀ ଅର୍ଥାତ୍ ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତାଙ୍କ ବିକାଶ ପାଇଁ ଓ ଏକ ବିକଶିତ ଓଡ଼ିଶା ଗଠନ ଲାଗି ସରକାର ବଜେଟ୍‌ରେ ଗୁରୁତ୍ବ ଦେଇଛନ୍ତି। ନାରୀଶକ୍ତି, ସାମାଜିକ ନ୍ୟାୟ, ଉତ୍ତମ ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା, ସମ୍ମାନର ସହିତ ଜୀବନଯାପନ, ମୌଳିକ ନାଗରିକ ସୁବିଧା, ରୋଜଗାର ସୃଷ୍ଟି ଓ କର୍ମନିଯୁକ୍ତି,
ଓଡ଼ିଶା ଅସ୍ମିତା ଏବଂ ଜଗନ୍ନାଥ ସଂସ୍କୃତି, ଲୋକଙ୍କ ସରକାର, ଅନ୍ନଦାତା ଏଭଳି ୯ଟି ପ୍ରମୁଖ ବିଷୟ ଉପରେ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ବିଶେଷକରି ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି, ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା କରାଯାଇଛି। ସେହିଭଳି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି, ଡ୍ରପ୍ ଆଉଟ୍ ରୋକିବା ଲାଗି ମାଧୋ ସିଂହ ଯୋଜନା ବାବଦରେ ୧୫୬ କୋଟି, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଲାଗି ୫୦ କୋଟି ଟଙ୍କା, ମହାନଦୀର ତଟ ଉନ୍ନୟନ ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କା, ଦୀନଦୟାଲ ଶିଳ୍ପାଞ୍ଚଳ କର୍ମଚାରୀ ନିବାସ ପାଇଁ ୫୦ କୋଟି ଟଙ୍କା ବରାଦ କରିଛନ୍ତି ସରକାର। ଏହାବ୍ୟତୀତ ଗ୍ରାମପଞ୍ଚାୟତ ରାସ୍ତାର ଆଲୋକୀକରଣ ସୌରଶକ୍ତି ଦ୍ବାରା କରାଯିବ। ଏଥିପାଇଁ ୧୦ କୋଟି, ମେଡ଼ିକାଲ କଲେଜ ଓ ହସ୍ପିଟାଲ ପାଇଁ କର୍ପସ ପାଣ୍ଠି ବାବଦରେ ୨୦୦ କୋଟି ଟଙ୍କା, ଛାତଉପର ସୌରଶକ୍ତି ପ୍ରକଳ୍ପ ପାଇଁ ୧୦୦ କୋଟି, କର୍କଟ ରୋଗୀ ସେବକଙ୍କ ପାଇଁ ଧର୍ମଶାଳା ଓ ଗେଷ୍ଟ ହାଉସ ବାବଦରେ ୧୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। କେବଳ ସେତିକି ନୁହେଁ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗି ୫୦୦ କୋଟି, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଲାଗି ୯୨ କୋଟି ଟଙ୍କା, ଅଭ୍ୟୁଦୟ ଭାରତ ନିମିତ୍ତ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବାବଦରେ ୨୫ କୋଟି ଟଙ୍କା ରଖିଛନ୍ତି ସରକାର।

ସେପଟେ ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ଯେଉଁ ବଜେଟ୍ ଚିତ୍ର ଆଙ୍କିଛନ୍ତି, ତା’ ଉପରେ ନଜର ପକାଇଲେ ଜଣାପଡୁଛି ଯେ ପ୍ରସ୍ତାବିତ ବଜେଟ୍‌ରେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧ଲକ୍ଷ ୫୫ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ଏବର୍ଷ ପ୍ରଶାସନିକ ବ୍ୟୟ ବାବଦରେ ୯୭ହଜାର ୭୨୫ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଯୋଜନା ରହିଛି। ଏଥିରେ ଦରମା (୩୨ ହଜାର ୫୭୧ କୋଟି ଟଙ୍କା), େପନସନ୍ (୨୨ହଜାର ୫୯୧ କୋଟି ଟଙ୍କା), ପୁଞ୍ଜି ସଂପତ୍ତିର ରକ୍ଷଣାବେକ୍ଷଣ ବାବଦରେ ୬ହଜାର ୮୨୨ କୋଟି ଟଙ୍କା ଖର୍ଚ୍ଚ ହେବ। ସୁଧ ଦେୟ ୫୫୦୦ କୋଟି ଟଙ୍କା ସରକାର ବ୍ୟୟ କରିବେ। ସେହିଭଳି ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ୩୯୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟରୁ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ୮୩୭୫ କୋଟି ଟଙ୍କା ହସ୍ତାନ୍ତର କରାଯିବ। ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳର ସ୍ଥାନୀୟ ନିକାୟସଂସ୍ଥାମାନଙ୍କୁ ପଞ୍ଚଦଶ ଆୟୋଗଙ୍କ ସୁପାରିସ ଅନୁସାରେ ପ୍ରାୟ ୩୮୦୪ କୋଟି ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ସୁପାରିସ କ୍ରମେ ପ୍ରାୟ ୪୪୪୯ କୋଟି ଟଙ୍କା ହସ୍ତାନ୍ତର କରାଯିବ ବୋଲି ସରକାର ଯୋଜନା କରିଛନ୍ତି। ସେହିଭଳି ପୁଞ୍ଜି ବ୍ୟୟ ଅଟକଳ ୫୮ ହଜାର ୧୯୫ କୋଟି ଟଙ୍କା ( ପୂର୍ବବର୍ଷ ତୁଳନାରେ ୨୬% ଅଧିକ) ରହିଛି, ଯାହା ଜିଏସ୍‌ଡିପିର ୬.୩%। ଏହା ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ।

ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ମୋଟ୍ ବ୍ୟୟ ଅଟକଳକୁ ମୁଖ୍ୟତଃ ରାଜସ୍ବ ପ୍ରାପ୍ତିରୁ ୨ଲକ୍ଷ ୧୧ହଜାର କୋଟି ଟଙ୍କା ଓ ଋଣ ଏବଂ ଅନ୍ୟାନ୍ୟ ବାବଦରୁ ୫୪ ହଜାର କୋଟି ଟଙ୍କା ଭରଣା କରାଯିବ। ସରକାର ଆକଳନ କରିଛନ୍ତି, ରାଜ୍ୟର ନିଜସ୍ବ ଟିକସ ୬୦ ହଜାର କୋଟି ଟଙ୍କା ହୋଇପାରେ। ସେହିଭଳି ନିଜସ୍ବ ଅଣଟିକସ ୫୮ହଜାର କୋଟି, କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ୫୫ ହଜାର ୨୩୧ କୋଟି ୭୬ ଲକ୍ଷ ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦରୁ ୩୭ ହଜାର ୭୬୮ କୋଟି ୨୪ଲକ୍ଷ ଟଙ୍କା ମିଳିବ। ୨୦୨୪-୨୫ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର ୩.୫ ପ୍ରତିଶତ ଅର୍ଥାତ୍ ୩୨ ହଜାର ୪୦୩ କୋଟି ଟଙ୍କା ହେବ। ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଏବର୍ଷ ଖଣି ସୂତ୍ରରୁ ପାଖାପାଖି ୫୦ ହଜାର କୋଟି ଟଙ୍କା ମିଳିବ। ଜୁନ୍ ଶେଷ ସୁଦ୍ଧା ୧୨ ହଜାର ୫୭୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି ସରକାର। ପୂର୍ବ ବର୍ଷ ସୁଦ୍ଧା ଏହି ସମୟ ମଧ୍ୟରେ ଯେତେ ଅର୍ଥ ଆଦାୟ ହୋଇଥିଲା, ତା’ ତୁଳନାରେ ଏହା ୨୯ ପ୍ରତିଶତ ଅଧିକ। ସେହିଭଳି ଜିଏସ୍‌ଟି ସୂତ୍ରରୁ ଏବର୍ଷ ୨୬ ହଦାର ୭୩ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରହିଛି। ଏଣୁ ଟଙ୍କା ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।