ରାଜ୍ୟ

ଖଣି ମୁହଁରେ ଜରଡ଼ା ଗାଁ: ବିସ୍ଫୋରଣରେ ଥରୁଛି, ଜମି ଅଧିଗ୍ରହଣକୁ ୨୯ ବର୍ଷ, ବିସ୍ଥାପନ ନୋହିଲା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ଜରଡ଼ା ଗାଁ କଣିହାଁ ଖୋଲାମୁହଁ କୋଇଲା ଖଣିଠାରୁ ମାତ୍ର ୫ ଶହ ମିଟର ଦୂରରେ ଅବସ୍ଥିତ। ଖଣିରେ ହେଉଥିବା ଡିନାମାଇଟ୍‌ ବିସ୍ଫୋରଣ, ଖଣିଜନିତ ପ୍ରଦୂଷଣରେ ଗ୍ରାମବାସୀ ଅତିଷ୍ଠ। ସେମାନଙ୍କୁ ବିସ୍ଥାପନ କରିବାକୁ ଜରଡ଼ା ଗ୍ରାମବାସୀ ଦାବି କରିଆସୁଛନ୍ତି। ସେମାନଙ୍କୁ ବିସ୍ଥାପନ କରି ଅନ୍ୟତ୍ର ଥଇଥାନ ପାଇଁ ଖଣି କର୍ତ୍ତୃପକ୍ଷ ସ୍ଥିର ମଧ୍ୟ କରିଛନ୍ତି। କିନ୍ତୁ ବିସ୍ଥାପନ କରୁନାହାନ୍ତି। ଏହାର ପ୍ରତିବାଦରେ ଜରଡ଼ା ଗ୍ରାମବାସୀ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଖଣିରେ କୋଇଲା ଖନନ ପାଇଁ ଡିନାମାଇଟ୍‌ ବିସ୍ଫୋରଣ କରାଯାଉଛି। ଫଳରେ ଗାଁ ଥରିଉଠୁଛି। କେତେକ ଘର ଫାଟି ଆଁ କଲାଣି। କେତେକ ଘର ଭାଙ୍ଗି ପଡ଼ିଥିବା ଦେଖାଯ‌ାଇଛି। ସାମାନ୍ୟ ପବନହେଲେ ଖଣି ଅଞ୍ଚଳରୁ କୋଇଲା ଗୁଣ୍ଡ ଉଡ଼ି ଲୋକଙ୍କ ଘରେ ପଡ଼ୁଛି। ପ୍ରଦୂଷଣ ଯୋଗୁଁ ଗ୍ରାମବାସୀ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ସେମାନେ ବର୍ଷ ବର୍ଷ ଧରି ଆତଙ୍କିତ ଅବସ୍ଥାରେ ରହୁଛନ୍ତି। କୋଇଲା ଖଣି ପାଇଁ ଜରଡ଼ା ଗାଁର ଜମି ୧୯୯୫ ମସିହାରେ ଅଧିଗ୍ରହଣ କରାଯାଇଛି। ଜମି ଅଧିଗ୍ରହଣ କରିବାର ୩ ବର୍ଷ ମଧ୍ୟରେ ଲୋକଙ୍କୁ ନିଯୁକ୍ତି, କ୍ଷତିପୂରଣ ଦେଇ ବିସ୍ଥାପିତ କରିବା କଥା, ମାତ୍ର ଏହା ଭିତରେ ୨୯ ବର୍ଷ ବିତିଯାଇଥିଲେ ବି ସେମାନଙ୍କୁ ଏପର୍ଯ୍ୟନ୍ତ ବିସ୍ଥାପିତ କରାଗଲା ନାହିଁ। ଗ୍ରାମବାସୀଙ୍କର ବାକି ଥିବା ଜମି ବାବଦ କ୍ଷତିପୂରଣ, ଘର, ଗଛ ପାଇଁ କ୍ଷତିପୂରଣ ଓ ନିଯୁକ୍ତି ଦିଆଯିବାକୁ ଗ୍ରାମବାସୀ ଦାବି କରୁଛନ୍ତି। ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ଗ୍ରାମବାସୀ ଅନେକ ଥର ଖଣି କର୍ତ୍ତୃପକ୍ଷ, ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନେକ ଥର ଆନ୍ଦୋଳନ କରିଛନ୍ତି।

ସେମାନଙ୍କୁ ବିସ୍ଥାପିତ କରାଯିବ ବୋଲି ଖଣି କର୍ତ୍ତୃପକ୍ଷ ପ୍ରଶାସନର ଉପସ୍ଥିତିରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଗଲାନାହିଁ। ଅନ୍ୟପକ୍ଷରେ ପଥରମୁଣ୍ଡା ଗାଁରେ କଲୋନି କରି ସେଠାରେ ଜରଡ଼ା ଗ୍ରାମବାସୀଙ୍କୁ ଥଇଥାନ କରିବେ ବୋଲି ଖଣି କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ପଥରମୁଣ୍ଡା ଗାଁ କଣିହାଁ କୋଇଲା ଖଣି ଦ୍ବାରା କ୍ଷତିଗ୍ରସ୍ତ। ଏହି ଗାଁର କିଛି ପରିବାର ଖଣି ପକ୍ଷରୁ ନିଯୁକ୍ତି ପାଇଥିବା ବେଳେ କିଛି ପରିବାର ନିଯୁକ୍ତି ପାଇନାହାନ୍ତି। ଯେଉଁମାନେ ନିଯୁକ୍ତି ପାଇନାହାନ୍ତି, ସେମାନେ ନିଯୁକ୍ତି ଦାବିରେ ତାଙ୍କ ଜମି ଉପରେ ବସି ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଜରଡ଼ା ଗ୍ରାମବାସୀଙ୍କୁ ସେଠାରେ ଥଇଥାନ କରିବାରେ ଏହି ଘଟଣା ପ୍ରତିବନ୍ଧକ ସାଜିଛି। ପଥରମୁଣ୍ଡା ଗାଁର ଯେଉଁ ଲୋକମାନେ ନିଯୁକ୍ତି ପାଇନାହାନ୍ତି, ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ସେମାନଙ୍କ ଜମିରେ କୌଣସି ଲୋକକୁ ବାସ କରିବାକୁ ଦେବେନାହିଁ ବୋଲି ସେମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।