ରାଜ୍ୟ

ଖଣି ଗିଳିବାକୁ ଗଳାବାଟ: ବାରମ୍ବାର ଚିଠି ଲେଖା ପରେ ବି ପଦବି ପୂରଣ ହେଉନି

ଯାଜପୁରସଦର: ଯାଜପୁର ଜିଲ୍ଲାରେ ଲଘୁଖଣିଜ ସଂପଦ ଚୋରି ସୀମା ଲଂଘିଛି। ଅହରହ ଲୁଟ୍‌ ହେଉଛି ବାଲି, ମୋରମ, କଳାପଥର, ମାଙ୍କଡ଼ାପଥର। ଏହା ଉପରେ ନଜର ରଖିବାକୁ ଜିଲ୍ଲାରେ କିନ୍ତୁ ଅଧିକାରୀ ନାହାନ୍ତି। ଖଣି ବିଭାଗ ପାଖରେ କର୍ମଚାରୀ ଅଭାବ ଥିବାରୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ମନେହେଉଛି ଯେମିତି ଯୋଜନାବଦ୍ଧ ଭାବେ ଏହି ଖଣି କାର୍ଯ୍ୟାଳୟରେ ଅଧିକାରୀ ନିଯୁକ୍ତି ହେଉନି। ଅନ୍ୟପଟେ ମାଫିଆ ମାଲାମାଲ୍‌ ହେଉଛନ୍ତି। ଚଳିତବର୍ଷ ଯାଜପୁର ସହରରେ ଯାଜପୁର ଖଣି ମଣ୍ଡଳର ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। ଏହା ଅଧୀନରେ ଜିଲ୍ଲାର ୧୮୫ଟି ଖାଦାନ ରହିଛି। ଏଥିରୁ ୧୧୨ଟି କ୍ରିୟାଶୀଳ ରହିଛି। ୭୨ଟି ଖାଦାନରୁ ଉତ୍ତୋଳନ ବନ୍ଦ ରହିଛି। କିନ୍ତୁ ଜିଲ୍ଲାରେ ବର୍ଷବର୍ଷ ଧରି ଶହଶହ ଚୋରା ଖାଦାନ ମୁଣ୍ଡ ଟେକିଛି। ଏଗୁଡ଼ିକରୁ ଦୈନିକ ହଜାରହଜାର କୋଟି ଟଙ୍କାର ଲଘୁଖଣିଜ ଲୁଟ୍‌ ହେଉଛି। କଳାପଥର ଖାଦାନ ପାଇଁ ଧର୍ମଶାଳା ଚର୍ଚ୍ଚାରେ ଥିବାବେଳେ ପୂର୍ବରୁ ଥିବା ବିରାଟ ପାହାଡ଼ ଆଜି ସତ୍ତା ହରାଇ ସାରିଛି। ଅଥଚ ଜିଲ୍ଲାର ଖଣି ବିଭାଗରେ ମାତ୍ର ୨ ଜଣ ଅଧିକାରୀ ଅଛନ୍ତି। ବିଭାଗୀୟ କାର୍ଯ୍ୟାଳୟ ପାଇଁ କିନ୍ତୁ ୧୭ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି।

ଚଢ଼ଉ ପାଇଁ କୌଣସି ଏନଫୋର୍ସମେଣ୍ଟ୍‌ ଟିମ୍‌ ନାହିଁ। ଦରକାର ବେଳେ ସ୍ଥାନୀୟ ପୁଲିସକୁ ସାଥୀରେ ଧରି ଚଢ଼ଉ କରାଯାଉଛି। ସ୍ଥାନୀୟ ତହସିଲ ପ୍ରଶାସନକୁ ମଧ୍ୟ ଏଥିରେ ସାମିଲ କରାଯାଉଛି।ବର୍ତ୍ତମାନ ଏହି କାର୍ଯ୍ୟାଳୟରେ ଡିଡିଏମ୍‌ ଭ‌ାବେ ଜୟପ୍ରକାଶ ନାୟକ କାର୍ଯ୍ୟ କରୁଛନ୍ତି। ସେ ଯାଜପୁର ଓ ଜଗସିଂହପୁର ଜିଲ୍ଲା ଦାୟିତ୍ବରେ ରହିଛନ୍ତି। ସେହିପରି ଜଣେ ଖଣି ଅଧିକାରୀ, ୨ଜଣ ଜିଲ୍ଲା ସହାୟକ ଏବଂ ଜଣେ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅଫିସ କାର୍ଯ୍ୟ ବ୍ୟତୀତ ଚଢ଼ଉ ପାଇଁ ମାତ୍ର ୨ ଜଣ ଅଧିକାରୀ ରହିଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ୨୦୨୩ ସେପ୍ଟେମ୍ବରରେ ଦୁଇଥର, ଅକ୍ଟୋବରରେ ଦୁଇଥର, ଡିସେମ୍ବରରେ ଥରେ, ୨୦୨୪ ଫେବ୍ରୁଆରି, ଏପ୍ରିଲ ଓ ଜୁଲାଇ ୫ ତାରିଖରେ ଖାଲିଥିବା ପଦବି ପୂରଣ ପାଇଁ ଅନୁରୋଧ କରି ଚିଠି ଲେଖାଯାଇଛି। ଆଜି ସୁଦ୍ଧା ଏହାର କୌଣସି ସୁଫଳ ମିଳିନାହିଁ। ଖଣି ବିଭାଗ ଅଧୀନରେ ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ସହିତ, ଇ-ଟ୍ରାନ୍‌ଜିଟ୍‌ ଜାରି, ଖାଦାନ ଅନୁମତି, ସୈରାତ ଉତ୍ସର ଇ-ଆକୁ‌ଇଜିସନ୍, ଇ-ଅକସନ୍‌, କୋର୍ଟ ମ୍ୟାଟର, ସୂଚନା ଅଧିକାର ଆଇନ ସହିତ ଅନେକ କାର୍ଯ୍ୟ ଏହି ହାତଗଣତି କର୍ମଚାରୀଙ୍କୁ କରିବାକୁ ପଡ଼ୁଛି।

ଏହି କାର୍ଯ୍ୟାଳୟ ପାଇଁ ଅତିକମ୍‌ରେ ୨ ଜଣ ଖଣି ଅଧିକାରୀ, ୨ ଜଣ କନିଷ୍ଠ ଖଣି ଅଧିକାରୀ, ୨ ଜଣ ଅତିରିକ୍ତ ଖଣି ଅଧିକାରୀ, ଜଣେ କନିଷ୍ଠ ସହାୟକ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଛି। ଏନେଇ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏନ୍‌ଏନ୍‌ ସିଂହଦେଓ କହିଛନ୍ତି, କର୍ମଚାରୀ ଅଭାବ ଥିବା ସଂକ୍ରାନ୍ତ ଅଭିଯୋଗ ବାରମ୍ବାର ପାଇଛୁ। ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ପଦବି ପୂରଣ କରାଯାଇ ଯାଜପୁରରେ ଚାଲିଥିବା ଖଣି ଚୋରି ଉପରେ ଅଙ୍କୁଶ ଲଗାଯିବ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।