ରାଜ୍ୟ

କୋମଳ ହାତରେ ଆହତଙ୍କ ସେବା: କର୍ତ୍ତବ୍ୟବୋଧର ପରିଚୟ ଦେଲେ ୧୪ ଏନ୍‌ସିସି କ୍ୟାଡେଟ୍‌

ବାଲେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଅକାଳରେ ଝଡ଼ିଗଲା ୨୮୮ ଜଣଙ୍କର ଅମୂଲ୍ୟ ଜୀବନ। ୧୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହେଲେ। ଆଖିଆଗରେ ପ୍ରିୟ ପରିଜନଙ୍କୁ ହରାଇଥିବା ଅନେକ ଯାତ୍ରୀଙ୍କର ଏହି କ୍ଷତ କେବେ ବି ଭରଣା ହୋଇପାରିବନି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସେତେବେଳେ ଏକ ବଡ଼ ଚାଲେଞ୍ଜ ଥିବାବେଳେ ଏଥିରେ ନିୟୋଜିତ ହୋଇ ୧୪ ଏନ୍‌ସିସି କ୍ୟାଡେଟ୍‌ ନିଜନିଜର କର୍ତ୍ତବ୍ୟବୋଧର ପରିଚୟ ଦେଇଛନ୍ତି।

୨ ତାରିଖ ସଂଧ୍ୟା ୭ଟା ପାଖାପାଖି ହେବ। ବାହାନଗା ବଜାର ଷ୍ଟେସନ୍ ନିକଟରେ ଦ୍ରୁତଗାମୀ କରମଣ୍ଡଳ ଏକ୍ସପ୍ରେସ୍‌ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେବାପରେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ହଠାତ୍‌ କେହିକିଛି ବୁଝି ପାରିନଥିଲେ। ପରେ ଜଣାପଡ଼ିଥିଲା, କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ କରୁଣ ଚିତ୍କାର ଶୁଣି ସହାୟତା ପାଇଁ ଗାଁ ଲୋକେ ଦୌଡ଼ି ଆସିଥିଲେ। ଦୁର୍ଘଟଣା ପରେ ଷ୍ଟେସନ୍‌ ପରିସର ସମେତ ଆଖପାଖ ଅଞ୍ଚଳ ଅନ୍ଧାର ହୋଇ ଯାଇଥିଲା। କେବଳ ଗ୍ରାମବାସୀ ନୁହନ୍ତି, ବାହାନଗା ହାଇସ୍କୁଲରେ ପଢ଼ୁଥିବା ଉକ୍ତ ଅଞ୍ଚଳର ୩୦ ଜଣରୁ ଅଧିକ ବିଦ୍ୟାର୍ଥୀ ବି ଧାଇଁ ଆସିଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ପିଲାମାନେ ଗ୍ରାମବାସୀଙ୍କ ସହ ମିଶି ମୃତଦେହ, ଆହତ ଓ ଗୁରୁତରମାନଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍‌ସ ପହଞ୍ଚିବା ପରେ ସେଥିରେ ଡାକ୍ତରଖାନା ପଠାଇଲେ। ତେବେ, ସେହି ବିଦ୍ୟାର୍ଥୀଙ୍କ ମଧ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବାହାନଗା ହାଇସ୍କୁଲର ଏନ୍‌ସିସି କ୍ୟାଡେଟ୍‌ ରାଜେଶ ବେ‌ହେରା, ଜ୍ୟୋତିରଞ୍ଜନ ମହାନ୍ତି, ଗଜେନ୍ଦ୍ର ମଳିକ, ସନ୍ଦୀପ ନାୟକ, ଗଗନ କୁମାର ଦାସ, ଅନ୍ତର୍ଯ୍ୟାମୀ ବେହେରା, ସନ୍ନ୍ୟାସୀ ଜେନା ଓ ପ୍ରିୟାଂଶୁ ମହାଳିକ।

ସେହିପରି; ୬ ଜଣ ଏନ୍‌ସିସି ଛାତ୍ରୀ କ୍ୟାଡେଟ୍‌ ମଧ୍ୟ ଅବିଚଳିତ ଭାବେ ଉଦ୍ଧାର ଓ ସେବା କାର୍ଯ୍ୟରେ ଲାଗିଥିଲେ। ସେମାନେ ହେଲେ, ସୌମ୍ୟାଶ୍ରୀ କର, ଏସ୍‌ଏସ୍‌ ସିମରନ୍‌ ଜାନା, ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହ‌ୁ, ସ୍ନେହଲତା ଦାସ, ଜୟଶ୍ରୀ ପାଣିଗ୍ରାହୀ ଓ ଆଦ୍ୟାଶା ପଣ୍ଡା। ଏହି ଏନ୍‌ସିସି କ୍ୟାଡେଟ୍‌ମାନଙ୍କ ପାଇଁ ସେଦିନ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। କ୍ୟାଡେଟ୍‌ମାନେ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ଅସୀମ ଧୈର୍ଯ୍ୟ ଓ ସାହସିକତାର ପରିଚୟ ଦେଇଥିଲେ।
ବାହାନଗା ହାଇସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ସ୍ବାଇଁ କହିଛନ୍ତି, ଏହି ଭୟଙ୍କର ବିପତ୍ତି ବେଳେ ଛାତ୍ରଛାତ୍ରୀ ଓ ଏନ୍‌ସିସି କ୍ୟାଡେଟ୍‌ମାନେ ଯେଉଁ କର୍ତ୍ତବ୍ୟବୋଧ ଦେଖାଇଲେ, ତାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ। ମୁଁ ସେମାନଙ୍କ ପାଇଁ ଗର୍ବିତ।

ଉଲ୍ଲେଖଯୋଗ୍ୟ ଯେ ହାଇସ୍କୁଲ୍‌ର ଏନ୍‌ସିସି ଏଏନ୍‌ଓ ରଶ୍ମିରଂଜନ ଦାସ ଓ ଭଦ୍ରକ ୭ ଆର୍ମି ବାଟାଲିଅନ୍‌ର ଶୈଳେଶ ଶର୍ମାଙ୍କ ତତ୍ତ୍ବାବଧାନରେ ଏହି କ୍ୟାଡେଟ୍‌ମାନେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।