ରାଜ୍ୟ

କୋଭିଡ୍‌ଠାରୁ ବଳିପଡ଼ୁଛି ଏ କଷ୍ଟ: ଖଣ୍ଡବିଖଣ୍ଡିତ ଶବ ସହ ୬ ଘଣ୍ଟା

ଭୁବନେଶ୍ବର : କାହାର ହାତ, ଗୋଡ଼ ଛିଡ଼ି ପଡ଼ିଛି ତ ଆଉ କାହାର ଖଣ୍ଡବିଖଣ୍ଡିତ ଶରୀରରେ ପୋକ ଲାଗିଯାଇଛି। ସ୍ଥିତି ଏଭଳି ଯେ ଅନେକଙ୍କୁ ଚିହ୍ନିବା ମୁସ୍କିଲ୍‌ ହୋଇପଡ଼ୁଛି। ଦୁର୍ଗନ୍ଧ ଏଭଳି ଯେ ପାଖରେ ଦଣ୍ଡେ ରହିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି। କିନ୍ତୁ ଆମେ ହଟିନଥିଲୁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ପରିଜନଙ୍କ ମୁହଁ ଗୋଟି ଗୋଟି କରି ଖୋଲି ଦେଖାଉଛୁ। ଯେତେ ସମୟ ପର୍ଯ୍ୟନ୍ତ ସେମାନେ ଖୋଜୁଥିବା ପ୍ରିୟଜନଙ୍କୁ ଚିହ୍ନଟ ନ କରିଛନ୍ତି, ଧୈର୍ଯ୍ୟ ଧରିଛୁ। ଶବ ଚିହ୍ନଟ ପରେ ଉପଯୁକ୍ତ ଭାବରେ ପ୍ୟାକିଂ କରି ହସ୍ତାନ୍ତର କରିଛୁ। ଆଟେଣ୍ଡାଣ୍ଟ ଭାବରେ ଆମେ ରୋଗୀ ସେବା କରୁ, କିନ୍ତୁ ଶବଗୃହରେ ଜୀବନରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ କରୁଛୁ। ମାତ୍ର ଆମର ଦୁଃଖ ନାହିଁ। ଏହା ମଧ୍ୟ ଭାବୁନୁ ଯେ ଏମ୍‌ସ କର୍ମଚାରୀ ବୋଲି ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ଥିଲୁ। ବରଂ ଯେଉଁ ଦୁର୍ଗତି ବର୍ତ୍ତମାନ ପଡ଼ିଛି, ସେବା ପାଇଁ ସ୍ବେଚ୍ଛାସେବୀମାନେ ଆଗେଇ ଆସୁଥିବାବେଳେ ଆମେ କାହିଁକି ପଛରେ ପଡ଼ିଯିବୁ। ଏହା କହନ୍ତି ରବିବାରଠାରୁ ଏମ୍‌ସରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାର ମୃତକଙ୍କୁ ହସ୍ତାନ୍ତର କରୁଥିବା ଆଟେଣ୍ଡାଣ୍ଟ ଅକ୍ଷୟ ସେଠୀ(୪୨), ଜି. କୃଷ୍ଣଚନ୍ଦ୍ରବାରି(୨୯) ଏବଂ ପ୍ରକାଶ ସାହୁ(୫୨)। କେବଳ ଏମାନେ ନୁହନ୍ତି, ଏମ୍‌ସରେ କାର୍ଯ୍ୟରତ ଅନେକ ଆଟେଣ୍ଡାଣ୍ଟ ଯେଉଁମାନେ ମୂଳତଃ ରୋଗୀ ସେବା କରନ୍ତି, ଷ୍ଟ୍ରେଚର ବୋହିବାରେ ସହଯୋଗ କରନ୍ତି, ସେମାନଙ୍କୁ ବର୍ତ୍ତମାନ ଶବ ସଂରକ୍ଷଣ ଏବଂ ହସ୍ତାନ୍ତରଣ କାର୍ଯ୍ୟ ଦିଆଯାଇଛି। ପରିସ୍ଥିତିର ଆବଶ୍ୟକତାକୁ ଉପଲବ୍ଧି କରି ପ୍ରତ୍ୟେକ ଏହି କାର୍ଯ୍ୟ କରୁଛନ୍ତି ମଧ୍ୟ।

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସର୍ବାଧିକ ୧୨୦ ମରଶରୀର ଏମ୍‌ସରେ ସଂରକ୍ଷିତ କରାଯାଇଥିଲା। ଶବାଗାରରେ ଶବ ରଖିବାଠାରୁ ମରଶରୀର ହସ୍ତାନ୍ତରଣ ପର୍ଯ୍ୟନ୍ତ ଯେତିକି ମାନବସମ୍ବଳ ଆବଶ୍ୟକ ଥିଲା, ସ୍ବାଭାବିକ ଭାବରେ ଏମ୍‌ସ ଶବାଗାରରେ ଏତେ ସଂଖ୍ୟକ କର୍ମଚାରୀ ନଥିଲେ। ତେଣୁ ଏମ୍‌ସ କର୍ତ୍ତୃପକ୍ଷ ଏଠାରେ ୫୦ ଆଟେଣ୍ଡାଣ୍ଟଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନେ ମାସ୍କ ସହିତ ପିପି କିଟ୍ ପିନ୍ଧି ୬ ଘଣ୍ଟାର ତିନିଟି ସିଫ୍ଟ୍‌ରେ କାମ କରୁଛନ୍ତି। ଅକ୍ଷୟ ସେଠୀ କହନ୍ତି, ୮ ବର୍ଷ ହେଲା ଏମ୍‌ସରେ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଥମ ଥର ପାଇଁ ଶବ ବୋହିବା, ପ୍ୟାକେଜିଂ କରିବା କାର୍ଯ୍ୟ କରୁଛନ୍ତି। ଯାହା କୋଭିଡ୍‌ ସମୟର ଅନୁଭବଠାରୁ ବଳିପଡ଼ିଛି। ଜଣେ ଜଣେ ପରିଜନଙ୍କୁ ୧୦/୧୨ ମୃତକଙ୍କ ମୁହଁ ଦେଖାଇବା ବେଳର ମାନସିକତା କହି ହେଉ ନାହିଁ। ଗୋଟିଏ ଗୋଟିଏ ସିଫ୍ଟରେ ୪୫ ଜଣ ବ୍ୟକ୍ତି ଆସି ପରିଜନଙ୍କୁ ଚିହ୍ନଟ କରିଛନ୍ତି। ସବୁଠାରୁ ହୃଦୟ ବିଦାରକ ଅନୁଭବ ଥିଲା, ଜଣେ ୨୬ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ମୁହଁ ଦେଖାଇବା। ସେ ଯେତେ ଶବ ଦେଖୁଥାଆନ୍ତି, କ୍ଷତବିକ୍ଷତ ଚେହେରା ଦେଖି ସଂଜ୍ଞାହୀନ ହୋଇ ପଡ଼ୁଥାଆନ୍ତି। ବାରମ୍ବାର କହୁଥାଆନ୍ତି- ଏ ଚେହେରା ମୁଁ ଚିହ୍ନିପାରୁନି, ଆପଣ ତାଙ୍କ ହାତ ଦେଖନ୍ତୁ ହାତରେ ଟାଟୁ ଅଛି। ଶବଗୁଡ଼ିକୁ ବାରମ୍ବାର ଦେଖିବା ପରେ ସ୍ବାମୀଙ୍କ ହାତର ଟାଟୁ ଏବଂ ପିନ୍ଧିଥିବା ପୋଷାକ ଦେଖି ଚିହ୍ନିଲେ ଏବଂ ପରେ ତାଙ୍କ ବୁକୁଫଟା କାନ୍ଦ ଆମ ଆଖିରୁ ଲୁହ ବୁହାଇଦେଇଥିଲା।

ଆଟେଣ୍ଡାଣ୍ଟ ଜି. କୃଷ୍ଣଚନ୍ଦ୍ରବାରି କହିଛନ୍ତି, ଜଣେ ବ୍ୟକ୍ତି ନିଜ ଭାଇର ମରଶରୀର ଦେଖି ଏଭଳି ଦୁଃଖରେ ଭାଙ୍ଗି ପଡ଼ିଥିଲେ ଯେ ତାଙ୍କୁ ବୁଝାଇବାକୁ ଯାଇ ଆମ ବି କାନ୍ଦି ପକାଇଥିଲୁ। ଏହି ସବୁ ଅନୁଭବ ବହୁତ କଷ୍ଟକର। ଏପରିକି ଜଣେ ବ୍ୟକ୍ତିଙ୍କ ମରଶରୀର ଉପରେ ଏକାଧିକ ଦାବିଦାର ରହିଛି। ରାସାୟନିକ ପ୍ରଲେପ ଦେଇ ବରଫରେ ଏହି ଶବ ରଖାଯାଇଥିଲା। ଏହା ସତ୍ତ୍ବେ ସୋମବାର ଏହା ପଚିବା ଆରମ୍ଭ କରିବାରୁ ଆଜି ଏମ୍ସ ପକ୍ଷରୁ କଣ୍ଟେନରରେ ସବୁ ଶବ ସଂରକ୍ଷିତ କରି ରଖାଯାଇଛି। ବର୍ତ୍ତମାନ ପୂର୍ବଭଳି ଦୁର୍ଗନ୍ଧ ନାହିଁ। ଥରେ ଶବ ଚିହ୍ନଟ ହୋଇଗଲେ ଉପଯୁକ୍ତ ଭାବରେ ପ୍ୟାକେଜିଂ କରି ହସ୍ତାନ୍ତର କରି ଦିଆଯାଏ। ଘରକୁ ଯାଇ ଗାଧୋଇ, ଖାଇବା କଷ୍ଟକର ହୋଇପଡ଼ୁଛି। ଲାଗୁଛି ସତେ ଯେମିତି ନିଜ ଶରୀରରୁ ଦୁର୍ଗନ୍ଧ ବାହାରୁଛି। କିନ୍ତୁ ଆତ୍ମୀୟସ୍ବଜନମାନେ ଶବ ନେଉଥିବା ବା ଖୋଜୁଥିବା ବେଳର ଦୃଶ୍ୟ ମନେପକାଇ ନିଜକୁ ସମ୍ଭାଳିନେଉଛୁ ବୋଲି କହନ୍ତି ପ୍ରକାଶ ସାହୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।