ଭଦ୍ରକ, ୨୦/୫: ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା କୋଭିଡ଼ ଡାକ୍ତରଖାନାର ଡିଜି ରୁମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଡିଜି ରୁମର ତାର ସବୁ ପୋଡିଯାଇଛି । ମେଡିକାଲରେ ଭଦ୍ରକ ଅଗ୍ନିଶମ ବାହିନୀର ଅସ୍ଥାୟୀ କ୍ୟାମ୍ପରେ ଥିବା କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ କୋଭିଡ଼ ଡାକ୍ତରଖାନା ତଳେ ଥିବା ଜେନେରେଟର ଘରେ ସର୍ଟସାର୍କିଟ ହୋଇ ନିଆଁ ଲାଗିଥିଲା । ଘଟଣା ସମ୍ପର୍କରେ ଖବର ପାଇ ମେଡିକାଲ ପରିସରରେ ଥିବା ଅଗ୍ନିଶମ ବାହିନୀର ଅସ୍ଥାୟୀ କ୍ୟାମ୍ପର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି ।
ଭଦ୍ରକ ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି । ଲୋକେ ଭୟଭୀତ ନହେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏବେ ମେଡିକାଲ ପରିସରରେ ଥିବା ବିଦ୍ୟୁତ କର୍ମଚାରୀଙ୍କୁ ତାର ଓ ବିଦ୍ୟୁତ ଉପକରଣର ସ୍ଥିତି ଯାଞ୍ଚ କରିବା ସହ ତାର ବଦଳାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।