ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଟିଆରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା: ଆନ୍ଧ୍ର ସ୍କୁଲରେ ୩ଦିନ, ଓଡ଼ିଶାରେ ୩ଦିନ

ପଟାଙ୍ଗି : ବିବାଦୀୟ କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ବିଦ୍ୟାଳୟ ଖୋଲିଥିବାରୁ ପିଲା ପାଳି କରି ଦୁଇ ରାଜ୍ୟର ବିଦ୍ୟାଳୟକୁ ଯାଉଛନ୍ତି। ସପ୍ତାହରେ ୩ଦିନ ଆନ୍ଧ୍ର ସ୍କୁଲ ଆର ତିନିଦିନ ଓଡ଼ିଶା ସ୍କୁଲ ଯାଉଛନ୍ତି। ତେବେ ଆନ୍ଧ୍ର ସ୍କୁଲଗୁଡିକରେ ଓଡ଼ିଆ ସ୍କୁଲ ଅପେକ୍ଷା ଅଧିକ ଦିନ ଉପସ୍ଥାନ ରହୁଛି। ଏହା ପଛର କାରଣ ଆନ୍ଧ୍ରର ଆମ୍ମାବାଡ଼ି ଯୋଜନା। ଓଡ଼ିଶା ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ନଲେ ପିଲା ଓଡ଼ିଆ ଅ, ଆ ସମ୍ପୂର୍ଣ୍ଣ ଭୁଲି ତେଲୁଗୁ ଅ, ଆ ଶିଖିଯିବା ସ୍ଥିତି ସୃଷ୍ଟି ହୋଇଛି।

ସୀମାନ୍ତ ଗାଁରେ ତେଲୁଗୁ ଶିକ୍ଷା ଦେଇ ଗାଁଗୁଡିକୁ କବ୍‌ଜା କରିବା ଦିଗରେ ଆନ୍ଧ୍ର ପ୍ରୟାସରତ। ଆମ୍ମାବାଡି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଟାଣିବାକୁ ଚେଷ୍ଟା ଚଳାଇଛି। ଯାହାର ପ୍ରଭାବ ମଧ୍ୟ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି। ଓଡ଼ିଶାର ଅଧିକାଂଶ ପିଲାଙ୍କୁ ଆନ୍ଧ୍ର ସ୍କୁଲରେ ଦେଖିବାକୁ ମିଳୁଛି। ଏମିତି କି ଶିଶୁଟିଏ ଜନ୍ମ ହେବା ମାତ୍ରେ ଆନ୍ଧ୍ର ସରକାର ଘରେ ପହଞ୍ଚି ଯାଉଛନ୍ତି। ପୁଷ୍ଟିକର ଖାଦ୍ୟଠାରୁ ଆରମ୍ଭ କରି ପ୍ରାକ୍‌ ଶିକ୍ଷା ଯୋଗାଇ ଦେବାକୁ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ହଜାର ଟଙ୍କା ଜମା କରୁଛନ୍ତି। ଲୋକେ ଏହି ଲୋଭରେ ପଡି ପିଲାଙ୍କୁ ତେଲୁଗୁ ସ୍କୁଲକୁ ଛାଡୁଥିବା ଦେଖିବାକୁ ମିଳୁଛି। ପିଲାଙ୍କ ଉଚ୍ଚଶିକ୍ଷା, ‌ହଷ୍ଟେଲରେ ରହିବା ବ୍ୟବସ୍ଥା ଆନ୍ଧ୍ର ସରକାର କରୁଛନ୍ତି। ପ୍ରାଥମିକ ଶିକ୍ଷା ସମୟରେ ଖାତା, ବହିଠାରୁ ଆରମ୍ଭ କରି ବିଭିନ୍ନ ପାଠ୍ୟସାମଗ୍ରୀ ଯୋଗାଇ ଦେଉଛନ୍ତି। ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଏହି ସ୍ଥିତି ସଙ୍ଗିନ୍‌। ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କୁ ଆକର୍ଷଣ କରିବାରେ ବିଫଳ ହେଲାଭଳି ମନେ ହେଉଛି।

କୋଟିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗଞ୍ଜେଇପଦର, କୋଟିଆ, ଉପରସେମ୍ବି, ତଳସେମ୍ବି, ଦୋଳିଆମ୍ବ, ମାଡ଼କାର, ଫଗୁଣସିନେରୀ, ଫାଟୁସିନେରୀ, ନେରେଡିବାଲସା, ଧୂଳିପଦର ଓ ରଣାସିଙ୍ଗ ଗ୍ରାମରେ ମୋଟ ୧୩ଟି ବିଦ୍ୟାଳୟ ରହିଛି। ଶିକ୍ଷକ ନିଯୁକ୍ତି ସହ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏ‌ହା ସତ୍ତ୍ବେ ସ୍କୁଲରେ ଛାତ୍ର ଉପସ୍ଥାନ କମ୍‌ ରହୁଛି। ଅନ୍ୟପକ୍ଷରେ ଅର୍ଜୁବାଲସା, ତାଡିବାଲସା, ଧୂଳିପଦର ଓ ଫଗୁଣସିନେରୀ ଗାଁରେ ରହିଥିବା ଆନ୍ଧ୍ରର ସ୍କୁଲରେ ଓଡ଼ିଆ ପିଲାଙ୍କ ସଂଖ୍ୟା ଅଧିକ। ଏହିସବୁ ସ୍କୁଲକୁ ପ୍ରତିଦିନ ଆନ୍ଧ୍ର ଶିକ୍ଷକ ଆସି ପାଠ ପଢ଼ାଉଛନ୍ତି। ଓଡ଼ିଶା ଶିକ୍ଷକ ପାଳିକରି ଯିବା ଆସିବ କରୁଥିବା ବେଳେ ଅନେକ ସମୟରେ ପିଲାଙ୍କ ଅପେକ୍ଷାରେ ମଧ୍ୟ ରହୁଛନ୍ତି।

ସ୍କୁଲରେ ତେଲୁଗୁ ଶିକ୍ଷା ଦିଆନଗଲେ ପିଲାଙ୍କୁ ପଠାଇବୁ ନାହିଁ ବୋଲି ଗାଁ ଲୋକେ ସିଧାସିଧା ଶିକ୍ଷକଙ୍କୁ କହୁଥିବା ଜଣାପଡିଛି। କେତେକ ଗାଁରେ ପିଲାଙ୍କୁ ଓଡ଼ିଆ ସ୍କୁଲକୁ ପଠାଇବାକୁ ଶିକ୍ଷକମାନେ ଅନୁରୋଧ କରିବା ପରେ ପିଲା ୩ଦିନ ଓଡ଼ିଶା ସ୍କୁଲ ଓ ବାକି ୩ଦିନ ଆନ୍ଧ୍ର ସ୍କୁଲକୁ ଯାଉଥିବା ଦେଖିବାକୁ ମିଳୁଛି। ଏପରିସ୍ଥଳେ ସୀମାନ୍ତ ଛାତ୍ରଛାତ୍ରୀ ଅ, ଆ ଛାଡ଼ି ତେଲୁଗୁ ପ୍ରତି ଅଧିକ ଧ୍ୟାନ ଦେଉଥିବା ଜଣାପଡିଛି। ଆନ୍ଧ୍ରର ଲୋଭନୀୟ ଯୋଜନା ଆଗରେ ଓଡ଼ିଶା ସରକାରଙ୍କ ବ୍ୟବସ୍ଥା ଫିକା ପଡ଼ିଛି। ଆନ୍ଧ୍ର ସରକାର ପିଲାଙ୍କ ପାଇଁ ଅଣ୍ଡା, ପୋଷାକ, ଜୋତା, ବସ୍ତାନି ସହ ପ୍ରାକ୍‌ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ମାଗଣା ବ୍ୟବସ୍ଥା କରିଛି। ଏହାବ୍ୟତୀତ ଆନ୍ଧ୍ର ସ୍କୁଲରେ ପଢିଲେ ଆଦିବାସୀ ପ୍ରମାଣପତ୍ର ମିଳିବା ବ୍ୟବସ୍ଥା ରହିଛି। ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ସହ ନିଯୁକ୍ତିକୁ ଆନ୍ଧ୍ର ଗୁରୁତ୍ବ ଦେଉଥିବାରୁ ଲୋକେ ସେପଟକୁ ଢଳୁଛନ୍ତି। ଆଗକୁ ଆନ୍ଧ୍ରର ଶିକ୍ଷା ବ୍ୟବସ୍ଥାକୁ ଟକ୍କର ଦେବାଭଳି ବ୍ୟବସ୍ଥା ନହେଲେ ଓଡ଼ିଶା ସ୍କୁଲ ଫାଙ୍କା ପଡ଼ିବା ଆଶଙ୍କା ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।