ନୂଆଦିଲ୍ଲୀ, ୨୫|୦୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ବଡ ସ୍କୋର କରିବାରେ ଲଗାତର ବିଫଳ ହେଉଛନ୍ତି । କୋହଲି ଅଢେଇ ବର୍ଷ ହେବ ଶତକ ଲଗାଇ ନାହାଁନ୍ତି । କିନ୍ତୁ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କୋହଲିଙ୍କ ଉପରେ ପୁରା ଭରସା ରଖିଛନ୍ତି ।
କୋହଲି ନିକଟରେ ଏକ ମାସର ବ୍ରେକ୍ ନେଇଥିଲେ । ଫଳରେ ସେ ବଡ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି । ଏହାସହ ପୁରୁଣା ଲୟ ହାସଲ କରିପାରନ୍ତି । ସେ ବିଶ୍ରାମ ନେବା ପରେ ସିଧାସଳଖ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ମ୍ୟାଚ୍ ଖେଳିବେ । କୋହଲି ଏହି ମ୍ୟାଚରେ ଅର୍ଦ୍ଧଶତକ ଲଗାଇବେ ବୋଲି ଶାସ୍ତ୍ରୀ କହିଛନ୍ତି ।
ରବି ଶାସ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ତିନି ବର୍ଷର ଧରି ସବୁଠୁ ଅଧିକ ମ୍ୟାଚ୍ ଖେଳିଛନ୍ତି କୋହଲି । ଯାହା ଅନ୍ୟ ଟପ୍ ବ୍ୟାଟରଙ୍କ ତୁଳନାରେ ଅଧିକ । ଏହା ତାଙ୍କୁ ଖୁବ୍ ଚକିତ କରିଛି । କ୍ୟାପ୍ଟେନ୍ ଭାବେ ଏତେ ମ୍ୟାଚ୍ ଖେଳିବା ଭିନ୍ନ କଥା । ତେଣୁ ତାଙ୍କୁ ବ୍ରେକ୍ ନେବାକୁ ପଡିଲା ।
ସେ ଆହୁରି କହିଛନ୍ତି ଯେ, କୋହିଲଙ୍କଠୁ ଅଧିକ କେଉଁ ଭାରତୀୟ କ୍ରିକେଟର ଫିଟ୍ ନୁହଁନ୍ତି । ତାଙ୍କ ଭଳି କେହି ପରିଶ୍ରମ କରୁନାହାଁନ୍ତି । ସେ ନିଜ ବୟସ ଅନୁସାରେ ଖୁବ୍ ଫିଟ୍ ଅଛନ୍ତି । ସେ ଜଣେ ମେସିନ୍ । ସେ ନିଜ ବ୍ରେନ୍ ଠିକ୍ କରିଦେଲେ ଏକ ଭଲ ମ୍ୟାଚ୍ ଖେଳିପାରିବେ । ଏଭଳି ଖେଳାଳି ଗୋଟିଏ କିମ୍ବା ଦୁଇଟି ପାଳିରେ ଭଲ ଖେଳିଲେ ଆଗକୁ ସବୁ ଭଲ ହୁଏ । ଭଲ ପ୍ରଦର୍ଶନ କଲେ ମାନସିକ ସ୍ଥିତି ଫେରିଆସେ । ତାଙ୍କଠି ଭୋକ ଓ ଜୋଶ୍ କମ୍ ନାହିଁ । କୋହଲି ଏସିଆ କପର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ଲଗାଇଲେ ଲୋକଙ୍କ ମୁହଁ ବନ୍ଦ ହୋଇଯିବ । ଯାହା ହୋଇସାରିଛି ତାହା କେବଳ ଇତିହାସ । ଲୋକଙ୍କ ମନେରଖିବା ଶକ୍ତି ବହୁତ କମ୍ ବୋଲି ସେ କହିଛନ୍ତି ।