ଖେଳ ଦେଶ ବିଦେଶ

କୋହଲି, ବଟଲର ବିସ୍ଫୋରଣ: ଭାରତ ୮ ୱିକେଟ୍‌ରେ ହାରିଲା, ଇଂଲଣ୍ଡ ୨-୧ରେ ଆଗୁଆ

ଅହମଦାବାଦ: ସାହସିକ କ୍ରିକେଟ୍ ଖେଳି ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଅତି ସହଜରେ ଜିତି ନେଇଥିବା ଭାରତ ମାତ୍ର ଦିନକ ପରେ ଦୟନୀୟ ପ୍ରଦର୍ଶନ କରିଛି। ଟିମ୍ ଇଣ୍ଡିଆ ପ୍ରଥମ ଭଳି ତୃତୀୟ ଟ୍ବେଣ୍ଟି-୨୦କୁ ୮ ୱିକେଟ୍‌ରେ ହାରିଯାଇଛି। ଫଳରେ ପାଞ୍ଚ ଟିକିଆ ଶୃଙ୍ଖଳାରେ ପ୍ରତିପକ୍ଷ ଇଂଲଣ୍ଡ ୨-୧ରେ ଆଗୁଆ ହୋଇଛି। ଟସ୍ ଜିତିବା ସହ ମ୍ୟାଚ୍‌କୁ ମଧ୍ୟ ଏକ ତରଫା ଭାବେ ଜିତି ନେଇଛି ଏହି ଦଳ। ଭାରତ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଇଅନ ମୋର୍ଗାନଙ୍କ ଭ୍ରମଣକାରୀ ଇଂଲଣ୍ଡ ଏହାକୁ ୧୦ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଛି। ଇଂଲଣ୍ଡ ପାଳିରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଜୋସ୍ ବଟଲର (୮୩* ରନ୍, ୫୨ ବଲ୍, ୫ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଶୃଙ୍ଖଳାର ପ୍ରଥମ ତିନିଟି ମୁକାବିଲାରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍‌ କେଏଲ୍ ରାହୁଲଙ୍କ ୧,୦,୦ର ବ୍ୟାଟିଂ ଚିତ୍ର ଅଧିକ ଚର୍ଚ୍ଚାରେ ରହିଥିଲା ଆଜି।

ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦୁଇଟି ମ୍ୟାଚ୍‌ର ବିଶ୍ରାମ ପରେ ଫେରିଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମା (୧୫) ବି ବିଫଳ ହୋଇଥିଲେ। ପଦାର୍ପଣରେ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ଅର୍ଜନ କରି ରାତାରାତି ତାରକା ପାଲଟିଥିବା ଈଶାନ୍‌ କିଶନ୍‌ ୪ ରନ୍ ଆଗକୁ ବଢ଼ି ପାରି ନଥିଲେ। ଫଳରେ ୨୪ ରନ୍‌ରେ ୩ ୱିକେଟ୍ ହରାଇ‌ ଘୋର ସଙ୍କଟରେ ପଡ଼ିଥିବା ଟିମ୍ ଇଣ୍ଡିଆକୁ ପୁଣି ଥରେ ସାହା ହୋଇଥିଲେ ଅଧିନାୟକ ବିରାଟ କୋହଲି। ଏକାଧିକ ଦର୍ଶନୀୟ ଓ ଅଭିନବ ସଟ୍ ଖେଳି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୨୭ତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ ସେ।

ଆଉ ତାଙ୍କ ୪୬ ବଲ୍ ୭୭* ରନ୍ (୮ ଚୌକା, ୪ ଛକା) ପାଳି ବଳରେ ହିଁ ଦେଢ଼ ଶହ ରନ୍ ପାରି କରିଥିଲା ଭାରତ। ଋଷଭ ପନ୍ତ ଓ ହାର୍ଦିକ ପାଣ୍ଡ୍ୟା ଯଥାକ୍ରମେ ୨୫ ଓ ୧୭ ରନ୍‌ର ପାଳି ଖେଳିଥିଲେ। ସେପଟେ ବହୁ ଦକ୍ଷ ବ୍ୟାଟ୍ସମ୍ୟାନ୍‌ ରଖିଥିବା ଇଂଲଣ୍ଡ ପାଇଁ ଭାରତ ଦେଇଥିବା ଲକ୍ଷ୍ୟକୁ ହାସଲ କରିବା ଆଦୌ କଷ୍ଟକର ହୋଇ ନଥିଲା। ଜାସନ ରୟ(୯)ଙ୍କୁ ୟୁଝବେନ୍ଦ୍ର ଚହଲ ଚତୁର୍ଥ ଓଭରରେ ପ୍ୟାଭିଲିୟନ ଫେରାଇ ଯେଉଁ ଆଶା ସୃଷ୍ଟି କରିଥିଲେ, ତାହା ବଟଲରଙ୍କ ବଡ଼ ବଡ଼ ଚୌକା ଓ ସୀମା ରେଖା ଆଡ଼କୁ ଗୁଳି ଭଳିଆ ଯାଇଥିବା ଚୌକା ବର୍ଷାରେ ଉଭେଇ ଯାଇଥିଲା। ସେ ଓ ଜନି ବେୟାରଷ୍ଟୋ‌ (୪୦* ରନ୍, ୨୮ ବଲ୍, ୫ ଚୌକା) ଭାରତୀୟ ବୋଲରଙ୍କୁ ଘନ ଘନ ଆକ୍ରମଣ କରି ୧୮.୨ ଓଭରରେ ନିଜ ଦଳକୁ ବିଜୟୀ କରାଇଥିଲେ। ଭାରତ ବିପକ୍ଷରେ ବଟଲର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ଏବଂ ଅଧିନାୟକ ମୋର୍ଗାନ୍ ନିଜ ଶତକୀୟ ଟି-୨୦ ମ୍ୟାଚ୍‌କୁ ସ୍ମରଣୀୟ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ