ଖେଳ ଦେଶ ବିଦେଶ

କୋହଲିଙ୍କ ପାଇଁ କଠିନ ପରୀକ୍ଷା‌: ଏଲିମିନେଟର୍‌ରେ ଆଜି କେକେଆର୍‌-ଆର୍‌ସିବି ସ୍ବପ୍ନ ସାକାର କରିବାର ଶେଷ ସୁଯୋଗ ହୋଇପାରେ

ସାରଜା: ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଭେଟିବ। ଏହି ମ୍ୟାଚ୍‌ରେ କୋହଲିଙ୍କ ରଣନୀତି ଦକ୍ଷତା ଏବଂ ଇଅନ ମୋର୍ଗାନଙ୍କ ବରଫ ଭଳି ଥଣ୍ଡା ମିଜାଜର ମହାପରୀକ୍ଷା ହେବ। ଦଳଗତ ଭାବେ ଆର୍‌ସିବି ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ବ ରହିବ। କାରଣ ଆସନ୍ତାକାଲି ପରାଜିତ ହେଲେ ସ୍ବପ୍ନର ଟ୍ରଫି ତୋଳି ଧରିବାର ଆଉ ଏକ ସୁଯୋଗ ଏହି ଦଳ ହାତଛଡ଼ା କରିବ। ଅଧିନାୟକ ଭାବେ କୋହଲିଙ୍କ ପାଇଁ ଏହି ମ୍ୟାଚ୍‌ ମଧ୍ୟ ଅନେକ ଆହ୍ବାନ ନେଇ ଆସିବ। କାରଣ ଚଳିତ ଋତୁ ପରେ ଆର୍‌ସିବି ଅଧିନାୟକ ପଦ ଛା‌ଡ଼ିଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ସେ। ସେଥିପାଇଁ ସୋମବାର ନଜିତିଲେ ଦୀର୍ଘ ବର୍ଷ ଭିତରେ ଆର୍‌ସିବିକୁ ଥରେ ମାତ୍ର ଆଇପିଏଲ୍‌ ବିଜୟୀ କରାଇବାର କୋହଲିଙ୍କ ବ୍ୟକ୍ତିଗତ ସ୍ବପ୍ନ ଅପୂରଣୀୟ ହୋଇ ରହିଯିବ। କୋହଲିଙ୍କ ନେତୃତ୍ବରେ ଆର୍‌ସିବି ୨୦୧୬ ମସିହାରେ ଫାଇନାଲ୍ ଖେଳିଥିଲା।

ଏହା ପରେ ୨୦୧୫ ଓ ୨୦୨୦ରେ ଦୁଇ ଥର ପ୍ଲେ ଅଫ୍ ଖେଳିଥିଲେ ମଧ୍ୟ କେବେ ବି ବିଜୟୀ ହୋଇପାରିନି। ଇଂଲିସ୍ ତାରକା ମୋର୍ଗାନ କିନ୍ତୁ ‌କେକେଆର୍‌ର ହୃତ ଗୌରବ ଫେରାଣ ଆଣିବାକୁ ପ୍ରଚେଷ୍ଟାରେ ରହିବେ। ଗୌତମ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍‌ ୨୦୧୨ରୁ ୨୦୧୪ ତିନିବର୍ଷର ସମୟ ମଧ୍ୟରେ ଦୁଇ ଥର ବିଜେତା ହୋଇଥିଲା। କାଗଜକଲମରେ ଦୁଇଟି ସମଶକ୍ତି ସଂପନ୍ନ ଦଳ ମଧ୍ୟରେ ଏହି ଲଢ଼େଇ ହେବ। ତେବେ ପରିସଂଖ୍ୟାନ ଦୃଷ୍ଟିରୁ କୋଲକାତା ସାମାନ୍ୟ ଆଗରେ ରହିବ। କାରଣ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୨୮ ମ୍ୟାଚ୍‌ରୁ କେକେଆର୍‌ ୧୫ ମ୍ୟାଚ୍ ଜିତିଛି। ସେହିଭଳି ଚଳିତ ଋତୁରେ ନାଟକୀୟ ପ୍ରତ୍ୟାବର୍ତ୍ତନ କରି କେକେଆର୍‌ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ବିଶେଷ କରି ୟୁଏଇ ପର୍ଯ୍ୟାୟର ୭ରୁ ୫ ମ୍ୟାଚ୍ ଜିତି ଚତୁର୍ଥ ସ୍ଥାନ ଦଳ ଭାବେ ଏଲିମିନଟେର ଖେଳିବା ଟିକେଟ ପାଇଛି। ଶେଷ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୮୬ ରନ୍‌ରେ ପରାସ୍ତ କରି ୧୪ ପଏଣ୍ଟ ସହ କେକେଆର୍‌ ଏହି ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନେଇଥିଲା। ସେପଟେ ଆର୍‌ସିବି ତାର ‌ଶେଷ ଲିଗ୍‌ ମ୍ୟାଚ୍‌ରେ ‌ଟେବୁଲ ଟପର ଦିଲ୍ଲୀ କ୍ୟାପିଟାଲ୍ସକୁ ଶ୍ରୀକର ଭରତଙ୍କ ଶେଷ ବଲ୍ ବିଶାଳ ଛକା ବଳରେ ହରାଇ ତୃତୀୟ ସ୍ଥାନ‌ରେ ଲିଗ୍ ଅଭିଯାନ ଶେଷ କରିଥିଲା। ୭ ୱିକେଟ୍‌ର ଏହି ରୋମାଞ୍ଚକ ବିଜୟ ପରେ ଆର୍‌ସିବି ଆତ୍ମବିଶ୍ବାସ ଏବେ ଆକାଶଛୁଆଁ ରହିଛି।

ସ୍ବପ୍ନ ସାକାର କରିବାର ଶେଷ ସୁଯୋଗ ହୋଇପାରେ
ଉଭୟ କୋହଲି ଏବଂ ମୋର୍ଗାନଙ୍କ ପାଖରେ ଉଚ୍ଚଗୁଣମାନର ଦଳ ରହିଛି। ସୋମବାର କିନ୍ତୁ ଦୁଇଜଣ ଯାକଙ୍କ ପାଇଁ ନିଜ ନିଜ ସ୍ବପ୍ନ ପୂରଣ କରିବାର ଶେଷ ସୁଯୋଗ ‌ହୋଇପାରେ। କାରଣ ହାରିଲେ ସେମାନଙ୍କ ଦଳ ବିଦାୟ ନେବ। ଅଧିନାୟକ ଭାବେ ମଧ୍ୟ କୋହଲି ଓ ମୋର୍ଗାନ ଆଗା‌ମୀ ଋତୁ ଖେଳୁଥିବାର ଦେଖାଯାଇନପାରନ୍ତି। କୋହଲି ବାହିନୀର ବ୍ୟାଟିଂକ୍ରମରେ ଦେବଦତ୍ତ ପଡ଼ିକଲ, ଏବି ଡିଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍, ଶ୍ରୀକାର ଭରତଙ୍କ ଭଳି ବ୍ୟାଟର୍‌ ଅଛନ୍ତି। ବ୍ୟକ୍ତିଗତ ଭାବେ କୋହଲିଙ୍କୁ କିନ୍ତୁ ନିଜ ଖେଳର ସ୍ତର ବଢ଼ାଇବାକୁ ହେବ। ବୋଲିଂରେ ହର୍ଷଲ ପଟେଲ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ୧୪ ମ୍ୟାଚ୍‌ରୁ ସେ ୩୦ ୱିକେଟ୍ ଅକ୍ତିଆର କରିସାରିଛନ୍ତି। ଅଲରାଉଣ୍ଡର ଡାନ୍ କ୍ରିଷ୍ଟିଆନ୍, ମହମ୍ମଦ ସିରାଜ, ଜର୍ଜ ଗର୍ଟନ, ୟୁଜବେନ୍ଦ୍ର ଚହଲ ମ୍ୟାଚ୍‌ର ମୋଡ଼ ବଦଳାଇବାକୁ ପୂରା ସକ୍ଷମ। କୋଲକାତା ଯୁବ ତାରକା ଶୁବମନ ଗିଲ୍, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଭେଙ୍କଟେଶ ଆୟରଙ୍କ ବଳରେ ବଳିୟାନ। ମୋର୍ଗାନଙ୍କ ମଧ୍ୟ କୋହଲିଙ୍କ ଭଳି ନିଜ ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଫେରିଲେ କେକେଆର୍‌ ଶକ୍ତି ନିଶ୍ଚିତ ବଢ଼ିବ।

ସମ୍ଭାବ୍ୟ ଆର୍‌ସିବି: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ଶ୍ରୀକର ଭରତ, ଏବି ଡିଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍, ଡାନ୍ କ୍ରିଷ୍ଟିଆନ୍, ଶାହାବାଜ ଅହମ୍ମଦ, ଜର୍ଜ ଗର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ କେକେଆର୍‌: ଶୁବମନ ଗିଲ୍, ଭେଙ୍କଟେଶ ଆୟର, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ଇଅନ ମୋର୍ଗାନ (ଅଧିନାୟକ), ସକିବ-ଅଲ୍-ହାସନ, ସୁନିଲ ନରିନ, ଲୋକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ଶିଭମ ମାଭି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ