ଭୁବନେଶ୍ୱର,୧୦/୦୪: ରାଜ୍ୟରେ କରୋନା ମାମଲା ବଡିବାରେ ଲାଗିଛି । ଗତ ୨ ଦିନରେ ୨୦୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ତରଫରୁ ସାମାଜିକ ଦୂରତା ପାଳନ କରିବା ଓ ମାସ୍କ କଡାକଡି କରାଯାଇଛି । କିନ୍ତୁ କିଛି ଅମାନିଆ ଏହାକୁ ମାନୁ ନାହାଁନ୍ତି । ଏହି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି । ଗତ ୨୪ ଘଣ୍ଟାରେ ପୋଲିସ ୧୨୧୪୫ ଜଣ ଅମାନିଆଙ୍କୁ ଘରିଛି ।
ଓଡିଶା ପୋଲିସର ଟ୍ୱିଟ୍ ଅନୁସାରେ, ଗତ ୨୪ ଘଣ୍ଟାରେ କରୋନା ଗାଇଡଲାଇନ୍ ପାଳନ କରୁନଥିବାରୁ ୧୨୧୪୫ ଜଣଙ୍କୁ ଜରିମନା ଲାଗିଛି । ସେମାନଙ୍କଠାରୁ ୩୮୯୮୨୫୦ ଟଙ୍କା ଆଦାୟ କରାଯାଇଛି । ଉଲଙ୍ଘନକାରୀମାନେ ମାସ୍କ ପିନ୍ଧି ନଥିଲେ ଏବଂ ସାମାଜିକ ଦୂରତା ପାଳନ କରୁନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
କେବଳ କଟକ ସହରରେ ୫୫୮ ଜଣଙ୍କୁ ମାସ୍କ ନପିନ୍ଧିବା ଏବଂ ୪୫୮ ଜଣଙ୍କୁ ସାମାଜିକ ଦୂରତା ପାଳନ ନକରିବାକୁ ଜରିମନା ଲାଗିଛି ।
ସୂଚନାଯୋଗ୍ୟ, ଗତ ୩ ଦିନ ପକ୍ଷରେ ପୋଲିସ ୩୩୩୪୬ ଜଣ ଅମାନିଆଙ୍କୁ ଧରିଛି । ସେମାନଙ୍କଠାରୁ ୯୦ ଲକ୍ଷ ୬୭ ହଜାର ୬୦୦ ଟଙ୍କା ଆଦାୟ କରାଯାଇଛି ।