ରାଜ୍ୟ

କେନ୍ଦ୍ର ନିର୍ଦ୍ଦେଶକୁ ବେଖାତିରରୁ ଆସ୍‌ପଣ୍ଡ ବିଭ୍ରାଟ: ଓପିଜିସି ବିଦ୍ୟୁତ୍‌ ଉତ୍ପାଦନ ୫୦% କମିଲା

ଭୁବନେଶ୍ବର: ଚଳିତ ଡିସେମ୍ବର ୯ରେ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସିର ବନହରପାଲିସ୍ଥିତ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ପାଉଁଶ ପୋଖରୀ (ଆସ୍‌ପଣ୍ଡ୍)ବନ୍ଧ ଭୁଶୁଡ଼ି ପଡ଼ିଲା। ଏହାଦ୍ବାରା ବ୍ୟାପକ ଚାଷ ଜମିକୁ କ୍ଷତିଗ୍ରସ୍ତ ହୋଇଛି। ହେଲେ ଏହି ଘଟଣାର ସିଧା ପ୍ରଭାବ ପଡ଼ିଛି ବିଦ୍ୟୁତ୍‌ କ୍ଷେତ୍ର ଉପରେ। ଏହି ସରକାରୀ ସଂସ୍ଥାର ହାରାହାରି ବିଦ୍ୟୁତ୍‌ ଉତ୍ପାଦନ ୧୫୦୦ ମେଗାୱାଟ୍‌ରୁ ୭୫୦ ମେଗାୱାଟ୍‌କୁ ଅର୍ଥାତ୍ ୫୦% ହ୍ରାସ ପାଇଥିବା ନେଇ ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି। ଆହୁରି ସରଳ ଭାବେ କହିଲେ, ଓପିଜିସିର ଦୈନିକ ବିଦ୍ୟୁତ୍‌ ଉତ୍ପାଦନ ୩୬ ନିୟୁତ ୟୁନିଟ୍ ବଦଳରେ ମାତ୍ର ୧୮ ନିୟୁତ ୟୁନିଟ୍‌େର ସୀମିତ ରହିଛି। ତେଣୁ ଚାହିଦା ଭରଣା ପାଇଁ ଯାଇ ଗ୍ରିଡ୍‌କୋ ଗତ ୧୫ ଦିନରେ ୟୁନିଟ୍ ପିଛା ୨ ଟଙ୍କା ଅଧିକ ଦରରେ ଏନ୍‌ଟିପିସିଠାରୁ ୨୭୧ ନିୟୁତ ୟୁନିଟ୍ ବିଦ୍ୟୁତ୍‌ କିଣି ୫୪ କୋଟି ଟଙ୍କା କ୍ଷତି ସହିଲାଣି। ଏହା ସିଧାସଳଖ ଉପଭୋକ୍ତାଙ୍କ ମୁଣ୍ଡକୁ ଯିବ।

ଏବେ ରାଜ୍ୟର ହାରାହାରି ବିଦ୍ୟୁତ୍‌ ଚାହିଦା ୩୫୦୦ ମେଗାୱାଟ୍ ରହିଛି। ସେଥିରୁ ୪୩% ଓପିଜିସି ଭରଣା କରିଥାଏ। ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍‌ ଚାହିଦା ୫୫୦୦ ମେଗାୱାଟ୍‌କୁ ଟପିଥାଏ। ଯଦି ଆସ୍‌ପଣ୍ଡ ସମସ୍ୟାର ଦୀର୍ଘ ମିଆଦି ସମାଧାନରେ ଓପିଜିସି ବିଫଳ ହୁଏ, ତେବେ ସର୍ବାଧିକ ଚାହିଦା ଋତୁରେ ବିଦ୍ୟୁତ୍‌ ବିଭ୍ରାଟ ଅସମ୍ଭାଳ ହେବ ବୋଲି ବିଦ୍ୟୁତ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ସେମାନଙ୍କ ମତରେ ସମ୍ଭାବ୍ୟ ପରିସ୍ଥିତିରେ ଓପିଜିସିରୁ ଚୁକ୍ତିଗତ ଶସ୍ତା ବିଦ୍ୟୁତ୍‌ ନପାଇ ଗ୍ରି଼ଡ୍‌କୋ ଚଢ଼ା ଦରରେ ବିଦ୍ୟୁତ୍‌ କିଣିବ ଓ ସେଥିପାଇଁ ଟାରିଫ୍ ବୃଦ୍ଧି ହେବା ସହ ଉପଭୋକ୍ତାଙ୍କ ଠାରୁ ତାହା ଅସୁଲ କରାଯିବ। ରାଜ୍ୟ ଲୋଡ୍ ଡେସ୍‌ପାଚ୍‌ ସେଣ୍ଟର (ଏସ୍ଏଲ୍‌ଡିସି) ରିପୋର୍ଟ ଅନୁସାରେ, ଆସ୍‌ପଣ୍ଡ୍ ବନ୍ଧ ଭୁଶୁଡ଼ିବା ଦିନରୁ ଓପିଜିସିର ୬୬୦x୨=୧୩୨୦ ମେଗାୱାଟ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ୟୁନିଟ୍ ୩ ଓ ୪କୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ସେହି ସମୟରେ ୨୧୦x୨=୪୨୦ ମେଗାୱାଟ୍ କ୍ଷମତାବିଶିଷ୍ଟ ୟୁନିଟ୍ ୧ ଓ ୨ ପ୍ରାୟ ୮୦% କ୍ଷମତାରେ ଚାଲୁ ରହିଥିଲା। ଡିସେମ୍ବର ୧୬ରୁ ୟୁନିଟ୍ ୧ ଓ ୨କୁ ବନ୍ଦ କରାଯାଇ ଏବେ ୟୁନିଟ୍ ୩ ଓ ୪ରୁ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ମୋଟାମୋଟି ଭାବେ କହିଲେ, ଓପିଜିସିରେ ବିଦ୍ୟୁତ୍‌ ଉତ୍ପାଦନ କେବେ ସ୍ବାଭାବିକ ହେବ, ତାହା ଜଣାପଡୁ ନାହିଁ।

୧୫ ଦିନରେ ଗ୍ରିଡ୍‌କୋ କ୍ଷତି ୫୪ କୋଟି
କ୍ଷତି ବୋଝ ବୋହିବେ ଉପଭୋକ୍ତା
ସ୍ଥାୟୀ ସମାଧାନ ନହେଲେ ଅସମ୍ଭାଳ ହେବ

ପ୍ରାପ୍ତ ସୂଚନାନୁସାରେ ୧୯୯୪ରୁ ଉତ୍ପାଦନକ୍ଷମ ପୁରାତନ ୟୁନିଟ୍ ଦ୍ବୟର ୩ଟି ଆସ୍‌ପଣ୍ଡ (ଏ, ବି ଓ ସି) ମଧ୍ୟରୁ ପ୍ରଥମ ଦୁଇଟି ପୂର୍ଣ୍ଣ ଥିବାରୁ ପ୍ଲାଣ୍ଟ୍‌ରୁ ନିର୍ଗତ ପାଉଁଶ ତୃତୀୟ ଆସ୍‌ପଣ୍ଡ (ସି)କୁ ନିର୍ଗମନ କରାଯାଉଥିଲା। ତେବେ ୨୦୧୯ରୁ ଉତ୍ପାଦନ ଆରମ୍ଭ କରିଥିବା ନୂତନ ୟୁନିଟ୍ ୩ ଓ ୪ରେ ବିଭିନ୍ନ ନିର୍ମାଣ ତ୍ରୁଟି ତଥା ପାଇପ୍ ଲିକ୍ ଯୋଗୁଁ ଏଥିରୁ ନିର୍ଗତ ପାଉଁଶ ପ୍ରାୟ ୧୫ କିମି ଦୂର ତିଲିଆରେ ନିର୍ମିତ ଆସ୍‌ପଣ୍ଡକୁ ଯିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ତେଣୁ ପୁରାତନ ୟୁନିଟ୍ ଦ୍ବୟ ପାଇଁ ଉଦ୍ଦିଷ୍ଟ ପଣ୍ଡ୍ ସି’ରେ ୟୁନିଟ୍ ୩ ଓ ୪ର ପାଉଁଶ ସ୍ରୋତ ନିର୍ଗମନ ନିମନ୍ତେ କର୍ତ୍ତୃପକ୍ଷ କାମଚଳା ନିଷ୍ପତ୍ତି ନେଇଥିଲେ। ଦୀର୍ଘଦିନ ଧରି ଏହି ବିକଳ୍ପ ବ୍ୟବସ୍ଥା ଜାରି ରହିଥିଲେ ମଧ୍ୟ ସେ କ୍ଷେତ୍ରରେ ସ୍ଥାୟୀ ସମାଧାନ କରାନଯିବାରୁ ଶେଷରେ ଅତିରିକ୍ତ ଚାପ ଯୋଗୁଁ ପଣ୍ଡ୍ ସି’ ବନ୍ଧରେ ବିରାଟ ଘାଇହେଲା। ପରିଣାମ ହେଲା, ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ସରଧାପାଲି ଗ୍ରାମର ଶତାଧିକ ଏକର ଚାଷ ଜମିକୁ ମାଡ଼ିଯାଇଥିଲା। ଏବଂ ଅଦିନିଆ ବର୍ଷା ଯୋଗୁଁ ପଣ୍ଡ ସି’ ବନ୍ଧ ଭୁଶୁଡ଼ିଲା ବୋଲି କର୍ତ୍ତୃପକ୍ଷଙ୍କ ସଫେଇ ବୈଷୟିକ ଦୃଷ୍ଟିରୁ ଗ୍ରହଣୀୟ ହୋଇନପାରେ।

ସୂଚନାଯୋଗ୍ୟ, ଆମେରିକୀୟ କମ୍ପାନି ଏଇଏସ୍ ଓପିଜିସିର ୪୯% ଅଂଶଧନ କିଣି ଏହାର ଦୈନନ୍ଦିନ ପରିଚାଳନା ଦାୟିତ୍ବ ହାତକୁ ନେବା ପରେ ସଂସ୍ଥାରେ ପରିଚଳନାଗତ ବିଭ୍ରାଟ ଆରମ୍ଭ ହୋଇଥିଲା। ଇବ୍ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ସଫଳତାର ସହ ପରିଚାଳନା କରିଆସୁଥିବା କର୍ମଚାରୀ ଓ ଅଫିସରଙ୍କୁ କୋଣଠେସା କରି କମ୍ପାନି ବଜାରଭିତ୍ତିକ ବେତନରେ ପରିଚାଳନା ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବାରୁ ଗୁରୁତର ଅସଙ୍ଗତି ସୃଷ୍ଟି ହୋଇଥିଲା। ଏହା ସହିତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏଇଏସ୍ ତତ୍ତ୍ବାବଧାନରେ ସ୍ଥାପିତ ୟୁନିଟ୍ ୩ ଓ ୪ରେ ନିର୍ମାଣଜନିତ ତ୍ରୁଟି ଯୋଗୁଁ ବ୍ୟୟସାପେକ୍ଷ ମରାମତି ବୋଝ ଦେଇ ଏଇଏସ୍ ନିଜ ଅଂଶଧନ ପ୍ରତ୍ୟାହାର କରି ଓହରିଯିବା ପରେ ମଧ୍ୟ ରାଜ୍ୟ ସରକାର ଏହାର ପରିଚାଳନାକୁ ଦକ୍ଷ କରିପାରିଲେ ନାହିଁ। ଓଲଟା ପରିଚାଳନା ନିର୍ଦ୍ଦେଶକ ପଦରେ ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଇ ଅଚିନ୍ତା ରହିଥିଲେ। ଇତିମଧ୍ୟରେ ପରିଚାଳନା ନିର୍ଦ୍ଦେଶକ ଇସ୍ତଫା ଦେଇଥିବା ବେଳେ ଅର୍ଥ ନିର୍ଦ୍ଦେଶକ ପଦ ଖାଲିପଡ଼ିଛି। ତେଣୁ ଓପିଜିସି ପରିଚାଳନାକୁ ଦକ୍ଷ କରିବା ଦିଗରେ ସରକାର କେତେ ତତ୍ପର, ଏଥିରୁ ଅନୁମାନ କରାଯାଇପାରେ।

ଅପରପକ୍ଷରେ କୋଇଲାଭିତ୍ତିକ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରୁ ନିର୍ଗତ ପାଉଁଶ ଗୁରୁତର ପରିବେଶ ଜନିତ ସମସ୍ୟା ସୃଷ୍ଟି କରୁଥିବାରୁ ଏହାର ଶତ ପ୍ରତିଶତ ଉପଯୋଗ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ କହିଥିଲେ। କେନ୍ଦ୍ର ଦ୍ବାରା ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ ନିର୍ଗତ ପାଉଁଶକୁ ସିମେଣ୍ଟ କାରଖାନାରେ, ଖଣି ଯୋଗୁଁ ସୃଷ୍ଟି ହୋଇଥିବା ଗର୍ତ୍ତ ପୂରଣରେ ଓ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯିବ। ଏପରିକି ସମ୍ପୃକ୍ତ ବ୍ୟବହାରକାରୀଙ୍କୁ ମାଗଣାରେ ପାଉଁଶ ଯୋଗାଇବା ସହ ପରିବହନ ଖର୍ଚ୍ଚ ଟନ୍ ପିଛା ୧୫୦ ଟଙ୍କା ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ବହନ କରିବେ ବୋଲି ନିର୍ଦ୍ଦେଶ ଥିଲା। ଏହି ନିର୍ଦ୍ଦେଶନାମା ପାଳନ କରିବାକୁ ଓପିଜିସି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗରେ ସତ୍ୟପାଠ ମଧ୍ୟ ଦାଖଲ କରିଥିଲା। ମାତ୍ର ଓପିଜିସି ତାହାକୁ ଠିକଣା ଭାବେ କାର୍ଯ୍ୟକାରୀ କରି ନଥିଲା। ଫଳରେ ୨୦୨୨-୨୩ରେ ୟୁନିଟ୍ ୧ ଓ ୨ରୁ ନିର୍ଗତ ୧୧ ଲକ୍ଷ ୫୦ ହଜାର ୩୫୩ ଟନ୍ ପାଉଁଶରୁ ମାତ୍ର ୪ ଲକ୍ଷ ୬୪ ହଜାର ୮୪୯ ଟନ୍ (୪୦.୪୧%) ଉପଯୋଗ କରିଥିଲା। ସେହିପରି ୟୁନିଟ୍ ୩ ଓ ୪ରୁ ନିର୍ଗତ ୨୮ ଲକ୍ଷ ୨୩ ହଜାର ୭୨୪ ଟନ୍ ପାଉଁଶରୁ ମାତ୍ର ୬ ଲକ୍ଷ ୫୭ ହଜାର ୫୦୬ ଟନ୍ (୨୩.୨୯%) ଉପଯୋଗ କରିବାକୁ ସକ୍ଷମ ହୋଇଛି। ଗୋଟିଏ ଧାଡ଼ିରେ କହିଲେ, ପ୍ଲାଣ୍ଟ୍‌ରୁ ନିର୍ଗତ ପାଉଁଶ ପରିଚାଳନାରେ ବିଫଳ ଓପିଜିସି ପରୋକ୍ଷରେ ଆସ୍‌ପଣ୍ଡ୍‌ ବିଭ୍ରାଟ ଭଳି ବିପଦକୁ ଆମନ୍ତ୍ରଣ କରୁନାହିଁ କି?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।