କଟକ : ରାଜ୍ୟରେ କାଡାଭରିକ୍ ପ୍ରତିରୋପଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି। ଏପର୍ଯ୍ୟନ୍ତ ଯେତିକି ବି ପ୍ରତିରୋପଣ ହୋଇଛି, ସବୁ ‘ମସ୍ତିଷ୍କମୃତ’ ଘୋଷିତ ବ୍ୟକ୍ତିଙ୍କ ଅଙ୍ଗ ଘରୋଇ ହସ୍ପିଟାଲରୁ ହିଁ ଆସିଛି। ସେମାନଙ୍କ ଅଙ୍ଗକୁ କଢ଼ାଯାଇ ଏସ୍ସିବି, ଆପୋଲୋ ଓ ଆମ୍ରିରେ ପ୍ରତିରୋପଣ କରାଯାଉଛି। କିନ୍ତୁ, ଆଜି ପର୍ଯ୍ୟନ୍ତ ରାଜ୍ୟର ସବର୍ବୃହତ୍ ସରକାରୀ ରେଫରାଲ୍ ହସ୍ପିଟାଲ ଭାବେ ପରିଚିତ କଟକ ବଡ଼ଡାକ୍ତରଖାନାରେ ତାହା ସମ୍ଭବ ନ ହେବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
କଟକ ବଡ଼ ମେଡିକାଲକୁ ସବୁଠୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ମୃତ୍ୟୁବରଣ ବି କରୁଛନ୍ତି। କିନ୍ତୁ, ଆଜି ପର୍ଯ୍ୟନ୍ତ ମସ୍ତିଷ୍କ ମୃତ ରୋଗୀଭାବେ ଜଣେ ହେଲେ ବି ଚିହ୍ନଟ ହୋଇପାରି ନାହାନ୍ତି। କେବଳ ଏସ୍ସିବି ନୁହେଁ, ରାଜ୍ୟର କୌଣସି ମେଡିକାଲ କଲେଜରୁ ଆଜିପର୍ଯ୍ୟନ୍ତ ମସ୍ତିଷ୍କ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଅଙ୍ଗ ଅନ୍ୟ ରୋଗୀ ଶରୀରରେ ବ୍ୟବହାର ହୋଇପାରିନି। ମସ୍ତିଷ୍କ ମୃତ ଘୋଷଣା ପାଇଁ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରାଯାଇଛି। କିନ୍ତୁ, ସେଭଳି ମୃତ୍ୟୁ କଣ ଏସ୍ସିବି ଅଥବା ଅନ୍ୟ ସରକାରୀ ହସ୍ପିଟାଲରେ ଘଟୁ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି।
ରାଜ୍ୟରେ ୨୦୨୦ ଫେବ୍ରୁଆରିରେ ପ୍ରଥମ କାଡାଭରିକ୍ ପ୍ରତିରୋପଣ ହୋଇଥିଲା। ଆଜି ସୁଦ୍ଧା ୫ଜଣ ମସ୍ତିଷ୍କ ମୃତ ରୋଗୀ ଘୋଷଣା କରାଯାଇ ସେମାନଙ୍କ ଅଙ୍ଗ (କେବଳ କିଡ୍ନି)କୁ ବ୍ୟବହାର କରାଯାଇ ୧୦ଜଣ ରୋଗୀ ନୂଆ ଜୀବନ ପାଇଛନ୍ତି। ଯେଉଁ ୧୦ଜଣ ନୂଆ ଜୀବନ ପାଇଛନ୍ତି, ସେଥିରୁ ଏସ୍ସିବିରେ ସର୍ବାଧିକ ୫ଜଣ, ଆପୋଲୋରେ ୪ଜଣ ଓ ଆମ୍ରିରେ ଜଣେ ରୋଗୀଙ୍କଠାରେ କିଡ୍ନି ପ୍ରତିରୋପଣ କରାଯାଇଛି। ମସ୍ତିଷ୍କ ମୃତ ଘୋଷଣା ପାଇଁ କମିଟି ନିଷ୍ପତ୍ତି ନେବାସହ ଏଥିରେ ପରିବାରବର୍ଗଙ୍କ ସହମତି ପରେ ହିଁ ଅଙ୍ଗଦାନ ସମ୍ଭବ ହୋଇଥାଏ। କିନ୍ତୁ, ଏସସିବିରେ କେଉଁ କାରଣରୁ ଏହା ସମ୍ଭବ ହୋଇପାରୁ ନାହିଁ, ତାହା ଏବେ ବିତର୍କର ପ୍ରସଙ୍ଗ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ କାଡାଭରିକ୍ ପ୍ରତିରୋପଣ ପାଇଁ ଏସ୍ସିବି ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜ ପାଇଁ ଡିଏମ୍ଇଟି ବିଶେଷଜ୍ଞଙ୍କୁ ନେଇ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି। ଏହି କମିଟି ହିଁ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ‘ମସ୍ତିଷ୍କ ମୃତ’ ବୋଲି ଘୋଷଣା କରିବେ। ଏଥିପାଇଁ ନ୍ୟୁରୋଲୋଜି, ନ୍ୟୁରୋସର୍ଜରି, ନିଶ୍ଚେତକ, ମେଡିସିନ୍ ବିଭାଗ ବିଶେଷଜ୍ଞଙ୍କୁ ନେଇ କମିଟି ଏସ୍ସିବି ସମେତ ପ୍ରତି ମେଡିକାଲ କଲେଜରେ ଗଠନ କରାଯାଇଛି। କିନ୍ତୁ, ଆଜି ପର୍ଯ୍ୟନ୍ତ ରାଜ୍ୟର କୌଣସି ମେଡିକାଲ କଲେଜରୁ ଜଣେ ହେଲେ ବି ‘ମସ୍ତିଷ୍କ ମୃତ’ ରୋଗୀ ଚିହ୍ନଟ ହୋଇପାରିନାହାନ୍ତି।