ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ ଗୁରୁବାର ଦିନ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ନାଏକ ୨୦୦୫ ମସିହାରେ ସରକାରୀ ଚାକିରରୁ ସ୍ୱେଚ୍ଛାକୃତ ଅବସର ନେଇ କଂଗ୍ରେସର ଟିକଟରେ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀହୋଇ ପରାଜିତ ହୋଇଥିଲେ। ସେତେବେଳେ ସେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ପରିମାଣ ମୋଟ୍ ୩୫ ଲକ୍ଷ ବୋଲି ଉଲ୍ଲେଖ କରିଥିଲେ। ୨୦୧୪ ମସିହାରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିସମୟରେ ଖଣି ଲିଜ୍ ପାଇଁ ଲାଞ୍ଚ କାରବାର ଅଭିଯୋଗର ଏକ ଷ୍ଟିଙ୍ଗ୍ ଅପରେସନରେ ସେ ଧରାପଡ଼ିଥିଲେ। ଫଳରେ, ୨୦୧୯ ମସିହା ନିର୍ବାଚନରେ ବିଜେଡି ଟିକେଟରୁ ସେ ବଞ୍ଚିତ ହୋଇଥିଲେ। ଗତ ସାଧାରଣ ନିର୍ବାଚନ ବେଳେ ଶ୍ରୀ ନାଏକଙ୍କୁ ବିଜେଡି ଟିକେଟ ଦିଆଯାଇ ନଥିବା ବେଳେ ତାଙ୍କ ସ୍ଥାନରେ କଂଗ୍ରେସରୁ ବିଜେଡି ଆସିଥିବା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କୁ ଦଳ ଟିକେଟ ଦେଇଥିଲା। ନିର୍ବାଚନରେ ଦୁଷ୍ମନ୍ତଙ୍କ ବିରୋଧରେ ସେ ନିର୍ବାଚନୀ ଗୋଟି ଚାଳନା କରିଥିଲେ। ଫଳରେ, ବିରୋଧୀଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାଏକ ଜିତିବା ସହଜ ହୋଇଥିଲା। ଶ୍ରୀ ନାଏକ ଦୀର୍ଘଦିନ ଧରି ବିଜେଡିରେ କୋଣଠେସା ହୋଇରହିବା ପରେ ଶେଷରେ ବିଜେପିରେ ଯୋଗଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ସେହିପରି, ପୂର୍ବରୁ ପୂର୍ବତନ ଲୋକସଭା ସାଂସଦ ଅର୍କ କେଶରୀ ଦେଓ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇସାରିଛନ୍ତି। ଶ୍ରୀ ନାଏକ ଆଜି ବିଜେପି ରେ ଯୋଗ ଦେବାପରେ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି।