ରାଜ୍ୟ ସ୍ପେଶାଲ ରିପୋର୍ଟ

କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ପାଦରେ କ୍ଷତଚିହ୍ନ, ଆତ୍ମହତ୍ୟାକୁ ପରିବାରର ନାକଚ

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ତରାବୋଇସ୍ଥିତ ଏକ ଘରୋଇ କଲେଜ ପରିସରରୁ ଆଜି ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ପୁରୀ ଜିଲ୍ଲାର। ସେ ଉକ୍ତ କଲେଜରେ ଡିପ୍ଲୋମାର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ଓ ହଷ୍ଟେଲରେ ରହୁଥିଲେ। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୁଲିସ ପହଞ୍ଚିବା ପୂର୍ବରୁ ତରବରିଆ ଭାବେ ମୃତଦେହକୁ କଲେଜ କର୍ତ୍ତୃପକ୍ଷ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି ଅଭିଯୋଗ ହେଉଛି। ମୃତଦେହରେ କିଛି ସ୍ଥାନର କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ଆଜି ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ଆସନ୍ତାକାଲି ବ୍ୟବଚ୍ଛେଦ ହେବ। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଛାତ୍ରୀଙ୍କ ପରିବାର ଲୋକ।

ସୂଚନାନୁଯାୟୀ, ଦୀପାବଳି ପାଇଁ ଗତକାଲି କଲେଜ ବନ୍ଦ ଥିବାବେଳେ ମୃତଛାତ୍ରୀ ଅନ୍ୟ ଅନ୍ତେବାସୀଙ୍କ ସହ ହଷ୍ଟେଲରେ ଥିଲେ। ଆଜି ସକାଳେ ସେ ସାଙ୍ଗମାନଙ୍କ ସହ ମିଶି ସକାଳ ଜଳଖିଆ ଖାଇଥିଲେ। ତାଙ୍କ ହାବଭାଗରୁ ସେ କୌଣସି ମାନସିକ ଚାପ କିମ୍ୱା ଚିନ୍ତା ଥିବା ଭଳି ଲାଗୁ ନଥିଲା ବୋଲି ଅନ୍ତେବାସୀମାନେ କହିଛନ୍ତି। ଏପରିକି ଘରଲୋକଙ୍କ ସହ ମଧ୍ୟ ସେ ହ୍ୱାଟସଆପ୍ ମାଧ୍ୟମରେ କଥା ହୋଇଥିଲେ। କଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଦୀର୍ଘ ସମୟ ଧରି ତାଙ୍କ ରୁମ୍‌ରେ କବାଟ କିଳି ରହିଥିଲେ। କବାଟ ନଖୋଲିବାରୁ ତାଙ୍କୁ ବହୁତ ଡକା ଯାଇଥିଲା। କିନ୍ତୁ ସେ ଉତ୍ତର ନଦେବାରୁ କବାଟ ଭାଙ୍ଗିବାପରେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଆବିଷ୍କାର କରା ଯାଇଥିଲା। ତେବେ ଅଭିଯୋଗ ହୋଇଛି ଯେ କଲେଜ କର୍ତୃପକ୍ଷ ଓ କର୍ମଚାରୀମାନେ ପୁଲିସକୁ ଖବର ଦେବା ପରିବର୍ତ୍ତେ ତରବର ହୋଇ ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ତାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିବା ସହ ମୃତଦେହର ଗୋଡ଼ର ପାଦରେ ଏକ ଗଭୀର କ୍ଷତ ଚିହ୍ନ ଓ ବେକରେ ମୋଟାଦାଗ ଦେଖି ସନ୍ଦେହ କରିଥିଲେ। ଏହାରି ମଧ୍ୟରେ କଲେଜ ପକ୍ଷରୁ ଛାତ୍ରୀଙ୍କ ପରିବାରକୁ ଝିଅ ଆତ୍ମହତ୍ୟା କରିଛି ବୋଲି ସୂଚନା ଦିଆଯାଇଥିଲା। ଘଟଣା ସମ୍ପର୍କରେ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। କଲେଜ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିବା ବେଳେ ଥାନାରେ କେସ ନଂ ୪୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ଅନ୍ୟପଟେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକ। ଝିଅ ଆତ୍ମହତ୍ୟା କରିବାର କୌଣସି କାରଣ ନଥିବା ସେମାନେ ଦାବି କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକଗୁଡ଼ିଏ ପ୍ରଶ୍ନ ସାମ୍‌ନାକୁ ଆସୁଥିବା ବେଳେ ସତ ଖୋଜିବାରେ ପୁଲିସର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।