ନୂଆଦିଲ୍ଲୀ: କରୋନାଭାଇରସ୍ ଟିକା ନେବେନାହିଁ ବୋଲି ବ୍ରାଜିଲ୍ର ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋ କହିଛନ୍ତି। କରୋନାଭାଇରସ୍ ଟିକାକରଣ କାର୍ଯ୍ୟକ୍ରମ ପ୍ରତି ସନ୍ଦିହାନ ଥିବା କଥା ସେ ଅନେକ ଥର ବିବୃତିରେ କହିଛନ୍ତି।
ଗୁରୁବାର ଦିନ ଏକାଧିକ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ସିଧା ପ୍ରସାରଣ ହୋଇଥିବା ବିବୃତିରେ ଦକ୍ଷିଣ-ପନ୍ଥୀ ନେତା ବୋଲ୍ସୋନାରୋ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରାଜିଲୀୟମାନେ ଟିକା ନେବା ଆବଶ୍ୟକ ବୋଲି କଂଗ୍ରେସ ସମ୍ଭବତଃ ବିବେଚନା କରୁନାହିଁ।
ଯୁକ୍ତରାଷ୍ଟ୍ର ଆମେରିକା ପରେ କୋଭିଡ୍-୧୯ଜନିତ ମୃତ୍ୟୁ ଘଟଣାରେ ବ୍ରାଜିଲ୍ ହେଉଛି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ଦେଶ। ଜୁଲାଇ ମାସରେ ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବା ରାଷ୍ଟ୍ରପତି ବୋଲ୍ସୋନାରୋ ଏହି ମହାମାରୀର ମାରାତ୍ମକତା ପ୍ରତି ଗୁରତ୍ୱ ଦେଉନାହାନ୍ତି।
ସେ କହିଛନ୍ତି, ମୁଁ ଟିକା ନେବିନାହିଁ ବୋଲି ଆପଣମାନଙ୍କୁ କହୁଛି। ତାହା ମୋ ଇଚ୍ଛାଧୀନ। ମାସ୍କ୍ ପିନ୍ଧିବାର ଫଳପ୍ରଦତା ଉପରେ ମଧ୍ୟ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି। ସଂକ୍ରମଣ ବିସ୍ତାର ରୋକିବାରେ ମାସ୍କ୍ ଫଳପ୍ରଦ ହେଉଥିବାର କୌଣସି ପ୍ରମାଣ ନାହିଁ ବୋଲି ସେ ମତ ଦେଇଛନ୍ତି।
ପ୍ରଚୁର ମାତ୍ରାରେ କରୋନାଭାଇରସ୍ ଟିକା ଉପଲବ୍ଧ ହେଲେ ବି ବ୍ରାଜିଲୀୟମାନଙ୍କୁ ଟିକା ଦେବା ଆବଶ୍ୟକ ହେବନାହିଁ ବୋଲି ସେ ବାରମ୍ବାର କହି ଆସୁଛନ୍ତି। ଅକ୍ଟୋବର ମାସରେ ସେ ଟୁଇଟର୍ରେ ରହସ୍ୟ କରି କହିଥିଲେ, ଟିକାକରଣ କେବଳ ତାଙ୍କ କୁକୁର ନିମନ୍ତେ ଆବଶ୍ୟକ।