ରାଜ୍ୟ ସ୍ପେଶାଲ ରିପୋର୍ଟ

କମୁନି ତାତି, କେମିତି ଖୋଲିବ ସ୍କୁଲ?

ଭୁବନେଶ୍ୱର: ଜୁନ୍‌ ୨୦ ସରିଲା। ମାତ୍ର ତାତି କମିଲାନି। ଆଜି ବି ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ତତଲା ପାଲଟିଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପକାଇଛି। କାଳବୈଶାଖୀ ନାହିଁ କି ବର୍ଷା ହୋଇନି। ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରାକ-ମୌସୁମୀ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ଅଥଚ କେବେ ମୌସୁମୀ ଓଡ଼ିଶା ଛୁଇଁବ ତାହା ଆକଳନ କରିପାରି ନାହିଁ। କେବଳ ଆଶ୍ବାସନା ଦେଉଛି ଖୁବ୍‌ଶୀଘ୍ର ମୌସୁମୀ ଆସୁଛି। ଏମିତି ସ୍ଥିତିରେ ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜିଲ୍ଲାପାଳମାନେ ଗ୍ରୀଷ୍ମ ଛୁଟି ବଢ଼ାଇ ଦେଇଛନ୍ତି। କିଛି ଜିଲ୍ଲାପାଳ ୨୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ କହିଛନ୍ତି।

ତେବେ ଉପକୂଳ ଓଡ଼ିଶାରେ ଗତକାଲି ତୁଳନାରେ ଆଜି ତାପମାତ୍ରା କମିଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ରଥଯାତ୍ରାରେ ପାଗ କୋହଲା ରହିବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ଦେଖିବାକୁ ମିଳିନାହିଁ। ଦିନତମାମ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ରାତି ପାହିଲେ ସ୍କୁଲ ଖୋଲିବ। ମାତ୍ର ଆଜିର ତାତିକୁ ଦେଖି ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛୋଟ ପିଲାଙ୍କୁ କିଭଳି ସ୍କୁଲ ପଠାଇବେ ତାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଏବେ ଚିନ୍ତାରେ। ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପିଲାଙ୍କୁ କିଭଳି ଆଜବେଷ୍ଟସ ଘରେ ବସାଇ ପଢ଼ାଇବେ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ ଯାଏ ସକାଳୁଆ ସ୍କୁଲ କରିବାକୁ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଦାବି କରିଛି। ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଓ ସାଧାରଣ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ କିଛି ଜିଲ୍ଲାକୁ ବାଦ ଦେଇ ୨୧ ତାରିଖରୁ ସମସ୍ତ ଜିଲ୍ଲାରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ଯେତେବେଳେ କି ଏହି ସମୟରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜି ମଧ୍ୟ ଉପକୂଳବର୍ତ୍ତୀ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସକାଳ ୯ଟାରୁ ୩୫ ଡିଗ୍ରି ଉତ୍ତାପ ଅନୁଭବ ହୋଇଛି। ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାର ସ୍କୁଲ ଛୁଟିକୁ ୨୨ ଓ ୨୪ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିବା ବେଳେ କିଛି ଜିଲ୍ଲାରେ ସକାଳୁଆ ସ୍କୁଲ କରିବା ପାଇଁ ନିଷ୍ପତ୍ତି ନିଆଯିବା ସ୍ୱାଗତଯୋଗ୍ୟ। ଏବେ ବି ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହୁଛି। ଗୁଳୁଗୁଳି ହେଉଛି। ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ୍‌ କିମ୍ବା ଏକ ମହଲା ଛାତ ବିଶିଷ୍ଟ। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ୍ ସଂଯୋଗ ସହ ପଙ୍ଖା ସୁବିଧା ନାହିଁ। ତେଣୁ ତାପମାତ୍ରା ହ୍ରାସ ନ ହେବା ପର୍ଯ୍ୟନ୍ତ ସ୍କୁଲ ସମୟକୁ ସକାଳ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ କରାଯାଉ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।