କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଧୀନ କଣ୍ଟାଗାଁ ଜଙ୍ଗଲରୁ ୭୫୦ କେଜି ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ବାହାର ରାଜ୍ୟକୁ ଚାଲାଣ ବେଳେ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏତିକିବେଳେ ୭୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ଘଟଣାସ୍ଥଳରୁ ସବୁ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଥିଲେ।
ଚଳିତ ସପ୍ତାହରେ ମାଲକାନଗିରିରେ ବି ଗଞ୍ଜେଇ ଜବତ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏମଭି-୧୮ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ମଟର ସାଇକେଲରେ ତିନି ଜଣ ଅତି କ୍ଷୀପ୍ର ଗତିରେ ଆସୁଥିବା ପୁଲିସ ଦେଖିବାକୁ ପାଇଥିଲା। ତୁରନ୍ତ ପୁଲିସ ରାସ୍ତାକୁ ଅବରୋଧ କରି ମଟର ସାଇକେଲକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ମଟର ସାଇକେଲ ତିନି ଜଣ ଆରୋହୀଙ୍କ ମଧ୍ୟରୁ ଦୁଇ ଜଣ ପୁଲିସକୁ ଦେଖି ଦୌଡି ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଆଉ ଜଣକୁ ପୁଲିସ କାବୁ କରିପାରିଥିଲା।
Video Player
00:00
00:33
ପରେ ମଟର ସାଇକେଲରେ ଲଦା ହୋଇଥିବା ଜରି ପ୍ୟାକେଟକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଲଦା ହୋଇଥିବା ଜାଣିବାକୁ ପାଇଥିଲା। ପରେ ଏହି ଗଞ୍ଜେଇକୁ ଓଜନ କରାଯିବା ପରେ ଏଥିରେ ୯୦ କିଲୋ ଗଞ୍ଜେଇ ଲଦା ହୋଇଥିବା ଜଣାପଡିଥିଲା। ତୁରନ୍ତ ଆସାମୀକୁ ଗିରଫ କରାଯାଇଥିଲା। ଆସାମୀ ଜଣକ ହେଲେ କୋତ୍ତାପାଲୀ ଗ୍ରାମର ଲକ୍ଷ୍ଣଣ ଖରା(୨୨)। ପୁଲିସ ଲକ୍ଷ୍ଣଣକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ଏହି ଗଞ୍ଜେଇ ମାଲକାନଗିରିରୁ ଛତିଶଗଡ଼କୁ ଚାଲାଣ କରାଯାଉଥିଲା।