କଟକ: କଟକ ବଡ଼ ଡାକ୍ତରଖାନାରେ କିଡନି ପାଇଁ ୧୩ ଲକ୍ଷ ୫୦ ହଜାର ଟଙ୍କାର ମୂଲଚାଲ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୯ ଲକ୍ଷ ୫୦ ହଜାର ଟଙ୍କା ଏଥିପାଇଁ ନେବା ପରେ ବି ଦାତା କିଡ଼ନି ନ ଦେବାରୁ ଏହି ଘଟଣା ସାମନାକୁ ଆସିଛି। ଏହାକୁ ନେଇ ମଙ୍ଗଳାବାଗ ରାଣୀହାଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପୁଲିସ ସେମାନଙ୍କୁ ଥାନାକୁ ନେଇ ଜେରା କରୁଛି। ତେବେ କିଡନି କାରବାରରେ ମୁଖ୍ୟ ସୂତ୍ରଧର ଅନୁଗୁଳର ଦମ୍ପତିଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।
ADVERTISEMENT

javascript:false

Sambad Is Now On WhatsApp
Join And Get Latest News Updates Delivered To You Via WhatsAppJOIN NOW

What Happens At A Cremation? You Will Be Left Speechless
ସୂଚନା ଅନୁଯାୟୀ, କେନ୍ଦୁଝର ଅଞ୍ଚଳର କୁଟୁଲ ମାଝୀଙ୍କ କିଡ଼ନି ସଂକ୍ରମଣ ହୋଇଥିଲା। ଗଲା ଏକ ବର୍ଷ ହେବ ସେ କଟକ ବଡ଼ ଡାକ୍ତରଖାନାକୁ ନିୟମିତ ଆସି ଚିକିତ୍ସିତ ହେଉଥିଲେ। ଏହି ଯିବା ଆସିବା ଭିତରେ ତାଙ୍କର ଅନୁଗୁଳର ମାର୍କଣ୍ଡ ନାଥଙ୍କ ସହିତ ପରିଚୟ ହୋଇଥିଲା। ମାର୍କଣ୍ଡ ନିଜ ପତ୍ନୀ ଶାନ୍ତିଲତାଙ୍କର ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ଆସୁଥିଲେ। ତେବେ କୁଟୁଲଙ୍କର ଦୁଇଟି କିଡନି ଖରାପ ହୋଇଥିବାରୁ ଏହାର ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରସ୍ପର ସହିତ ପରିଚୟ ପରେ ମାର୍କଣ୍ଡ ନିଜ ପତ୍ନୀଙ୍କ କିଡନି ଦେବା କଥା କହିଥିଲେ। କିନ୍ତୁ ଏଥିପାଇଁ ଟଙ୍କା ଦେବାକୁ କୁଟୁଲଙ୍କୁ କହିଥିଲେ। ଆବଶ୍ୟକୀୟ ପରୀକ୍ଷା ପରେ ଗୋଟିଏ କିଡନି ଦାନ ପାଇଁ ୧୩ ଲକ୍ଷ ୫୦ ହଜାର ଟଙ୍କା ସ୍ଥିର ହୋଇଥିଲା। କୁଟୁଲଙ୍କ ପତ୍ନୀ ଚୁକ୍ତି କରି ୯ଲକ୍ଷ ୫୦ ହଜାର ଟଙ୍କା ମାର୍କଣ୍ଡଙ୍କୁ ଦେଇଥିଲେ। ଅଧା ଟଙ୍କା ନଗଦ ଆକାରରେ ଦେଇଥିଲେ। ଅସ୍ତ୍ରୋପଚାର ପରେ ଚିକିତ୍ସା ବାବଦ ଖର୍ଚ୍ଚ ମାସିକ ୩୦ ହଜାର ଟଙ୍କା ଦେବାକୁ ଚୁକ୍ତିରେ ଉଲ୍ଲେଖ ଥିଲା। କିନ୍ତୁ କିଡନି ପ୍ରତିରୋପଣ ନହେବା ଆଗରୁ ମାର୍କଣ୍ଡ ମାସିକ ଖର୍ଚ୍ଚ ଦାବି କରିଥିଲେ। କୁଟୁଲଙ୍କ ପତ୍ନୀ ଦୁଲାରି ଏହି ଟଙ୍କା ପ୍ରଦାନ କରିଥିଲେ। ଏହିଭଳି ଭାବେ ଗଲା ୧ ବର୍ଷ ଭିତରେ ମାର୍କଣ୍ଡ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। କିନ୍ତୁ ଅସ୍ତ୍ରୋପଚାର ପାଇଁ ସମୟ ଗଡ଼ାଇ ଚାଲିଥିଲେ।
ସେ ଅନୁଗୁଳରୁ ବାଲେଶ୍ୱର ଓ ପରେ କଟକ ଚାଲି ଆସିଥିଲେ। ଏହା ପରେ ସେ ଆଉ କୁଟୁଲଙ୍କ ସହିତ ଯୋଗାଯୋଗ ରଖି ନଥିଲେ। ଦୁଲାରି ତାଙ୍କୁ ଖୋଜିଥିଲେ ମଧ୍ୟ ପତ୍ତା ମିଳି ନଥିଲା। ତେବେ ମାର୍କଣ୍ଡ ନିଜ ପରିବାର ଲୋକଙ୍କ ସହିତ ରାଣୀହାଟ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଏ ସମ୍ପର୍କରେ ଦୁଲାରି ସୂଚନା ପାଇ କଟକରେ ପହଞ୍ଚି ଥିଲେ। ସେଠାରେ ସେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମଙ୍ଗଳାବାଗ ଥାନା ପୁଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଦୁଲାରି ଏ ସଂପର୍କରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାର୍କଣ୍ଡଙ୍କୁ ଥାନାକୁ ନେଇଥିଲା। କିଛି ସମୟ ପରେ ମାର୍କଣ୍ଡର ପତ୍ନୀ ଆସି ପହଞ୍ଚି ଘଟଣା ସମ୍ପର୍କରେ ସ୍ବୀକାର କରିଥିଲେ। ପୁଲିସ ତାଙ୍କୁ ବି ଥାନାରେ ଅଟକ ରଖି ପଚରାଉଚରା କରୁଛି। କିନ୍ତୁ ଥାନାରେ ମାର୍କଣ୍ଡ ପୁଲିସ ସାମନାରେ ଏହି କିଡନି କାରବାରକୁ ନେଇ ଭିନ୍ନ କଥା କହିଛନ୍ତି। ସେମାନେ କିଡନି ପାଇଁ ଅନ୍ୟ ଜଣେ ଦାତାଙ୍କୁ ଖୋଜୁଥିଲେ ବୋଲି କହିଛନ୍ତି।