କଟକ୧୮।୦୩: କିଛି ଦିନରେ ନିରବତା ପୁଣି ଡରାଇଲାଣି କରୋନା । କଟକର ଏକ ଘରୋଇ କଲେଜରୁ ଏକାସାଙ୍ଗେ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ କି ହଷ୍ଟେଲ୍ରେ ଏବେ କଣ୍ଟାକ୍ଟ୍ର ଟ୍ରେସିଂ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ୍ ହଷ୍ଟେଲ୍ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଖବର ଅନୁଯାୟୀ, କଟକରେ ଥିବା ଏକ ଘରୋଇ କଲେଜରେ କିଛି ଦିନ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ଏବେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂରେ ୨୫ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ।ତେବେ ପରୀକ୍ଷା ହୋଇଥିବା ନମୁନାରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ଏବେ ଚିନ୍ତା ବଢାଇଦେଇଛି ।
ଖାସ୍ କରି ସହରର ପ୍ରମୁଖ ଅଞ୍ଚଳରେ ଥିବା ଏହି ଘରୋଇ କଲେଜ ପାଖରେ ଏକାଧିକ ଟ୍ୟୁଟରିଆଲ୍ ଏବଂ ଅନ୍ୟାନ୍ୟ ଶିକ୍ଷାଅନୁଷ୍ଠାନ ରହିଛି । ଯାହାକି ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏକା ସଙ୍ଗେ ଏତେ ଏତେ ସଂଖ୍ୟାରେ ପଜିଟିଭ୍ ବାହାରିବାରୁ ରାତି ଅଧିଆ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।
ସେପଟେ ସିଏମ୍ସି କଣ୍ଟ୍ରୋଲ୍ ରୁମ୍ର କର୍ମଚାରୀମାନେ କଲେଜ ହଷ୍ଟେଲକୁ ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ , ଶିକ୍ଷୟିତ୍ରୀମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ସିଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଛି । କଣ୍ଟାକ୍ଟ ଟ୍ରେସିଂ ପରେ ଆହୁରି ଅନେକଙ୍କ ଟେଷ୍ଟିଂ କରାଯିବ ବୋଲି ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢେ ତେବେ ବାଧ୍ୟ ହୋଇ କଲେଜକୁ କଣ୍ଟେନମେଣ୍ଟ୍ ଘୋଷଣା କରାଯିବ ବୋଲି ସିଏମ୍ସି ତରଫରୁ ସୂଚନା ଦିଆଯାଇଛି ।

