ରାଜ୍ୟ

କଛପ ଗତିରେ କଲ୍ୟାଣ ମଣ୍ଡପ ନିର୍ମାଣ: ବିତିଲା ୫ ବର୍ଷ, ପଡ଼ିପାରିଲାନି ଗୋଟିଏ ହାତଗଣ୍ଠି

ବାଲିଅନ୍ତା ବଜାର: ୫ ବର୍ଷ ବିତିଗଲାଣି। କିନ୍ତୁ କଲ୍ୟାଣ ମଣ୍ଡପ ନିର୍ମାଣ କାମ ସରିବା ନାଁ ଧରୁନି। ମୁଖ୍ୟ କୋଠା ନିର୍ମାଣ ସରିଥିଲେ ବି ପାଚେରି ଓ ମୁଖ୍ୟ ଫାଟକ ନିର୍ମାଣ ସରୁନାହିଁ। ଫଳରେ ମୁଖ୍ୟ କୋଠା ପରିତ୍ୟକ୍ତ ଅବସ୍ଥାରେ ପଡ଼ିପଡ଼ି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ଏହା ହେଉଛି ବାଲିଅନ୍ତା ପଞ୍ଚାୟତରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପର ଦୁରାବସ୍ଥା। ବାଲିଅନ୍ତା ବ୍ଲକ୍‌ର ଅନ୍ୟ ପଞ୍ଚାୟତମାନଙ୍କରେ ଗୋଟିଏ ସମୟରେ ନିର୍ମାଣ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ସରିବା ସହ ଲୋକଙ୍କ କାମରେ ଲାଗିସାରିଲାଣି। ଅଥଚ ବାଲିଅନ୍ତା କଲ୍ୟାଣ ମଣ୍ଡପରେ ଗୋଟିଏ ବି ହାତଗଣ୍ଠି ପଡ଼ିପାରିଲାନାହିଁ।

୨୦୧୭ ମସିହାରେ ଏହି କଲ୍ୟାଣ ମଣ୍ଡପର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶିଭୂଷଣ ବେହେରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ଏଥିପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ସେହି ସମୟରେ ବେଣୁପୁର, କାକରୁଦ୍ରପୁର, ପ୍ରତାପରୁଦ୍ରପୁର, ଜୟଦେବ, ଜଗନ୍ନାଥପୁର ଆଦି ପଞ୍ଚାୟତରେ ମଧ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ କରାଯାଇଥିଲା। ଏହି ମଣ୍ଡପ ଦ୍ବାରା ବାଲିଅନ୍ତା ପଞ୍ଚାୟତର ତିରଣପଦା, ଧମିଲୋ, ତଳଗଡ଼, ମଝିଗଡ଼, ପାଟଣା ଓ ଡିହବାଲିଅନ୍ତା ଗ୍ରାମର ଗରିବ ଜନସାଧାରଣ ଉପକୃତ ହେବେ ବୋଲି ବହୁ ଆଶା କରିଥିଲେ। ମାତ୍ର ଏବେ ଲୋକଙ୍କ ଆଶା ସେମିତି ଆଶା‌ରେ ରହିଯାଇଛି। ଅନ୍ୟ ସବୁ ପଞ୍ଚାୟତର କଲ୍ୟାଣ ମଣ୍ଡପ ଲୋକଙ୍କ କାମରେ ଲାଗିସାରିଲାଣି। ମାତ୍ର ବାଲିଅନ୍ତାରେ ନିର୍ମାଣ ସରୁନାହିଁ। ପରିତାପର କଥା ଏହା ଭିତରେ ଦୁଇ ଦୁଇ ଜଣ ସରପଞ୍ଚ ଗଲେଣି। କିନ୍ତୁ ମୁଖ୍ୟ କୋଠା ପରେ ଆଉ କାମ ଆଗେଇ ପାରୁନି। ପାଚେରି ନାହିଁ। ମୁଖ୍ୟ ଫାଟକ ନାହିଁ। ତେଣୁ ନିର୍ମାଣ ପରେ ବହୁଦିନ ବ୍ୟବହାର ନ ହୋଇ ପଡ଼ିରହିଥିବା ମୁଖ୍ୟ କୋଠା ଅବସ୍ଥା ଖରାପ ହେବାକୁ ବସିଲାଣି। କୋଠାସାରା ବଣୁଆ ଲତା ମାଡ଼ିଗଲାଣି। ଦିନ ରାତି ସବୁବେଳେ ଏଠାରେ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ଜମୁଛି। ବାହାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟ ସିନା ହୋଇପାରୁନି, ଅସାମାଜିକ ତତ୍ତ୍ବଙ୍କ ନିଶାସେବନ କାମରେ ଲାଗୁଛି ବୋଲି ଅଭିଯୋଗ ହୋଇଆସୁଛି।

ଏନେଇ ସରପଞ୍ଚ କୃଷ୍ଣକେଶବ ଆପଟ୍ଟଙ୍କ କହିବା କଥା ବାକି ଥିବା ନିର୍ମାଣ କାମ ପାଇଁ ପଞ୍ଚାୟତ ପାଣ୍ଠିରୁ ପୁଣି ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ତିନି ମାସ ହେବ ମଣ୍ଡପର ମୁଖ୍ୟ ଫାଟକ ଓ ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ଖୁବ୍ ଶୀଘ୍ର ପାଚେରି ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ପଞ୍ଚାୟତବାସୀଙ୍କ କାର୍ଯ୍ୟରେ ଲାଗିବ ବୋଲି ସେ କହିଛନ୍ତି। ଅତିବେଶିରେ ଆଉ ଦୁଇ ମାସ ମଧ୍ୟରେ କାମ ସରିବ ବୋଲି ଆଶା ରହିଛି। ଏବେ ମଳ ମାସ ଚାଲିଛି। ତେଣୁ ଆଗାମୀ ବାହାଘର ଋତୁ ବେଳକୁ ଏହି କଲ୍ୟାଣ ମଣ୍ଡପ ନିର୍ମାଣ ସରିଥିବ ଏବଂ ହାତଗଣ୍ଠି ପଡ଼ିବା ସହ ଅନ୍ୟାନ୍ୟ ଶୁଭ କାମ ଚାଲିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।