ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୬ତମ ଜାତୀୟ ତୋଷାଳି ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଏହାକୁ ଭର୍ଚୁଆଲରେ ଉଦ୍ଘାଟନ କରି କହିଥିଲେ, ଓଡ଼ିଶା କଳା ଓ ସଂସ୍କୃତିର ଭୂମି। ଏହି ମେଳା ମାଧ୍ୟମରେ ଓଡ଼ିଆ କାରିଗରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପର ବଜାର ପ୍ରବେଶ ରାଜ୍ୟ ତଥା ଦେଶରେ ସହଜ ହୋଇପାରିବ। ସଭାରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ମେଳାରେ ଭାଗ ନେଇଥିବା କାରିଗର ଓ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ତଥା ଦେଶରେ କାରିଗରମାନଙ୍କ ପାଇଁ ବଜାର ସୃଷ୍ଟି କରିବା ଏହି ମେଳାର ପ୍ରମୁଖ ଲକ୍ଷ୍ୟ ବୋଲି ଶ୍ରୀମତୀ ଦିଆନ୍ କହିଥିଲେ।
ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ତୋଷାଳି ମେଳାର ମହତ୍ତ୍ବ ବର୍ଣ୍ଣନା କରିବା ସହ ବୁଣାକାର ଓ କାରିଗରମାନଙ୍କୁ ଉତ୍ସାହିତ କରିଥିଲେ। ବିଭାଗୀୟ ଶାସନ ସଚିବ ଶୁଭା ଶର୍ମାଙ୍କ ସହ ନିର୍ଦ୍ଦେଶକ ସୁଶାନ୍ତ ଦାସ ଓ ଅନ୍ୟ ପଦାଧିକାରୀମାନେ ସଭାରେ ଉପସ୍ଥିତ ଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମେଳାରେ ୩୯୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ୍ ସ୍ଥାନ ପାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତି ଦିନ ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଚାଲିବ। ମେଳାରେ ‘ଫୁଡ୍ ଜୋନ୍’ ଅନ୍ୟତମ ଆକର୍ଷଣ ପାଲଟିଛି।
