ମନୋରଞ୍ଜନ ରାଜ୍ୟ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି

ଭୁବନେଶ୍ବର/ କଟକ : ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଜୀବନର ରଙ୍ଗମଞ୍ଚରେ ନିଜର ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ଆଜିି ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଅଭିନୟ ଯାତ୍ରା ଜାରି ରଖିଥିବା ବହୁମୁଖୀ ଅଭିନୟ ପ୍ରତିଭା ମିହିର ଦାସ ଓଡ଼ିଶା‌ର ଘରେ ଘରେ ପରିଚିତ ଥିଲେ। ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସିନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୨୦୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଆସିଥିବା ମିହିର ନାୟକ, ଖଳନାୟକ, ହାସ୍ୟ ଚରିତ୍ର ଓ ଚରିତ୍ର ଅଭିନେତ‌ା ଆଦି ଭୂମିକା ନିଭାଇ ଦର୍ଶକଙ୍କୁ ତାଙ୍କ ଅଭିନୟର କୁହୁକପଣରେ ବାନ୍ଧି ରଖିଥିଲେ। ପିଲାଠାରୁ ବୁଢ଼ା ସମସ୍ତଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବାରେ ସେ ହେଉଛନ୍ତି ଅନ୍ୟତମ ସଫଳ ସ୍ରଷ୍ଟା। ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ମୋର ଭୋଳା ଶଙ୍କର’, ‘ସ୍ତ୍ରୀ’, ‘ବାଜି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଭିମନ୍ୟୁ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘ଫେରିଆ ମୋ ସୁନା ଭଉଣୀ’, ‘ମିଷ୍ଟର୍‌ ମଜନୁ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି ରହିଛି। ଉଚ୍ଚକୋଟିର ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ସେହିପରି ସ୍ବର୍ଗତଃ ଦାସ ୨୦ରୁ ଊର୍ଦ୍ଧ୍ବ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କର କିଛି ଚଳଚ୍ଚିତ୍ର ଏବେ ଶୁଭମୁକ୍ତି ଅପେକ୍ଷାରେ ରହିଛି। ତାଙ୍କ ପୁଅ ଅମ୍ଲାନ ବର୍ତ୍ତମାନ ଓଲିଉଡର ଜଣେ ଆଗଧାଡ଼ିର ନାୟକ। ପୂର୍ବରୁ ତାଙ୍କର ପତ୍ନୀ ସଂଗୀତାଙ୍କର ମଧ୍ୟ କିଛି ବର୍ଷ ତଳେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ