ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓମିକ୍ରନ ଶେଷ ନୁହେଁ, ଆଗକୁ ବଡ ବିପଦ ! ଆହୁରି ଅନେକ ଲୋକ ହରାଇବେ ପ୍ରାଣ

ନୂଆଦିଲ୍ଲୀ ୧୦/୦୨: ଓମିକ୍ରନ୍‌ ଶେଷ ଭାରିଆଣ୍ଟ ନୁହେଁ । ଆଗକୁ ନୂଆ ଆସିବ । ଏହା ଅତ୍ୟଧିକ ସଂକ୍ରାମକ ଓ ଘାତକ ହୋଇପାରେ। ବର୍ତ୍ତମାନର କୋଭିଡ ଟିକା କୌଣସି କାମ ଦେବ ନାହିଁ । ଫଳରେ ଆହୁରି ଅନେକ ଲୋକ ସଂକ୍ରମିତ ହେବେ ଏବଂ ପ୍ରାଣ ହରାଇବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏଭଳି ଭୟାନକ ସତର୍କବାଣୀ କରାଯାଇଛି ।

ଦୁଇବର୍ଷ ହେଲା କରୋନା ମହାମାରୀ ସମଗ୍ର ବିଶ୍ୱରେ ତାଣ୍ଡବ ରଚିଛି । ଆଲ୍‌ଫା, ବିଟା, ଗାମା ଓ ଡେଲ୍‌ଟା ଭାରିଆଣ୍ଟ ପରେ ଏବେ ଓମିକ୍ରନ୍‌ ଯୋଗୁ ସଂକ୍ରମଣ ଜାରି ରହିଛି । ଓମିକ୍ରନ୍‌ ଅତ୍ୟଧିକ ସଂକ୍ରାମକ ହୋଇଥିଲେ ହେଁ ଘାତକ ହେଉନାହିଁ । ଅନେକ ଆକ୍ରାନ୍ତ ରୋଗୀ ଘରେ ରହି ସୁସ୍ଥ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କିଛି ବିଶେଷଜ୍ଞ କରୋନା ମହାମାରୀର ଏହା ଶେଷ ପର୍ଯ୍ୟାୟ ବୋଲି ଅନୁମାନ କରୁଛନ୍ତି । କିନ୍ତୁ ଡବ୍ଲ୍ୟୁଏଚ୍‌ଓର ଏହି ସଦ୍ୟ ସତର୍କବାଣୀ ପୁଣି ଚିନ୍ତା ବଢ଼ାଇ ଦେଇଛି ।

ଡବ୍ଲ୍ୟୁଏଚ୍‌ଓର କୋଭିଡ-୧୯ ବୈଷୟିକ ମୁଖ୍ୟ ମାରିୟା ଭାନ୍‌ କେରଖୋବେ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ଆସିବାଟା ପ୍ରାୟ ନିଶ୍ଚିତ । ଓମିକ୍ରନ୍‌ ତୁଳନାରେ ଏହା ଆହୁରି ସଂକ୍ରାମକ ହେବ । କାରଣ ବର୍ତ୍ତମାନର ଭାରିଆଣ୍ଟ ଉପରେ ଏହାକୁ ପ୍ରଭାବୀ ହେବାକୁ ପଡ଼ିବ । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କଠାରେ ହାଲୁକା କିମ୍ବା ଗୁରୁତର ଲକ୍ଷଣ ଦେଖାଦେଇପାରେ । କିନ୍ତୁ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହେବେ । ପୂର୍ବ ସଂକ୍ରମଣ କିମ୍ବା ଟିକାରୁ ମିଳିଥିବା ପ୍ରତିରୋଧକ କ୍ଷମତାକୁ ନୂଆ ଭାରିଆଣ୍ଟ ମାତ୍‌ ଦେଇପାରେ ।

ବିଶେଷଜ୍ଞଙ୍କ ମୁତାବକ ଯେ କୌଣସି ଭୂତାଣୁରେ ପରିବର୍ତ୍ତନ ହୋଇଥାଏ । ତିଷ୍ଠିବା ପାଇଁ ଭୂତାଣୁ ନୂଆ ନୂଆ ରୂପ ନେଇଥାଏ । କିଛି ଭୂତାଣୁର ନୂଆ ଭାରିଆଣ୍ଟରେ ସେଭଳି ବଡ଼ ପରିବର୍ତ୍ତନ ଦେଖାଯାଏ ନାହିଁ । କିନ୍ତୁ କିଛି ଭୂତାଣୁ ପ୍ରତିରୋଧକ କ୍ଷମତାକୁ ମାତ୍‌ ଦେବା ଲାଗି ନିଜକୁ ଭିନ୍ନ ଭାବେ ବଦଳାଇଥାନ୍ତି । ଏଭଳି ଭାରିଆଣ୍ଟ ଲୋକଙ୍କ ପାଇଁ ଅତ୍ୟଧିକ ବିପଜ୍ଜନକ । ଡବ୍ଲ୍ୟୁଏଚ୍‌ଓ ଏଗୁଡ଼ିକୁ ‘ଭାରିଆଣ୍ଟ ଅଫ୍‌ କନ୍‌ସର୍ନ’ ବା ଚିନ୍ତାଜନକ ଭାରିଆଣ୍ଟ ଘୋଷଣା କରିଥାଏ ।

ଏ ପର୍ଯ୍ୟନ୍ତ କରୋନା ଭୂତାଣୁର ୫ଟି ଭାରିଆଣ୍ଟ ଯଥା ଆଲ୍‌ଫା, ବିଟା, ଗାମା, ଡେଲ୍‌ଟା ଏବଂ ଓମିକ୍ରନ୍‌ ଚିହ୍ନଟ ହୋଇଛି । ଓମିକ୍ରନ୍‌କୁ ମଧ୍ୟ ଭାରିଆଣ୍ଟ ଅଫ୍‌ କନ୍‌ସର୍ନ ଘୋଷିତ କରାଯାଇଛି । ଆଲ୍‌ଫା ଭାରିଆଣ୍ଟ (ବି.୧.୧୭) ପ୍ରଥମେ ୨୦୨୦ ସେପ୍ଟେମ୍ବରରେ ବ୍ରିଟେନ୍‌ରେ ଦେଖାଦେଇଥିଲା । ଦକ୍ଷିଣ ଆଫ୍ରିକାରେ ୨୦୨୦ ମେ ମାସରେ ଚିହ୍ନଟ ହୋଇଥିଲା ବିଟା (ବି.୧.୩୫୧) । ୨୦୨୦ ନଭେମ୍ବରରେ ବ୍ରାଜିଲରେ ଗାମା (ପି.୧) ଓ ୨୦୨୦ ଅକ୍ଟୋବରରେ ଭାରତରେ ଡେଲ୍‌ଟା ଭାରିଆଣ୍ଟ (ବି.୧.୬୧୭.୨) ଠାବ ହୋଇଥିଲା, ଯାହା ଅତ୍ୟଧିକ ଘାତକ ବିବେଚିତ ହୋଇଥିଲା । ଆଲ୍‌ଫାଠାରୁ ଏହା ୬୦% ଅଧିକ ସଂକ୍ରାମକ ଥିଲା ।

୨୦୨୧ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଭାରିଆଣ୍ଟ ଥିବା ନେଇ ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ତାହା ପୂର୍ବରୁ ଏହା ବ୍ରିଟେନ୍‌ ସମେତ ଅନ୍ୟ କେତେକ ଦେଶରେ ରହିଥିବା ଗବେଷକମାନେ ଦାବି କରିଥିଲେ । ଅନ୍ୟ ଭାରିଆଣ୍ଟଗୁଡ଼ିକ ତୁଳନାରେ ଓମିକ୍ରନ୍‌ର ସ୍ପାଇକ୍‌ ପ୍ରୋଟିନ୍‌ରେ ଅଧିକ ମ୍ୟୁଟେସନ୍‌ ରହିଥିଲା, ଯଦ୍ଦ୍ୱାରା ଏହା ଦ୍ରୁତ ଗତିରେ ବ୍ୟାପୁଛି । ସ୍ପାଇକ୍‌ ପ୍ରୋଟିନ୍‌ ସହାୟତାରେ ହିଁ ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିଥାଏ ।

କରୋନାର ଏତେ ଭାରିଆଣ୍ଟ ଆସିବା ପରେ ମଧ୍ୟ ବିପଦ ଟଳିନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ମାରିୟା ମତପୋଷଣ କରିଛନ୍ତି । ସେ କହିଛନ୍ତି, କରୋନାର ପରବର୍ତ୍ତୀ ଭାରିଆଣ୍ଟ ଚିହ୍ନଟ ହେବା ନେଇ ଆମକୁ ଯେ କୌଣସି ସମୟରେ ରିପୋର୍ଟ ମିଳିପାରେ । ତେବେ ଏଥିରେ କେଉଁଭଳି ମ୍ୟୁଟେସନ୍‌ ହେବ, ତାହା କହିବା ମୁସ୍କିଲ ।

ନେଚର୍‌ ପତ୍ରିକାରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ବୈଜ୍ଞାନିକ ଜେସି ବ୍ଲୁମ୍‌ କହିଛନ୍ତି, କରୋନା ମହାମାରୀ ଆଦୌ ଯିବନାହିଁ । ଏହା ‘ଏଣ୍ଡେମିକ୍‌’ ପର୍ଯ୍ୟାୟକୁ ଆସିବ, ଅର୍ଥାତ୍‌ ଭୂତାଣୁ ଦୁର୍ବଳ ହେବା ସମ୍ଭାବନା ରହିଛି । ଲୋକମାନେ ଏହି ଭୂତାଣୁ ସହ ବଞ୍ଚିବା ଶିଖିଯିବେ । କିନ୍ତୁ ବୈଜ୍ଞାନିକ ଆଣ୍ଡ୍ରୁ ରମ୍ବୋଟ୍‌ କହିଛନ୍ତି, ବର୍ତ୍ତମାନର ଭାରିଆଣ୍ଟ ଦୁର୍ବଳ ରହିବା ଅର୍ଥ ପରବର୍ତ୍ତୀ ନୂଆ ଭାରିଆଣ୍ଟ କମ୍‌ ଘାତକ ହେବ ବୋଲି ଭାବିବା ଉଚିତ ନୁହେଁ । ଏମିତି ବି ହୋଇପାରେ କରୋନାର ଆଗାମୀ ଭାରିଆଣ୍ଟ ଆହୁରି ସଂକ୍ରାମକ ଓ ଘାତକ ପାଲଟିପାରେ ।

ବର୍ତ୍ତମାନ ଓମିକ୍ରନ୍‌ ଭାରିଆଣ୍ଟକୁ କମ୍‌ କ୍ଷତିକାରକ କୁହାଯାଉଥିଲେ ହେଁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ବିଶେଷଜ୍ଞ ଏଥିପାଇଁ ଡେଲ୍‌ଟାକୁ ମୁଖ୍ୟ କାରଣ ଦର୍ଶାଉଛନ୍ତି । ଓମିକ୍ରନ୍‌ ପ୍ରଭାବୀ ରହିଥିବା ସତ୍ତେ୍ୱ ଡେଲ୍‌ଟା ଭାରିଆଣ୍ଟ ସମ୍ପୂର୍ଣ୍ଣ ଯାଇ ନ ଥିବାରୁ ମୃତ୍ୟୁ ବଢ଼ିବାରେ ଲାଗିଛି ।

ବିଶ୍ୱରେ ଗତ ୨୪ ଘଣ୍ଟାରେ ୧୨,୫୨୭ କରୋନାଜନିତ ମୃତ୍ୟୁ ରେକର୍ଡ କରାଯାଇଛି । ଦିନକରେ ୨୬.୧୫ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଆମେରିକାରେ ସର୍ବାଧିକ ୨,୭୭୭ ଆକ୍ରାନ୍ତ ରୋଗୀ ପ୍ରାଣ ହରାଇଛନ୍ତି । ଭାରତରେ ଗତ ୨୪ ଘଣ୍ଟାରେ ୧,୨୧୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରାଜିଲରେ ୧,୧୭୪, ଫ୍ରାନ୍ସରେ ୬୯୧, ରୁଷରେ ୬୯୮, ଇଟାଲୀରେ ୩୯୩, ବ୍ରିଟେନରେ ୩୧୪, ତୁର୍କୀରେ ୨୪୧, ଜର୍ମାନୀରେ ୨୩୧, ସ୍ପେନରେ ୩୬୧, ଆର୍ଜେଣ୍ଟିନାରେ ୨୮୪, କଲମ୍ବିଆରେ ୨୦୫, ପୋଲାଣ୍ଡରେ ୨୮୬, ମେକ୍ସିକୋରେ ୨୦୬, ୟୁକ୍ରେନରେ ୨୫୫ ଓ ଦକ୍ଷିଣ ଆଫ୍ରିକାରେ ୨୬୮ କରୋନା ମୃତ୍ୟୁ ହୋଇଛି ।

ସେହିଭଳି ଆମେରିକାରେ ଦିନକରେ ୧.୮୦ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି । ବ୍ରାଜିଲରେ ୧.୭୧ ଲକ୍ଷ, ଫ୍ରାନ୍ସରେ ୨.୩୫ ଲକ୍ଷ, ରୁଷରେ ୧.୬୫ ଲକ୍ଷ, ତୁର୍କୀରେ ୧.୧୧ ଲକ୍ଷ, ଇଟାଲୀରେ ୧.୦୧ ଲକ୍ଷ, ଜର୍ମାନୀରେ ୨.୧୨ ଲକ୍ଷ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ନେଦରଲାଣ୍ଡରେ ୧.୮୯ ଲକ୍ଷ ନୂଆ ରୋଗୀ ବାହାରିଛନ୍ତି । ବିଶ୍ୱରେ ମୋଟ କୋଭିଡ ମାମଲା ୪୦ କୋଟି ପାର୍‌ କରିଛି । ମୃତ୍ୟୁ ସଂଖ୍ୟା ୫୭.୮୫ ଲକ୍ଷ ଅତିକ୍ରମ କରିଥିବା ୱାର୍ଲଡୋମିଟର ରିପୋର୍ଟରୁ ଜଣାପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ