ରାଜ୍ୟ

ଓଡ଼ିଶା କଂଗ୍ରେସ ପାଇଁ ରଣନୀତି କରୁଛନ୍ତି ସୁନୀଲ କାନୁଗୋଲୁ: ରାହୁଲଙ୍କ ହାତରେ ରିପୋର୍ଟ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛନ୍ତି ଦେଶର ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ସୁନୀଲ କାନୁଗୋଲୁ। ତାଙ୍କ ଟିମ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରିସାରିଛି। ଏହି ଟିମ୍‌ରେ ମୁଖ୍ୟତଃ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସଦସ୍ୟମାନେ କାର୍ଯ୍ୟ କରୁଥିବା ଜଣାପଡିଛି। ଓଡ଼ିଶାର ଜୀବନଧାରା ସହ ସେମାନେ ଅଳ୍ପବହୁତ ଜଡିତ ଥିବାରୁ ତଥ୍ୟ ସଂଗ୍ରହ କରିବାକୁ ସେମାନଙ୍କୁ ସୁବିଧା ହେବ ବୋଲି ବିଚାର କରି ଏହି ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ବରରେ ଟିମ୍‌ର ବଛାବଛା ସଦସ୍ୟ ସଂଗୃହିତ ଡାଟାକୁ ବିଶ୍ଳେଷଣ କରି ନିୟମିତ ବ୍ୟବଧାନରେ ନୂଆଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟକୁ ପଠାଉଛନ୍ତି। ଏହା ସହିତ ୨୦୨୪ ନିର୍ବାଚନରେ ଦଳ କେଉଁ କେଉଁ ସମସ୍ୟା ସାମ୍ନା କରିବାକୁ ଯାଉଛି ଏବଂ ଏହାର କିଭଳି ସମାଧାନ କରାଯାଇ ପାରିବ ସେନେଇ ମଧ୍ୟ ଏହି ଟିମ୍‌ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଗତ ମଙ୍ଗଳବାର ଦିନ ରାହୁଲ ଗାନ୍ଧୀଙ୍କୁ ଏହି ଟିମ୍‌ ଏକ ସ୍ବତନ୍ତ୍ର ରିପୋର୍ଟ ପଠାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏଥିରେ ମୁଖ୍ୟତଃ ୪ଟି ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଛି। ରାଜ୍ୟରେ ଦଳ ନିକଟରେ ଉତ୍କଟ ଆର୍ଥିକ ସମସ୍ୟା ରହିଥିବା ରିପୋର୍ଟରେ କୁହାଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବାରେ ଏହା ହିଁ ଅନ୍ତରାୟ ସୃଷ୍ଟି କରୁଛି ବୋଲି ଏହି ଟିମ୍‌ ଅନୁଭବ କରିଛି। ଦ୍ବିତୀୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଳାପୁଳା ପ୍ରସଙ୍ଗ ରହିଥିଲେ ହେଁ ତାହା ଲୋକଙ୍କ ନିକଟକୁ ନେଇ ଦଳ ଯାଇପାରୁନାହିଁ। ତୃତୀୟତଃ, ବିଶ୍ବାସଯୋଗ୍ୟ ନେତା ନପାଇ କଂଗ୍ରେସ କର୍ମୀ ଏକ ପ୍ରକାରର ଦିଶାହୀନ ହୋଇପଡିଛନ୍ତି। ଚତୁର୍ଥରେ, ଦକ୍ଷିଣ ଓଡିଶାରେ ଦଳ ପ୍ରତି ବିଶେଷ ସମର୍ଥନ ରହିଛି। ହେଲେ ଉତ୍କଟ ଗୋଷ୍ଠୀ କନ୍ଦଳ ଦଳକୁ ପଛକୁ ଟାଣୁଛି। ଏହାର ଉଦାହରଣ ଦେବାକୁ ଯାଇ ଏହି ଟିମ୍‌ କୋରାପୁଟରେ ସାଂସଦ ସପ୍ତଗିରି ଉଲ୍ଲାକା ଓ ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି, ନବରଙ୍ଗପୁରରେ ଭୁଜବଳ ମାଝୀ ଓ ପୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ତ୍ରିପାଠୀଙ୍କ ମଧ୍ୟ୍ୟରେ ଥିବା ଗୋଷ୍ଠୀ କନ୍ଦଳକୁ ଦର୍ଶାଇଛନ୍ତି। ଏହି ଗୋଷ୍ଠୀ ବିବାଦ ଦଳ ପାଇଁ କ୍ଷତି କରୁଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଶାସକ ବିଜେଡିକୁ ଲୋକପ୍ରିୟ କରୁଛି। ଫଳରେ ସ୍ଥାନୀୟ ସଂଖ୍ୟାବହୁଳ ପରଜା ସମ୍ପ୍ରଦାୟ ବର୍ତ୍ତମାନ କଂଗ୍ରେସ ପ୍ରତି ମୋହଭଙ୍ଗ କରି ବିଜେଡି ପ୍ରତି ଆକୃଷ୍ଟ ହେଉଥିବା ରିପୋର୍ଟରେ କୁହାଯାଇଛି।

ପ୍ରାଥମିକ ରିପୋର୍ଟରେ ଚାରିଟି ମନ୍ତ୍ର ଦେଲେ ଟିମ୍‌
ବିଜେଡି-ବିଜେପି ସଂପର୍କ ବଢ଼ୁଛି, କଂଗ୍ରେସ ଭାଗ୍ୟ ଉଜ୍ଜଳ
ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାର ରାସ୍ତା ବତାଇଲେ

ସୁନୀଲ କାନୁଗୋଲଙ୍କ ଏହି ଟିମ୍‌ ଏହା ପୂର୍ବରୁ କିଛି ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସ ସଂପର୍କରେ ସ୍ବତନ୍ତ୍ର ସୁପାରିସ କରିଥିଲା। ବିଜେଡି ଓ ବିଜେପି ମଧ୍ୟ୍ୟରେ ଉତ୍ତମ ବୁଝାମଣା ରହିଥିବା ଲୋକଙ୍କ ହୃଦ୍‌ବୋଧ ହେବା କାରଣରୁ ଓଡ଼ିଶାରେ କଂଗ୍ରେସର ଭବିଷ୍ୟତ ଉଜ୍ଜଳ ବୋଲି ଏହି ରିପୋର୍ଟ ଦର୍ଶାଇଥିଲା। ଅର୍ଥାତ୍ ନିର୍ବାଚନ ବେଳକୁ ସରକାରୀ ବିରୋଧୀ ହାଵା ବଢ଼ିବ ଓ କଂଗ୍ରେସକୁ ଫାଇଦା ମିଳିବ। ଏହାକୁ ଆଧାର କରି ରାଜ୍ୟ ସାରା କଂଗ୍ରେସ କର୍ମୀ ବିଜେଡି-ବିଜେପିର ବାହାଘର ଭଳିଆ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ସେହିଭଳି ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବାକୁ ହେଲେ ନିଜସ୍ବ ଉଦ୍ୟମରେ ବ୍ୟାନର୍‌ ପୋଷ୍ଟର ଲଗାଇବା ସହ ଏହାକୁ ଟିମ୍‌ ମନିଟର୍‌ କରିବା କରିବା ଓ ଏସବୁର ଜିଓ ଟ୍ୟାଗିଂ କରାଯିବା ନେଇ ବି ସୁନୀଲଙ୍କ ଟିମ୍‌ ସୁପାରିସ କରିଥିଲେ। ଏହି ଟିମ୍‌ କେନ୍ଦ୍ରୀୟ ନେତୃତ୍ବକୁ ଆହୁରି କହିଥିଲେ ଯେ ଓଡ଼ିଶା କଂଗ୍ରେସ ବହୁଭାଗରେ ବିଭକ୍ତ ହୋଇଥିବା କାରଣରୁ ଜାତୀୟସ୍ତରରେ ଚାଲିଥିବା ଚାଷୀ ଆନ୍ଦୋଳନର ପ୍ରଭାବ ଏଠାରେ ଦେଖିବାକୁ ମିଳୁନାହିଁ। ଓଡ଼ିଶାରେ ଚାଷୀମାନଙ୍କୁ ନେଇ ସାମିଲ କରିବାକୁ ରଣନୀତି ଗ୍ରହଣ କରିବାକୁ ସୁପାରିସ କରାଯାଇଥିଲା। ସେହିଭଳି ଆଗକୁ କିଭଳି ଅଧିକ ବିଜେଡି ଓ ବିଜେପିରୁ ନେତା କଂଗ୍ରେସରେ ସାମିଲ ହେବେ ତାହା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଘନି‌‌ଷ୍ଠ ତଥା ଉପଦେଷ୍ଟା କୌଶଲ ବିଦ୍ୟାର୍ଥୀ ଓଡ଼ିଶା ଉପରେ ଧ୍ୟାନ ରଖିଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜବାହାର ନ ବୋଦୟ ବିଦ୍ୟାଳୟରେ ପଢୁଥିବାରୁ ଓଡ଼ିଶା ରାଜନୀ‌ତି ସଂପର୍କରେ ତାଙ୍କୁ ଗୁରୁତ୍ବ ଦିଆଯାଉଛି।

ଏଠାରେ ଉଲ୍ଲେଖଥାଉକି, ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କ ଆଇ-ପାକ୍‌ ସଂସ୍ଥା ସହ ମିଳିତ ଭାବେ ସୁନୀଲ କାନୁଗୋଲୁ କାର୍ଯ୍ୟ କରୁଥିଲେ। ପରେ ପ୍ରଶାନ୍ତ କିଶୋର ବିଜେପି ଠାରୁ ଅଲଗା ହେବା ପରେ ମଧ୍ୟ୍ୟ ୨୦୧୭ ମସିହାରେ ସୁନୀଲ କାନୁଗୋଲୁ ବିଜେପି ପାଇଁ ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଓ ଗୁଜୁରାଟ ବିଧାନସଭା ନିର୍ବାଚନରେ ରଣନୀତିଜ୍ଞ ଭାବେ କାର୍ଯ୍ୟକରିଥିଲେ। ଗତ କର୍ଣ୍ଣାଟକ ଓ ତେଲେଙ୍ଗାନା ନିର୍ବାଚନରେ ତାଙ୍କର ସଫଳ ରଣନୀତି ଯୋଗୁଁ କଂଗ୍ରେସ ଦଳକୁ ସଫଳତା ମିଳିଥିଲା। କିନ୍ତୁ ମଧ୍ର୍ୟପ୍ରଦେଶ ଓ ରାଜସ୍ଥାନରେ ତାଙ୍କର ରଣନୀତିକୁ କମଲନାଥ ଓ ଅଶୋକ ଗେହଲଟ୍‌ ଗ୍ରହଣ କରିନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।