ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଉପକୂଳରେ ଶ୍ରୀଲଙ୍କା ଅତିଥି: ସମୁଦ୍ରରେ ଚାଲିଛି ସଙ୍ଗମ, ମାର୍ଚ୍ଚରେ ଅଣ୍ଡାଦାନ

ବ୍ରହ୍ମପୁର : ଓଡ଼ିଶା ଉପକୂଳରେ ଆସି ପହଞ୍ଚି ସାରିଛନ୍ତି ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ। ସୁଦୂର ଶ୍ରୀଲଙ୍କା ଉପକୂଳରୁ ଆସିଥିବା ଏହି ଅତିଥି ସାମୁଦ୍ରିକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏବେ ଋଷିକୁଲ୍ୟା ନଦୀ ମୁହାଣ ନୀଳ ସମୁଦ୍ର ଭିତରେ କଇଁଛଙ୍କ ସଙ୍ଗମ ଚାଲିଛି। ଏଥିପାଇଁ ପ୍ରୟାଗୀ ଠାରୁ ଆର୍ଯ୍ୟପଲ୍ଲୀ ୨୦ କିମି ପର୍ଯ୍ୟନ୍ତ ନୋ-ଫିସିଂ ଜୋନ୍‌ କରାଯାଇଛି। ସେହିପରି ଟ୍ରଲର୍‌ ଯାତାୟାତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକଙ୍କ ନେତୃତ୍ବରେ ବନ ବିଭାଗର ଟିମ୍‌ ସେଠାରେ ପାଟ୍ରୋଲିଂ କରୁଛନ୍ତି। ନିୟମିତ ବ୍ୟବଧାନରେ ବେଳାଭୂମି ସଫେଇ କରାଯାଉଛି। ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହ ନହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରୁ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଗଣଅଣ୍ଡାଦାନର ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାଏ।

ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବେଳାଭୂମି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଉପକୂଳରେ ଅଣ୍ଡାଦାନ କରିଥାନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତିବର୍ଷ ଲକ୍ଷାଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କ ପ୍ରାୟ ୨୭ଦିନ ସମୟ ଲାଗିଥାଏ। ନଭେମ୍ବରରୁ ମେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ ବୋଲି ଧରାଯାଏ। ବାକି ୬ ମାସ ସେମାନେ ଶ୍ରୀଲଙ୍କା ଉପକୂଳରେ ରହିଥାନ୍ତି। ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ହୋଇଥାଏ। ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ମାର୍ଚ୍ଚ ମଧ୍ୟରେ ଗଣଅଣ୍ଡାଦାନ ହୋଇଥାଏ। କିନ୍ତୁ ଗତ କିଛି ବର୍ଷ ହେଲା ଏଥିରେ ଟିକେ ବିଳମ୍ବ ଦେଖା ଦେଉଛି। ମକର ସଂକ୍ରାନ୍ତି ପରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୋଇଥାଏ। ଏହାପରେ ଥଣ୍ଡା କମିବା ସହିତ ଦକ୍ଷିଣା ପବନ ପ୍ରବାହିତ ହୋଇଥାଏ। ସଙ୍ଗମ ସରିବା ପରେ ଧୀରେ ଧୀରେ ମାଇ କଇଁଛ ସମୁଦ୍ର ଭିତରେ ଭାସମାନ ଅବସ୍ଥାକୁ ଆସିଥାନ୍ତି। ଶରୀର ତାପମାତ୍ରା ବଢ଼ିବା ପରେ ସେମାନେ ବେଳାଭୂମି ଆଡ଼କୁ ଆସିଥାନ୍ତି। ବେଳାଭୂମି ବାଲିର ଉତ୍ତାପ ତାଙ୍କ ଶରୀରକୁ ସୁହାଇବା ପରେ କଇଁଛ ଅଣ୍ଡାଦାନ କରିଥାନ୍ତି। ବିଗତ ବର୍ଷରେ ସର୍ବାଧିକ ପ୍ରାୟ ସାଢ଼େ ୩ଲକ୍ଷ କଇଁଛ ବେଳାଭୂମିରେ ଅଣ୍ଡାଦାନ କରିଥିଲେ। କିନ୍ତୁ ଗତବର୍ଷ(୨୦୨୧-୨୧)ରେ ରେକର୍ଡ଼ ସଂଖ୍ୟା ସାଢ଼େ ୫ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିଲେ।

ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ରବୀନ୍ଦ୍ର ନାଥ ସାହୁଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନେ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ଚଳିତ ବର୍ଷ ମଧ୍ୟ ଋଷିକୁଲ୍ୟା ମୁହାଣରେ ଏକ ନୂତନ ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। ତେବେ ଏଥର କଇଁଛମାନେ କେଉଁଠି ଅଣ୍ଡାଦାନ କରୁଛନ୍ତି ତାହା ଦେଖିବାକୁ ରହିଲା। ଯେଉଁ ସ୍ଥାନକୁ ଅଲିଭ୍‌ ରିଡ୍‌ଲେ ସୁରକ୍ଷିତ ସ୍ଥାନ ଭାବେ ବାଛିବେ ସେଠାରେ ହିଁ ଅଣ୍ଡାଦାନ କରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।