ରାଜ୍ୟ

ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ

ଭୁବନେଶ୍ବର: ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ନବୀନ ବାବୁ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ରାଜ୍ୟରେ କେହି ଖୁସିରେ ନାହାନ୍ତି ବରଂ ଦୁଃଖରେ ଅଛନ୍ତି। ବିଜେପି ଓ ବିଜେଡି ଭିତରେ ଥିବା ଭିତିରିଆ ସଂପର୍କ ବିଷୟରେ ରାଜ୍ୟବାସୀ ଅବଗତ ଅଛନ୍ତି। ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ସବୁ ଶୀର୍ଷ ନେତୃତ୍ବଙ୍କ ସହ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀ ଯାଇ ରାହୁଲ ଗାନ୍ଧୀଙ୍କ ୫ଟି ଗ୍ୟାରେଣ୍ଟି ଓ ନିର୍ବାଚନୀ ଇସ୍ତାହାର ପତ୍ର ଲୋକଙ୍କ ପାଖରେ ପହଞ୍ଚାଇବେ। ଆକ୍ରମଣାତ୍ମକ ଢଙ୍ଗରେ କଂଗ୍ରେସ ନିଜର ପ୍ରଚାର କରିବ। ଏଥିପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ଅସ୍ମିତାକୁ ନେଇ କଂଗ୍ରେସ ଲଢ଼େଇ କରିବ ବୋଲି କହିଛନ୍ତି ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ ଯେ ଓଡ଼ିଶାରେ ଛାତ୍ର, ଯୁବକ, କୃଷକ, ମହିଳା ଆଦି ବର୍ଗ ଅବହେଳିତ। ନିଯୁକ୍ତି ସୁଯୋଗ ସୃଷ୍ଟି କରି ନ ପାରି ଠିକ୍ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ଗଠନ କରି ଯୁବକମାନଙ୍କୁ ଭଣ୍ଡେଇବାକୁ ଚେଷ୍ଟା କରିଥିଲେ ବିଜେଡି ସରକାର। ୫-ଟି ସ୍କୁଲ ନାଁରେ ପୁରୁଣା ବିଲ୍‌ଡିଂରେ ନୂଆ ରଙ୍ଗ ଲଗାଇ ଠିକାଦାରମାନଙ୍କୁ ଲାଭାନ୍ବିତ କରି କୋଟି କୋଟି ଟଙ୍କା ଲୁଟ୍‌ କରାଯାଇଛି। ହଜାର ହଜାର ସ୍କୁଲରେ ତାଲା ପଡ଼ିଛି। ନାରୀ ନିର୍ଯାତନାରେ ଦେଶରେ ଓଡ଼ିଶା ଆଗରେ ରହିଛି। ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ଶୀତଳ ଭଣ୍ଡାର ଓ ମଣ୍ଡିର ବ୍ୟବସ୍ଥା ନାହିଁ। ସେ ଆହୁରିମଧ୍ୟ କହିଥିଲେ ଯେ କେନ୍ଦ୍ରରେ ୧୦ବର୍ଷ ଶାସନ କରୁଥିବା ମୋଦୀ ସରକାର ବେରୋଜଗାରୀ, ଦରଦାମ ବୃଦ୍ଧି ଓ ପୁଞ୍ଜିପତିଙ୍କ ହାତରେ କଂଗ୍ରେସ ସରକାର ସମୟରେ ସୃଷ୍ଟି ‌ହୋଇଥିବା ନବରତ୍ନ କମ୍ପାନିକୁ ବିକ୍ରି କରି ଚାଲିଛନ୍ତି। ଗଣତନ୍ତ୍ରର ହତ୍ୟା ଓ ସାମାଜିକ ସଂହତିକୁ ନଷ୍ଟ କରିବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଛି। ବିଜେପି ଓ ବିଜେଡି ନିଜ ନିଜର ସହମତି ଭିତିରେ ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ଯେଉଁ କୌଶଳ ଆପଣାଇଛନ୍ତି ତାହାର ଓଡ଼ିଶାବାସୀ ଜବାବ ଦେବେ। ୨୪ବର୍ଷର ବିଜେଡି ସରକାରର ପତନ ପାଇଁ ସାଢ଼େ ୪ କୋଟି ଓଡ଼ିଆ ନିଜର ମତାଧିକାର ସାବ୍ୟସ୍ତ କରି କଂଗ୍ରେସକୁ କ୍ଷମତାସୀନ କରାଇବେ। ରାଜ୍ୟରେ ଉପେକ୍ଷିତ ଥିବା ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ କଲ୍ୟାଣ ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। କ୍ଷମତାକୁ ଆସିଲେ ସେମାନଙ୍କ ସାମାଜିକ ଉତ୍‌ଥାନ ଓ ଅର୍ଥନୈତିକ ପ୍ରଗତି ପାଇଁ କଂଗ୍ରେସ କାର୍ଯ୍ୟ କରିବା ସହ ଉପଯୁକ୍ତ ଭାଗିଦାରୀ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ଶତପଥୀ, ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ ଓ ବିଶ୍ବଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା : ଭକ୍ତ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଥିବା କଂଗ୍ରେସ ଖୁବଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ। ନବନିଯୁକ୍ତି ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଆଜି ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ନର୍ଲାରୁ ବିଧାନସଭା ପାଇଁ ସେ ନିର୍ବାଚନ ଲଢ଼ିବେ। ତେବେ ପୁଅ ସାଗର ଦାସଙ୍କ ସଂପର୍କରେ କଂଗ୍ରେସ କମିଟି ନିଷ୍ପତ୍ତି ନେବ। ଲୋକଙ୍କ ଆଶୀର୍ବାଦରୁ ଚଳିତ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୪-୫ ତାରିଖରେ ଓଡ଼ିଶାର ପ୍ରାୟ ୧୦ଟି ଲୋକସଭା ଓ ୪୦ରୁ ଅଧିକ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ୧୦ ତାରିଖ ଭିତରେ ସବୁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାକୁ ଦଳ ଯୋଜନା କରିଛି। ହେଲେ ବହୁ ପୂର୍ବରୁ କଂଗ୍ରେସ ପକ୍ଷରୁ ଯେଉଁ ୪୦ଜଣ ଆଶାୟୀଙ୍କୁ ନିଜର ଗଡ଼ ଜଗିବାକୁ କହିଥିଲା ଏବେ ଏହି ସଂଖ୍ୟା ହ୍ରାସ ପାଇଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡ଼ି ଥିବା ‌ବେଳେ ବୟସାଧିକ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାସହ ଆଉ କିଛି ନେତା ମଧ୍ୟ ଅନ୍ୟ ଦଳକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଥିବା ଦଳର ଶୀର୍ଷ ନେତୃତ୍ବ ଅନୁଭବ କରୁଛନ୍ତି। ତେଣୁ ଏଭଳି ଦ୍ବନ୍ଦ୍ବ ଭିତରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ଏତେଟା ସହଜ ହେବ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।