ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ୩୦ ମହାବଳ: ଶିମିଳିପାଳରେ ୨୭ ମଧ୍ୟରୁ ୧୩ଟି କଳା ବାଘ

ଭୁବନେଶ୍ବର: ଓଡ଼ିଶାରେ ୩୦ଟି ମହାବଳ ବାଘ ରହିଛନ୍ତି। ଶିମିଳିପାଳରେ ୧୧ଟି ମହାବଳ ଓ ୧୩ଟି ମେଲାନିଷ୍ଟିକ୍‌ ଟାଇଗର(କଳା ବାଘ)କୁ ମିଶାଇ ମୋଟ ୨୪ଟି ବାଘ କ୍ୟାମେରାରେ କଏଦ ହୋଇଛନ୍ତି। ଏହାବ୍ୟତୀତ ଆଉ ୩ଟି ମହାବଳଙ୍କ ଉପସ୍ଥିତି ସମ୍ପର୍କରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିଲେ ମଧ୍ୟ ସେମାନେ କ୍ୟାମେରା ଟ୍ରାପ୍‌କୁ ଆସି ନାହାନ୍ତି। ୧୧ଟି ମହାବଳଙ୍କ ମଧ୍ୟରୁ ୭ଟି ମାଈ ଓ ୪ଟି ଅଣ୍ଡିରା ଏବଂ ୧୩ଟି କଳା ବାଘ ମଧ୍ୟରୁ ୭ଟି ମାଈ ଓ ୬ଟି ଅଣ୍ଡିରା ରହିଛନ୍ତି। ୨୭ଟି ବାଘଙ୍କ ମଧ୍ୟରେ ୮ଟି ଛୁଆ ରହିଛନ୍ତି। ‌୭ଟି ଛୁଆଙ୍କ ବୟସ ୧ ବର୍ଷରୁ କମ୍ ହୋଇଥିବା ବେଳେ ଗୋଟିଏର ବୟସ ଏକ ବର୍ଷରୁ ଅଧିକ। ଶିମିଳିପାଳ ବ୍ୟତୀତ ରାଜ୍ୟର ଆଉ ୩ଟି ସ୍ଥାନରେ ମହାବଳ ଦୃଶ୍ୟମାନ ହୋଇଛନ୍ତି। କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ପାରଳାଖେମୁଣ୍ଡି ଜଙ୍ଗଲ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ରହିଥିବା ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି। ସାରା ରାଜ୍ୟରେ ବାଘ ଗଣନା ସମୟରେ ୨୭ଟି ବୟସ୍କ ବାଘ କ୍ୟାମେରା ଟ୍ୟାପ୍‌କୁ ଆସିଥିଲେ। ଯେଉଁଥିରେ ୧୪ଟି ମାଈ ଓ ୧୩ଟି ଅଣ୍ତିରା ରହିଛନ୍ତି। ଏହାବ୍ୟତୀତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଉ ୩ଟି ମହାବଳ ବାଘ ରହିଥିବାର  ପ୍ରମାଣ ଲାଗିଛି। ମାତ୍ର ସେମାନେ କ୍ୟାମେରା ଟ୍ୟାପ୍‌କୁ ଆସିପାରି ନାହାନ୍ତି। ରାଜ୍ୟର ସମସ୍ତ ମାଈ ବାଘ କେବଳ ଶିମିଳିପାଳରେ ହିଁ ରହିଛନ୍ତି। ଓଡ଼ିଶାର ଅନ୍ୟ କୌଣସି ଅଭୟାରଣ୍ୟ କିମ୍ବା ଜଙ୍ଗଲରେ ମାଈ ବାଘ ଦେଖାଯାଇ ନାହାନ୍ତି। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ବାଘ ଶୂନ୍ୟ ରହିଛି।

୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବାଘ ଗଣନା ଅପେକ୍ଷା ୨୦୨୩ ରାଜ୍ୟ ସରକାରଙ୍କ ଗଣନାରେ ଶିମିଳିପାଳରେ ମହାବଳଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ଘଟିଛି। ୨୦୨୧-୨୨ ଗଣନାରେ ମାତ୍ର ୧୬ଟି ଦୃଶ୍ୟମାନ ହୋଇଥିବା ବେଳେ ବର୍ତ୍ତମାନ ୨୭ରେ ପହଞ୍ଚିଛି। ଅଭୟାରଣ୍ୟରେ ବାଘମାନଙ୍କ ସୁରକ୍ଷା ପାଇଁ ‌କଠୋର ପଦକ୍ଷେପ, ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବା ଦ୍ବାରା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୮ଟି ଛୁଆ ବାଘ କ୍ୟାମେରାରେ ଦୃଶ୍ୟମାନ ହେବା ଶିମିଳିପାଳ ଅଭୟାରଣ୍ୟ ପାଇଁ ଶୁଭ ସଙ୍କେତ ଦେଉଛି। ବିଶ୍ବର ଏକମାତ୍ର ଅଭୟାରଣ୍ୟ ଭାବେ ଶିମିଳିପାଳରେ କଳା ବାଘ ରହିଛନ୍ତି। କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ପାରଳାଖେମୁଣ୍ଡି ଅଞ୍ଚଳ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ମହାବଳଙ୍କ ଉପସ୍ଥିତି ଏଠାରେ ବାଘ ବଂଶ ବୃଦ୍ଧି ନେଇ ଆଶା ସଞ୍ଚାର ହୋଇଛି। ଏହ‌ାବ୍ୟତୀତ ସା‌ତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଓ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ରହିଥିବା ବନ ବିଭାଗ ଅନୁଭବ କରିଛି।

କେନ୍ଦ୍ରୀୟ ଭାରତ ଓ ପୂର୍ବଘାଟ ଅଞ୍ଚଳରେ ଆସୁଥିବା ଓଡ଼ିଶାରେ ଗୋଟିଏ ଜାତୀୟ ପାର୍କ, ଗୋଟିଏ ପ୍ରସ୍ତାବିତ ଜାତୀୟ ପାର୍କ ଓ ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି। ୨୦୨୨ କେନ୍ଦ୍ର ସରକାରଙ୍କ ବ୍ୟାଘ୍ର ଗଣନା ଅନୁଯାୟୀ ଓଡ଼ିଶାରେ ୧୭ଟି ବାଘ କ୍ୟାମେରାରେ କଏଦ ହୋଇଥିଲେ। ଏଥର ରାଜ୍ୟ ସରକାରଙ୍କ ପକ୍ଷରୁ ୪୭ଟି ଫରେଷ୍ଟ ଡିଭିଜନ୍‌(ଭଦ୍ରକ, ରାଜନଗର ଫରେଷ୍ଟ ଡିଭିଜନ୍‌, ପୁରୀ ଓ ଚାଲିକା ବ୍ୟତୀତ)ରେ ଓଡ଼ିଶା ବ୍ୟାଘ୍ର ଗଣନା କରାଯାଇଥିଲା। ବାଘଙ୍କ ପଦଚିହ୍ନ, ରାମ୍ପୁଡ଼ା ଚିହ୍ନ, ମଳ, ପଞ୍ଝା ଚିହ୍ନ, ପରିସ୍ରା, ଗର୍ଜନ ଓ ଲାଇଭ୍‌ଷ୍ଟକ ଡିପପ୍ରଡେସନ୍‌ ଆଦି ଆଧାରରେ ଚଳିତବର୍ଷର ଗଣନା ହୋଇଛି। ଓଡ଼ିଶା ଜଙ୍ଗଲରେ ମୋଟ ୧୪୩୨ଟି କ୍ୟାମେରା ଳଗାଯାଇଥିଲା। ଅକ୍ଟୋବର ୧୫ରୁ ଫେବ୍ରୁଆରି ୧୦ ମଧ୍ୟରେ କ୍ୟାମେରା ଲଗାଯାଇ ଗଣନା ହୋଇଥିଲା। ମୋଟ ଉପରେ ବାଘଙ୍କ ୫୬୭ଟି ଫଟୋ କ୍ୟାମେରାରେ ଦୃଶ୍ୟମାନ ହେବା ପରେ ତାହାର ସମୀକ୍ଷା କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।