ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଆ ଭାଷାର ଭିତ୍ତି ଓ ଭବିଷ୍ୟତ

ଅନେକ ବିଦ୍ୱାନ ଲେଖିଛନ୍ତି ଓ ସାଧାରଣରେ ବିଶ୍ୱାସ କରାଯାଏ ଯେ ଓଡ଼ିଆ ଭାଷାର ଜନନୀ ହେଉଛି ସଂସ୍କୃତ। ସଂସ୍କୃତ ଭାଷା କାଳକ୍ରମେ ବଦଳି ପାଲି, ପ୍ରାକୃତ, ଅପଭ୍ରଂଶ ପଥ ଦେଇ ଓଡ଼ିଆ ଭାଷାରେ ପରିଣତ ହୋଇଛି। କୌଣସି ଭାଷା ଉତ୍କୃଷ୍ଟ ରୂପରୁ ନିକୃଷ୍ଟ ରୂପ ଧାରଣ କରେନାହିଁ ବରଂ ନିକୃଷ୍ଟରୁ ଉତ୍କୃଷ୍ଟ ଦିଗକୁ ଗତି କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। କୁହାଯାଏ ଆର୍ଯ୍ୟମାନେ ଖ୍ରୀ.ପୂ ୩୦୦୦ ରୁ ଖ୍ରୀ.ପୂ୧୫୦୦ ମଧ୍ୟରେ ଭାରତକୁ ଆସିଥିଲେ ଆଉ ସେମାନଙ୍କର ଭାଷା ଥିଲା ସଂସ୍କୃତ; ତେବେ ଏଠାରେ ପ୍ରଶ୍ନ ଉଠେ ଆର୍ଯ୍ୟମାନେ ଭାରତକୁ ଆସିବା ପୂର୍ବରୁ ଆଧୁନିକ ଓଡ଼ିଶା ସମେତ ବିହାର, ବଙ୍ଗଳା, ଉତ୍ତରପ୍ରଦେଶ, ପଂଜାବ, କାଶ୍ମୀର ଆଦି ଅଞ୍ଚଳର ଲୋକମାନେ କେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ ; ଦ୍ରାବିଡ଼ କି ଅଷ୍ଟ୍ରିକ୍‌ ତ ନୁହେଁ ନିଶ୍ଚୟ, କାରଣ ଏହି ଭାଷାଗୁଡ଼ିକ ସହିତ ଦ୍ରାବିଡ଼ ବା ଅଷ୍ଟ୍ରିକ ଭାଷା ସେତେଟା ସାମ୍ୟ ରକ୍ଷା କରନ୍ତି ନାହିଁ। ତେଣୁ ନାଟ୍ୟ ଶାସ୍ତ୍ରରେ ‘ଉଡ୍ର’ ନାମକ ଯେଉଁ ଅପଭ୍ରଂଶ, ଭ୍ରଷ୍ଟ, ବିଭାଷା ସଂପର୍କରେ କୁହାଯାଇଛି, ବାସ୍ତବରେ ତାହା ହେଉଛି ଏକ ଭାଷା। କାରଣ ‘‘କାବ୍ୟାଦର୍ଶ’’ ରେ କୁହାଯାଇଛି ସଂସ୍କୃତ ଭିନ୍ନ ଅନ୍ୟ ସମସ୍ତ ଭାଷା ଅପଭ୍ରଂଶ। ‘‘ପ୍ରାକ୍‌ କୃତମ୍‌ ପ୍ରାକୃତ’’ ଅର୍ଥାତ୍ ସଂସ୍କୃତ ପୂର୍ବରୁ ଯାହା ସୃଷ୍ଟ ତାହା ପ୍ରାକୃତ ଏବଂ ସଂସ୍କୃତ ହେଉଛି ଏହି ତଥାକଥିତ ପ୍ରାକୃତ ଭାଷାଗୁଡ଼ିକର ଏକ ସଂସ୍କାରିତ ରୂପ। କୁହାଯାଏ ନାଟକ ହେଉଛି ସମାଜର ଦର୍ପଣ। ଏଥିରେ ସମାଜରେ ପ୍ରଚଳିତ ଭାଷାର ପ୍ରତିଫଳନକୁ ଳକ୍ଷ୍ୟ କରାଯିବା ଅତ୍ୟନ୍ତ ସ୍ୱାଭାବିକ। ନାଟ୍ୟଶାସ୍ତ୍ର ଅନୁସାରେ ନାଟକରେ ଅର୍ଥାତ୍‌ ସଂସ୍କୃତ ନାଟକରେ ୪ ପ୍ରକାର ଭାଷା ପ୍ରଚଳିତ (୧) ଅତିଭାଷା, (୨) ଆର୍ଯ୍ୟଭାଷା, (୩) ଜାତିଭାଷା (୪) ଜାତ୍ୟନ୍ତରୀ ଭାଷା। ଅତିଭାଷା ଦେବତାଙ୍କ ସଂଳାପରେ, ଆର୍ଯ୍ୟଭାଷା ରାଜା, ସାଧୁ, ବୌଦ୍ଧଭିକ୍ଷୁ, ବେଦପାଠୀ ବ୍ରାହ୍ମଣଂକ ସଂଳାପରେ ବ୍ୟବହୃତ ହେଉଥିବା ସ୍ଥଳେ ଅନ୍ୟ ଚରିତ୍ରମାନଙ୍କ ସଂଳାପରେ ପ୍ରାକୃତ ଭାଷାର ବ୍ୟବହାର କରାଯାଏ। ତେଣୁ ପ୍ରତ୍ୟେକ କାଳରେ ତଥା କଥିତ ପ୍ରାକୃତ, ଭ୍ରଷ୍ଟ, ଅପଭ୍ରଂଶ ଭାଷା ହିଁ ସାଧାରଣ ଜନତାର ଭାଷା ଥିଲା।

ତେଣୁ ଓଡ଼ିଆ ଭାଷା ବହୁ ପ୍ରାଚୀନ। ଏହାର ଆଦିମ ସ୍ୱରୂପକୁ ‘ଚର୍ଯ୍ୟାଗୀତି’ ରେ ଲକ୍ଷ୍ୟ କରାଯାଇପାରେ। ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଂଜ, ଗୋପାଳକୃଷ୍ଣ, ବନମାଳୀ, ବଳଦେବ ରଥ, ରାଧାନାଥ ରାୟ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଗୋପୀନାଥ ମହାନ୍ତି, କାହ୍ନୁ ଚରଣ ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟ, ମନୋଜ ଦାସ ଆଦି ମହାନ ସ୍ରଷ୍ଟାଙ୍କ ଲେଖନୀ ମାଧ୍ୟମରେ ବଳିଷ୍ଠ ହୋଇ ଆସିଛି ଓ ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। ଓଡ଼ିଆ ଭାଷାର ମାନକ ରୂପ ବା ମାନକ ଓଡ଼ିଆ ଭାଷା କହିଲେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଭାଷା ମଧ୍ୟରେ ଏହାକୁ ସୀମାବଦ୍ଧ କରାଯିବା ଉଚିତ ନୁହେଁ। ଉଦାହରଣସ୍ୱରୂପ ଗୋଟିଏ ଫଳକୁ ନିଆଯାଉ, କେଉଁଠି ଏହାକୁ ବିଦୁଳ, କେଉଁଠି ପିଜୁଳି, କେଉଁଠି ଚାଉଳିଆ ଅଥବା କେଉଁଠି ଏହାକୁ ମାୟା, ଟମରସ୍‌ ବା ଜାମ୍‌ ବୋଲି କୁହାଯାଏ। ଏଥିରୁ କେଉଁ ଶବ୍ଦଟିକୁ ମାନକ ଶବ୍ଦ ବୋଲି ଗ୍ରହଣ କରିବା ? ତେଣୁ ମାନକ ଓଡ଼ିଆ ଭାଷା କହିଲେ ଏକ ସର୍ବଜନବୋଧ୍ୟ ଓଡ଼ିଆ ଭାଷାର ରୂପକୁ ଗ୍ରହଣ କରାଯାଏ। ଅନ୍ୟ ପକ୍ଷରେ ଓଡ଼ିଆ ଭାଷାର ଆଞ୍ଚଳିକ ରୂପକୁ ଉପଭାଷା ନାମରେ ମଧ୍ୟ ନାମିତ କରିବା ଉଚିତ ନୁହେଁ। ଓଡ଼ିଶାର ସମସ୍ତ ଅଞ୍ଚଳର ଭାଷା ହେଉଛି ଓଡ଼ିଆ ଏହାର ଅନେକ ଆଞ୍ଚଳିକ ରୂପ ରହିଅଛି।

ଏହି ଆଞ୍ଚଳିକ ରୂପ ଓଡ଼ିଆ ଭାଷାର ବୈଶିଷ୍ଠ୍ୟ, ଅଳଙ୍କାର। ଆଜିକାଲି ଗଳ୍ପ, ଉପନ୍ୟାସ, କବିତାରେ ଏହି ରୂପଟି ବ୍ୟବହୃତ ହୋଇ ଓଡ଼ିଆ ସାହିତ୍ୟକୁ ବେଶ୍‌ ସମୃଦ୍ଧ କରିପାରିଛି। ବେଳେବେଳେ ବୋଧଗମ୍ୟତା ସଂପର୍କରେ କଥା ଉଠେ। ସମ୍ପ୍ରତି ଗମନା ଗମନର ସୁବିଧା, ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ଶିକ୍ଷାର ବିସ୍ତାର ଫଳରେ ଏହି ବାଧା ପ୍ରାୟତଃ ଦୂରୀଭୂତ ହୋଇଗଲାଣି। ଓଡ଼ିଆ ଭାଷା ଓଡ଼ିଶା ପରି ଏକ ବିଶାଳ ଭୂଖଣ୍ଡରେ ପ୍ରଚଳିତ ହୋଇ ବେଶ୍‌ ସମୃଦ୍ଧଶାଳୀ ହୋଇଛି। ଓଡ଼ିଆ ସାହିତ୍ୟ ମଧ୍ୟ ଖୁବ୍‌ ସମୃଦ୍ଧ। ପ୍ରାଚୀନ ସାହିତ୍ୟ, ମଧ୍ୟଯୁଗୀୟ ସାହିତ୍ୟ ଓ ଆଧୁନିକ ସାହିତ୍ୟ କେଉଁଥିରେ ଓଡ଼ିଆ ସାହିତ୍ୟ ଊଣା ନୁହେଁ। ଭାଷା ଭିତ୍ତିରେ ସମଗ୍ର ଭାରତରେ ପ୍ରଥମ ରାଜ୍ୟ ଭାବରେ ଯେଉଁ ଗୌରବର ଅଧିକାରୀ ହୋଇଥିଲା, ଉଭୟ ଭାଷା ଓ ସାହିତ୍ୟ ଦୃଷ୍ଟିରୁ ସେ ଗୌରବକୁ ଅକ୍ଷୁଣ୍ଣ ରଖି ପାରିଛି। ଓଡ଼ିଆ ଲିପି ଅତ୍ୟନ୍ତ ବିଜ୍ଞାନ ସମ୍ମତ। ଓଡ଼ିଆରେ ଯେମିତି ଲେଖାଯାଏ ସେମିତି ପଢ଼ାଯାଏ। ଏହି ଲିପିର ଏପରି କ୍ଷମତା ରହିଛି। ପୃଥିବୀର ଯେକୌଣସି ଭାଷାକୁ ଅବିକଳ ନ ହେଲେ ବି ପାଖାପାଖି ଭାବରେ ଏଥିରେ ଲେଖାଯାଇ ପାରିବ। କେତେକ ସଂସ୍କାରର ଅପେକ୍ଷା ରଖୁଥିଲେ ମଧ୍ୟ ଏହାକୁ ପୃଥିବୀର ଅନ୍ୟତମ ବିଜ୍ଞାନସମ୍ମତ ଲିପି ଭାବରେ ଗ୍ରହଣ କରାଯାଇପାରେ। ଓଡ଼ିଆ ଭାଷା ଓ ଲିପି ଉପରେ କରାଯାଇଥିବା ଗବେଷଣା ମଧ୍ୟ ସନ୍ତୋଷଜନକ। ବିଭିନ୍ନ ପତ୍ର ପତ୍ରିକାରେ ଭାଷା ସଂପର୍କୀୟ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହୋଇ ଏହି ଦିଗଟିକୁ ସମୃଦ୍ଧ କରିପାରୁଛି। କେତେକ ଓଡ଼ିଆ ଭାଷାରେ ସଂକଟ ଦେଖାଯାଇଛି ବୋଲି କହୁଛନ୍ତି। ଯେଉଁ ଦୃଷ୍ଟିରୁ ଓଡ଼ିଆ ଭାଷାରେ ସଂକଟ ଦେଖାଦେଇଛି ବୋଲି କୁହାଯାଉଛି, ତାହା ପୃଥିବୀର ସମସ୍ତ ଭାଷା ପାଇଁ ପ୍ରଯୁଜ୍ୟ, କାରଣ ପୃଥିବୀ ଏବେ ଛୋଟ ଗାଁଟିରେ ପରିଣତ ହୋଇଯାଇଛି। ତେଣୁ ପ୍ରତ୍ୟେକ ଭାଷା ବିଶ୍ୱସ୍ତରର ହେବା ଉଚିତ। ଏହି ତଥାକଥିତ ସଂକଟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କଲେ, ଓଡ଼ିଆ ଭାଷା ଅଞ୍ଚଳ ସମୃଦ୍ଧ ହୋଇପାରିବ। ଓଡ଼ିଆ ଭାଷା ସରକାରୀ ଭାଷା ରୂପେ ପ୍ରଚଳନକୁ ଅପେକ୍ଷା କରି ରହିଛି। ସରକାରୀ ଭାଷା ରୂପେ ପ୍ରଚଳିତ ହେଲେ ଅନେକ ଅଭାବ ଆପେ ଆପେ ପୂରଣ ହୋଇଯିବ। ଓଡ଼ିଆ ଭାଷା ବିଭିନ୍ନ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମୃଦ୍ଧ, ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାଷାରେ ପରିଗଣିତ ହେବାକୁ ଏହି ଭାଷାର ଯଥେଷ୍ଟ ସାମର୍ଥ୍ୟ ରହିଛି। କେବଳ ଆନ୍ତରିକ ଉଦ୍ୟମ ଲୋଡ଼ା।
ପ୍ରଫେସର, ଓଡ଼ିଆ ବିଭାଗ,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
ମୋ: ୯୯୩୮୮୨୪୬୪୨

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।