ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଡ଼ାପଡ଼ାରେ କିଡ୍‌ନି ରୋଗ ଆତଙ୍କ: ଚାଲିଗଲାଣି ଶତାଧିକ ଜୀବନ; ଶତାଧିକ ଆକ୍ରାନ୍ତ, ପ୍ରଶାସନ ବେପରୁଆ

ଓଡ଼ାପଡ଼ା : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କିଡ୍‌ନି ରୋଗ ଆତଙ୍କ ଦେଖାଦେଇଛି। କିଛିବର୍ଷ ମଧ୍ୟରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଏବେ ବି ବହୁଲୋକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ମ‌ାତ୍ର, ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି।

ମିଳିଥିବା ସୂଚନା ଅନୁସାରେ; ବ୍ଲକ୍‌ ଅନ୍ତର୍ଗତ ଗୁଣଦେଇ ଗ୍ରାମର ଗୌତମ ଦେହୁରୀ, ପ୍ରହଲ୍ଲାଦ ବାରିକ, ପ୍ରାଣବନ୍ଧୁ ବାରିକ, ମନୋଜ ବେହେରା, ଚକ୍ରଧର ବେହେରା, ହଟକିଶୋର ଦେହୁରୀ, ଛକଡ଼ି ସାମଲ, ନାରାୟଣ ସାହୁ, ଅମର ସାହୁ, ଅରୁଣ ଦେହୁରୀ, ଅଜୟ ଦେହୁରୀ ପ୍ରମୁଖଙ୍କ ସମେତ ରସାସିଙ୍ଗ, ଛେଳିଆବେଡ଼ା, ବେଲପଡ଼ା ଓ ଅନ୍ୟାନ୍ୟ ଗ୍ରାମରୁ ଶତାଧିକ ବ୍ୟକ୍ତି କିଡ୍‌ନି ରୋଗରେ ମୃତ୍ୟୁବରଣ କରିଛନ୍ତି। ‌େସହିଭଳି, ଶତାଧିକ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ହୋଇଛନ୍ତି। ବିଶେଷକରି; ସଦାଶିବପୁର, ଗୁଣଦେଇ, ଓଡ଼ାପଡ଼ା, ବଳରାମପ୍ରସାଦ, ବଦାଳୁ, ନିମିଧା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି କିଡ୍‌ନି ରୋଗ ବ୍ୟାପକ ରୂପ ନେଉଥିବା ଦେଖିବାକୁ ମିଳିଛି । ଏହି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଖଣି ଖାଦାନ ରହିଥିବା ବେଳେ ଅନେକ ଶିଳ୍ପ ସ୍ଥାପନ ହୋଇଛି। ଏଥିରୁ ସରକାର ମୋଟାଅଙ୍କରେ ରାଜସ୍ୱ ପାଉଛନ୍ତି। କିନ୍ତୁ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ କିମ୍ବା ସ୍ବାସ୍ଥ୍ୟସେବା ନ ପାଇ ଅକାଳରେ ମୃତ୍ୟୁବରଣ କରୁଥିବା ଅଭିଯୋଗ ହୋଇଆସୁଛି।

ରାଜ୍ୟର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସ୍ବପ୍ନ ପାଲଟିଥିବା ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ବସାଇଥିବା ପ୍ରକଳ୍ପ ଅଚଳ ହୋଇ ପଡିଥିବା ବେଳେ ଅନେକ ଗ୍ରାମରେ ଥିବା ନଳକୂଅରୁ ଗୋଳିଆ ଲୁହାଗୁଣ୍ଡ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ସେହି ଦୂଷିତ ପାଣି ପିଇ ଲୋକମାନେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଲୋକମାନେ କହିଛନ୍ତି।

ଏ ସମ୍ପର୍କରେ ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.ଅନନ୍ତ କୁମାର ରାଉଳଙ୍କୁ ପଚାରିବାରୁ ସେ ଦୂଷିତ ପାନୀୟ ଜଳ କିଡ୍‌ନି ରୋଗର ମୁଖ୍ୟ କାରଣ ବୋଲି ସ୍ବୀକାର କରିରିଛନ୍ତ। ଏଥିସହିତ, ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ, ସେମାନଙ୍କ ଦ୍ବାରା ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହିତ ଚିକିତ୍ସା ସୁବିଧା ଦିଆଯାଉଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ. ଡାକ୍ତରୀ ଦଳ ପ୍ରଶାସନକୁ ଯେଉଁ ରିପୋର୍ଟ ପ୍ରଦାନ କରୁଛନ୍ତି ତାହା ଅଣଦେଖା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ଯୋଗାଣ ବିଭାଗ ସବୁ ଜାଣି ଆଖିବୁଜି ଦେଉଥିବା ସହିତ ମେଗା ପ୍ରକଳ୍ପ ଆଳ ଦେଖାଇ ହାତଟେକି ଦେଉଥିବାରୁ ଲୋକମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ