ନୂଆଦିଲ୍ଲୀ ୩୦।୦୧ : ଯେବେ ଠାରୁ ମହାମାରି କରୋନା ସାରା ବିଶ୍ଵରେ ତାର କାୟା ବିସ୍ତାର କରି ଚାଲିଛି ସେବେଠାରୁ କୌଣସି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହୋଇ ପାରୁ ନାହିଁ । ଏଥିପାଇଁ ଓଟିଟିର କ୍ରେଜ୍ ମଧ୍ୟ ବଢି ଚାଲିଛି । ସମସ୍ତ ଫିଲ୍ମ ସହ ୱେବ୍ ସିରିଜ୍ ଗୁଡିକ ଓଟିଟିରେ ରିଲିଜ୍ ହେବା ସହ ଅନେକ କଳାକାରମାନେ ଡେବ୍ୟୁ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ମଧ୍ୟ ନିଜର ଓଟିଟିରେ ପ୍ରଥମ ଥର ପାଇଁ ଧମାକାଦାର ଡେବ୍ୟୁ ପାଇଁ ପଦାର୍ପଣ କରିଛନ୍ତି । ହଲିଉଡ କ୍ରାଇମ ସିରିଜ୍ ଲୁଥରର ଏହି ରିମେକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଜୟ ଦେବଗନ । ଅଜୟ ଇଡ୍ରିସ ଆଲବାଙ୍କ ଡିଟେକ୍ଟିଭ ଚରିତ୍ରରେ ନଜର ଆସିବେ । ତାଙ୍କ ସହ ସାଉଥ୍ ସୁନ୍ଦରୀ ରାଶି ଖାନ୍ନା ଏହି ସିରିଜ ଜରିଆରେ ନିଜର ହିନ୍ଦି ଡେବ୍ୟୁ କରୁଛନ୍ତି । ଏହା ସହିତ ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଇଶା ଦେଓଲ । ଏହି ସିରିଜରେ ଅପରାଧୀ ଏବଂ ପୋଲିସର ମନସ୍ତତ୍ୱ ଦେଖିବାକୁ ମିଳିବ ।
ମୁମ୍ବାଇର ପୃଷ୍ଠଭୂମିରେ ଏହି ସିରିଜର କାହାଣୀ ଗତିଶୀଳ ହୋଇଛି । କିଭଳି ଜଣେ ଚାଲାକ ଅପରାଧୀକୁ ଡିସିପି ରୁଦ୍ର ଧରୁଛନ୍ତି ତାହା ଦେଖିବାକୁ ମିଳିବ । ମୁମ୍ବାଇ ବ୍ୟାକଡ୍ରପରେ ନିର୍ମିତ ଶୋ’ଟି ୬ ଏପିସୋଡ ହେବ। ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାଜେଶ ମାପୁସକାର । ଅଜୟ ଦେବଗନ ନିଜର ଇଣ୍ଟେନ୍ସ ଲୁକରେ ନଜର ଆସିଥିବା ବେଳେ ସିଂଘମ ପରି ଭୂମିକାକୁ ଦର୍ଶକ ମିସ୍ କରିବେ । ରାଶି ଖାନ୍ନା ଜଣେ ସୋସିଓପାଥ୍ ଭୂମିକାରେ ନଜର ଆସିଥିବା ବେଳେ ଇଶା ଦେଓଲଙ୍କ ଭୂମିକା ସମ୍ପର୍କରେ ଏପର୍ଯ୍ୟନ୍ତ ଖୁଲାସା କରାଯାଇନାହିଁ । ଅଜୟ, ଇଶା ଏବଂ ରାଶିଙ୍କ ବ୍ୟତୀତ ଏକାଧିକ କଳାକାର ଏହି ସିରିଜରେ ନଜର ଆସିବେ । ଅତୁଲ କୁଲକର୍ଣ୍ଣୀ, ଆଶିଷ ବିଦ୍ୟାର୍ଥୀ, ଅଶ୍ୱିନୀ କାଲସେକର, ତରୁଣ ଗେହଲୋଟ ଏବଂ ସତ୍ୟଦୀପ ମିଶ୍ର ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ସିରିଜ୍ଟି ଡିଜନୀ ପ୍ଲସ ହଟ୍ଷ୍ଟାରରେ ୫ଟି ଭାଷାରେ ରିଲିଜ୍ ହେବ ।

