କଟକ: ସ୍ରଷ୍ଟାଙ୍କ ସାରସ୍ବତ କୃତିକୁ ପାଠକଙ୍କ ପାଖରେ ପହଞ୍ଚାଇ ସାହିତ୍ୟକୁ ସମୃଦ୍ଧ କରିବାରେ ପ୍ରକାଶକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଐତିହ୍ୟ ଓ ପରମ୍ପରାକୁ ଆଧାର କରି ସୃଷ୍ଟି ହେଉଥିବା ସାହିତ୍ୟ କାଳଜୟୀ ହୋଇଥାଏ। ସୁସାହିତ୍ୟ ସୃଷ୍ଟି କରିବାରେ ପ୍ରକାଶକଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ‘ପୀତାମ୍ବର ମିଶ୍ର ଫାଉଣ୍ଡେସନ’ ପକ୍ଷରୁ ସାରଳା ଭବନରେ ଆୟୋଜିତ ପ୍ରକାଶକ-ସାରସ୍ବତ ସାଧକ ପୀତାମ୍ବର ମିଶ୍ରଙ୍କ ସ୍ମୃତି ସମାରୋହକୁ ଉଦ୍ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଲାଲ୍। ଏହି ଅବସରରେ ସେ କହିଥଲେ ଯେ, ପୀତାମ୍ବର ମିଶ୍ର ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ମାଧ୍ୟମରେ ବହୁ ଲେଖକଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ଦେବାସହିତ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏଥିପାଇଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ। କବିତା, ଗଳ୍ପ, ଉପନ୍ୟାସ ଆଦି ସାହିତ୍ୟରେ ସତ୍ୟତା ଓ ମାନବିକ ମୂଲ୍ୟବୋଧ ନ ଥିଲେ, ତାହା ସାହିତ୍ୟ ପଦବାଚ୍ୟ ନୁହେଁ ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଡ. ବିଜୟାନନ୍ଦ ସିଂହ କହିଥିଲେ, ପୀତାମ୍ବର ମିଶ୍ର ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରକାଶନ ଜଗତକୁ ଦିଗ୍ଦର୍ଶନ ଦେବାସହିତ ପାଠକ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲେ। ସାମାରୋହରେ ଯୋଗଦେଇ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ କହିଥିଲେ ଯେ ପୀତାମ୍ବରବାବୁ ଥିଲେ ଜ୍ଞାନଦୀପ୍ତ ପ୍ରକାଶକ। ଏଥିସହିତ, ତାଙ୍କୁ ସେ ଜଣେ କର୍ମଯୋଗୀ ଓ ବଦାନ୍ୟ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ଦାଶ ବେନ୍ହୁର କହିଥିଲେ, ସାହିତ୍ୟ ସୃଷ୍ଟିରେ ପ୍ରକାଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୀତାମ୍ବରବାବୁ ସାହିତ୍ୟର ବିଭିନ୍ନ ବିଭାଗର ପୁସ୍ତକ ପ୍ରକାଶ କରି ପ୍ରକାଶନ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି କଥାକାର ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ପୀତାମ୍ବର ମିଶ୍ର ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।
ଏହା ବ୍ୟତୀତ ସାମାଜିକ ଅନୁଷ୍ଠାନ ‘ବସୁନ୍ଧରା’କୁ ‘ସମାଜସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ‘ବସୁନ୍ଧରା’ ପରିଚାଳିକା ଶୈଳ ବେହେରା ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ପୁରସ୍କାର ସ୍ୱରୂପ ୩୦ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ଦିଆଯାଇଥିଲା। ସେହିପରି ‘ବସୁନ୍ଧରା’ର ସ୍ନିଗ୍ଧା ବିଶ୍ୱାଳଙ୍କୁ ସମ୍ମାନଜନକ ‘ଉମାଦେବୀ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ହଜାର ଟଙ୍କା, ମାନପତ୍ର ଓ ଉତ୍ତରୀୟ ଦିଆଯାଇଥିଲା। ଉତ୍ସବରେ ଲେଖିକା ଡକ୍ଟର କବିତା ବାରିକଙ୍କ ରଚିତ ତଥା ‘ବିଦ୍ୟାପୁରୀ ଦ୍ୱାରା ପ୍ରକାଶିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ଙ୍କ ଜୀବନୀ ଗ୍ରନ୍ଥ ‘ରାଇରଙ୍ଗପୁରରୁ ରାଇସିନା’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉନ୍ମୋଚନ କରିଥିଲେ। ପୀତାମ୍ବର ମିଶ୍ରଙ୍କ କନ୍ୟା ଡକ୍ଟର ସୁନନ୍ଦା ମିଶ୍ର ସ୍ୱାଗତ ଭାଷଣ ଦେବାସହ ଫାଉଣ୍ଡେସନର ଆଭିମୁଖ୍ୟ ସଂପର୍କରେ କହିଥିବା ବେଳେ ପୀତାମ୍ବର ମିଶ୍ରଙ୍କ ପୁତ୍ର ଜୀବାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ। ସାହିତ୍ୟିକ ବିଜୟ ମଲ୍ଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୋପା ଦାସ, ଡକ୍ଟର ବିରଞ୍ଚି ସାହୁ, ଇଞ୍ଜିନିୟର ସୁଶାନ୍ତ ସେଠୀ, ତପସ୍ୱିନୀ ରଣସିଂହ, ବିଭୁପ୍ରସାଦ ରାଉତ, ବ୍ରଜକିଶୋର ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।