ମନୋରଞ୍ଜନ ରାଜ୍ୟ

ଏହି ସିନେମା ଜୟୀଙ୍କ ଅଭିନୟ ଜୀବନକୁ ଦେଇଥିଲା ନୂଆ ମୋଡ଼: ସଂଳାପ ପାଇଁ ବି ସାଉଁଟିଥିଲେ ଅଜସ୍ର ପ୍ରଶଂସା

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଅନ୍ୟତମ ସଫଳ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କର ଆଜି ଜନ୍ମଦିନ। ସେ ଜୟୀ ଭାବରେ ଅଧିକ ପରିଚିତ। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କୀତ ଏକ ରୋଚକ ପ୍ରସଙ୍ଗ।

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ରୁ ଅଭିନୟ ଆରମ୍ଭ କରିଥିବା ଜୟୀ ରଙ୍ଗମଞ୍ଚରେ ନିଜର ପ୍ରତିଭା ପ୍ରମାଣିତ କରିବା ପରେ ସିନେମାରେ ଅଭିନୟ ପାଇଁ ଆଗ୍ରହୀ ଥିଲେ। ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦେଶକ ଗୌର ଘୋଷ ଜୟୀଙ୍କୁ ‘ସ୍ତ୍ରୀ’ ଫିଲ୍ମରେ ପ୍ରଥମ ସୁଯୋଗ ଦେଇଥିଲେ। ‘ସ୍ତ୍ରୀ’ରେ ଜୟୀ ସମ୍ରାଟ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ ଯାଯାବର, ନାଗଫାସ ଓ ମା ଓ ମମତା ଆଦି ବେଶ କେତୋଟି ଓଡ଼ିଆ ଛବିରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ହେଲେ ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ‘ଫୁଲ ଚନ୍ଦନ’ ଜୟୀଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେଇଥିଲା। କହିବାକୁ ଗଲେ ‘ଫୁଲ ଚନ୍ଦନ’ ପରେ ହାସ୍ୟ ଅଭିନେତା ଜୟୀରାମ ସାମଲ ଆଉ ପଛକୁ ଫେରିଚାହିଁନଥିଲେ। ଏହାପରେ ଯେତେସବୁ ସିନେମା ନିର୍ମିତ ହେଉଥିଲା, ସେଥିମଧ୍ୟରୁ ଅଧିକାଂଶ ଛବିରେ ଜୟୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଧାରା ନବେ ଦଶକର ଶେଷ ଯାଏଁ ଚାଲିଥିଲା।
‘ଫୁଲ ଚନ୍ଦନ’ ଜୟୀଙ୍କ ଚରିତ୍ରର ନାଆଁ ଥିଲା ଡାକ ଅଜା। ଏହି ଫିଲ୍ମରେ ଜୟୀଙ୍କ ମୁହଁରେ ଥିବା ସଂଳାପ ‘ଦେଖେ ତାକୁ’ ସେସମୟରେ କିଶୋର ଓ ଯୁବକଙ୍କୁ ମୁହଁରେ ପ୍ରାୟତଃ ଶୁଣିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ‘ଫୁଲ ଚନ୍ଦନ’ ରିଲିଜ୍ ହେବା ପରେ ଜୟୀ ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ, ସେଠି ତାଙ୍କୁ ‘ଦେଖେ ତାକୁ’ ସଂଳାପ କହିବାକୁ ଅନୁରୋଧ କରାଯାଉଥିଲା। ଏଥିରେ ସାଇକେଲ ଧରି ଡାକବାଲା ବେଶରେ ଜୟୀଙ୍କ ଗେଟଅପ୍ ବି ଖୁବ୍ ମନଲୋଭା ହୋଇଥିଲା।

ବଟକୃଷ୍ଣ ନାୟକଙ୍କ ପ୍ରଯୋଜିତ ତଥା ଖ୍ୟାତନାମା ନିର୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦେଶିତ ପ୍ରଥମ ଛବି ‘ଫୁଲ ଚନ୍ଦନ’ରେ ଜୟୀଙ୍କ ବ୍ୟତୀତ ଉତ୍ତମ ମହାନ୍ତି, ଅପରାଜିତା, ଅଜିତ ଦାସ, ଦୀପା ସାହୁ, ଜୟା, ଦେବୁ ବୋଷ, ଶରତ ପୂଜାରୀ ଓ ଅନୀତା ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ସଙ୍ଗୀତକାର ଥିଲେ ସରୋଜ ପଟ୍ଟନାୟକ। ‘ଫୁଲ ଚନ୍ଦନ’ର ସଫଳତା ପଛରେ ଜୟୀଙ୍କ ଅବଦାନକୁ ଅଣଦେଖା କରାଯାଇନପାରେ। ଏହି ସିନେମା ଲାଗି ଜୟୀ ଅଜସ୍ର ପ୍ରଶଂସା ସାଉଁଟିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ