ଢାକା: ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ବୁଧବାର ବଡ଼ ବିଜୟ ହାସଲ କରିଛି। କୋରିଆ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍କୁ ୨-୨ରେ ଅମୀମାଂସିତ ରଖିଥିବା ଭାରତ ବୁଧବାର ୯-୦ ଗୋଲ୍ରେ ଆୟୋଜକ ବାଂଲାଦେଶକୁ ମାତ୍ ଦେଇଛି। ମ୍ୟାଚ୍ର ୧୨ତମ ମିନିଟ୍ରେ ଫିଲ୍ଡ ଗୋଲ୍ ଜରିଆରେ ଦିଲପ୍ରୀତ ସିଂହ ଭାରତକୁ ପ୍ରଥମ କ୍ବାର୍ଟରରେ ୧-୦ରେ ଅଗ୍ରଣୀ ଦେଇଥିଲେ। ୨୨ତମ ମିନିଟ୍ରେ ପୁଣି ଏକ ଫିଲ୍ଡ ଗୋଲ୍ ଦେଇ ଦିଲ୍ପ୍ରୀତ ଦେଇ ସ୍ଥିତି ୨-୦ କରିଥିଲେ। ୨୯ତମ ମିନିଟ୍ରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଲଲିତ କୁମାର ଉପାଧ୍ୟାୟ ଗୋଲ୍ରେ ପରିଣତ କରି ପ୍ରଥମାର୍ଦ୍ଧରେ ଦଳକୁ ୩-୦ରେ ଆଗୁଆ ରଖିଥିଲେ। ୩୧, ୪୩ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଫଳତା ସହ ଗୋଲ୍ରେ ପରିଣତ କରିଥିଲେ ଜର୍ମନପ୍ରୀତ ସିଂହ। ଫଳରେ ଭାରତ ୫-୦ରେ ଆଗୁଆ ରହିଥିଲା। ୪୪ତମ ମିନିଟ୍ରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଜରିଆରେ ଦଳ ପାଇଁ ଷଷ୍ଠ ଗୋଲ୍ କରିବା ସହ ବ୍ୟକ୍ତିଗତ ହ୍ୟାଟ୍ରିକ ସଫଳତା ପାଇଥିଲେ। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଭାରତ ଆଉ ୩ ଗୋଲ୍ ଦେଇଥିଲା। ଏହି ୩ ଗୋଲ୍ ଅକାଶଦୀପ ସିଂହ (୫୪ ମିନିଟ୍), ମନଦୀପ ମୋର (୫୫ ମିନିଟ୍) ଓ ହର୍ମନପ୍ରୀତ ସିଂହ (୫୭ ମିନିଟ୍) ଦେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ଶୁକ୍ରବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ।