ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଣିକି ପ୍ରତିବର୍ଷ ବାଘଗଣନା: ଓଡ଼ିଶାରେ ବଢ଼ୁଛି କଳାବାଘ ବଂଶ

ଭୁବ‌ନେଶ୍ବର: ଶିମିଳିପାଳ ଅଭୟାରଣ୍ୟର ଚିନ୍ତା ବଢ଼ାଇଲେଣି ମେଲାନିଷ୍ଟିକ୍‌ ଟାଇଗର(କଳାବାଘ)। ଇନ ବ୍ରିଡିଂ ଯୋଗୁଁ କଳାବାଘଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିବାରେ ଲାଗିଛି। ସମାନ ବଂଶରେ ବାଘଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଯୋଗୁଁ ଇନ ବ୍ରିଡିଂ ହେଉଥିବାରୁ ବାଘଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କମିଯିବାର ଆଶଙ୍କା ରହିଛି। ତେଣୁ କଳାବାଘଙ୍କ ସଂଖ୍ୟା ରୋକିବାକୁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରୁଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଓ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ) ସହ ରାଜ୍ୟ ସରକାର ଯୋଗାଯୋଗରେ ଥିବା ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ପ୍ରକୃତି ଭବନରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଛନ୍ତି ‌ଯେ ୨୦୨୧-୨୨ରେ ଏନ୍‌ଟିସିଏ ପକ୍ଷରୁ କରାଯାଇଥିବା ବାଘ ଗଣନାରେ ଓଡ଼ିଶାରେ ୧୭ଟି ବାଘ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ତେଣୁ ରାଜ୍ୟ ସରକାର ପ୍ରତିବର୍ଷ ନିଜସ୍ବ ଗଣନା କରିବାକୁ ନିଷ୍ପତ୍ତି ନେବା ସହ ଅକ୍ଟୋବର ୧୫ରୁ
ଫେବ୍ରୁଆରି ୧୦ ମଧ୍ୟରେ ଜଙ୍ଗଲରେ କ୍ୟାମେରା ଲଗାଇ ଗଣନା କରିଥିଲେ। ମୋଟ ଉପରେ ବାଘଙ୍କ ୫୬୭ଟି ଫଟୋ କ୍ୟାମେରାରେ ଦୃଶ୍ୟମାନ ହେବା ପରେ ତାହାର ସମୀକ୍ଷା କରାଯାଇ ରିପୋର୍ଟ ପ୍ରକାଶ ପାଇଛି। ଶିମିଳିପାଳରେ ୨୪ଟି ମହାବଳ କ୍ୟାମେରା ସାମ୍ନାକୁ ଆସିଥିଲେ। ଯେଉଁଥିରେ ୧୧ଟି ମହାବଳ ଓ ୧୩ଟି କଳା ବାଘ ଥିଲେ। ୨୦୨୨ରେ ଶିମିଳିପାଳରେ କଳାବାଘଙ୍କ ସଂଖ୍ୟା ୧୦ ରହିଥିଲା। ୨୦୨୪ରେ ତାହା ୧୩ରେ ପହଞ୍ଚିଲାଣି। ମହାବଳଙ୍କ ସଂଖ୍ୟା ମଧ୍ୟ ବଢ଼ିଛି।

ଶିମିଳିପାଳ ବ୍ୟତୀତ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ପାରଳାଖେମୁଣ୍ଡି ଜଙ୍ଗଲ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ରହିଥିବା ଜଣାପଡ଼ିଛି। ଶିମିଳିପାଳରେ ବାଘଙ୍କ ସଂଖ୍ୟା ବଢିବା ପରେ ମହାବଳ ଏବେ ନୂଆ ଅଞ୍ଚଳ ସନ୍ଧାନରେ ରହିଛନ୍ତି। ତେଣୁ କେନ୍ଦୁଝର, ହଦଗଡ଼ ଓ କୁଲଡିହାକୁ ମିଶାଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡସ୍କେପର ବିକାଶ କରାଯିବ। ଅଭୟାରଣ୍ୟରେ ମହାବଳଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ, ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବାକୁ ଯୋଜନା ହୋଇଛି। ପ୍ରତିବର୍ଷ ବାଘ ଗଣନା କରାଯିବାକୁ ନିଷ୍ପତ୍ତି ହୋଇଥିବାରୁ ଅଧିକ ସଂଖ୍ୟକ କ୍ୟାମେରା ଲଗାଇବା ଦିଗରେ ପଦ‌କ୍ଷେପ ନିଆଯାଉଛି। ସାତକୋଶିଆରେ ଗୋଟିଏ ବି ମହାବଳ ନାହାନ୍ତି। ସେଠାରେ ପୁଣିଥରେ ବାଘ ବଂଶ ବୃଦ୍ଧି କରିବାକୁ ହେଲେ ଜନବସତିକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରିବାର ଆବଶ୍ୟକତା ରହିଛି। ଏବେ ସୁଦ୍ଧା ମାତ୍ର ୫ଟି ଗାଁକୁ ବିସ୍ଥାପନ କରାଯାଇଛି। ଜଙ୍ଗଲ ଭିତରେ ଥିବା ସମ୍ପୂର୍ଣ୍ଣ ଗ୍ରାମ ସ୍ଥାନାନ୍ତର ହେବା ପରେ ଅଭୟାରଣ୍ୟରେ ପୁଣିଥରେ ମହାବଳ ବଂଶ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ ବୋଲି ପିସିସିଏଫ୍‌ ଶ୍ରୀ ନନ୍ଦ ମତପ୍ରକାଶ କରିଛନ୍ତି।

ଶ୍ରୀ ନନ୍ଦ ଆହୁରି କହିଛନ୍ତି ଯେ ଓଡ଼ିଶାରେ ବାଘ ବଂଶ ବୃଦ୍ଧି ହେଉଛି। ନୂଆ ଜଙ୍ଗଲରେ ବାଘ ଚିହ୍ନଟ ହୋଇଥିବାରୁ ସେଠାରେ ବାଘଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସୁନାବେଢ଼ା ଅଭୟାରଣ୍ୟକୁ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ନେଇ ଏନ୍‌ଟିସିଏ ପକ୍ଷରୁ ଅନୁମତି ମିଳିସାରିଛି। ଘୋଷଣା କରିବା ନେଇ ତର୍ଜମା ଚାଲିଛି। ବାଘଙ୍କ ପଦଚିହ୍ନ, ରାମ୍ପୁଡ଼ା ଚିହ୍ନ, ମଳ, ପଞ୍ଝା ଚିହ୍ନ, ପରିସ୍ରା, ଗର୍ଜନ ଓ ଲାଇଭ୍‌ଷ୍ଟକ ଡିପପ୍ରଡେସନ୍‌ ଆଦି ଆଧାରରେ ଚଳିତବର୍ଷର ଗଣନା ହୋଇଛି। ରାଜ୍ୟ ବାହାର ବାଘ ଓଡ଼ିଶା ଜଙ୍ଗଲକୁ ଆସୁଥିବାର ନଜର ଆସିଛି। ଶିମିଳିପାଳକୁ ୩ଟି ମହାବଳ ଆସୁଥିବା‌ ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଥିଲେ ମଧ୍ୟ ସେମାନେ କ୍ୟାମେରା ଟ୍ରାପ୍‌କୁ ଆସି ନାହାନ୍ତି। ରାଜ୍ୟର ସମସ୍ତ ମାଈ ବାଘ କେବଳ ଶିମିଳିପାଳରେ ହିଁ ରହିଛନ୍ତି। ଓଡ଼ିଶାର ଅନ୍ୟ କୌଣସି ଅଭୟାରଣ୍ୟ କିମ୍ବା ଜଙ୍ଗଲରେ ମାଈ ବାଘ ଦେଖାଯାଇ ନ ଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।