ରାଜ୍ୟ

ଉପାନ୍ତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା: ପାହାଡ଼ରୁ ବାଉଁଶପୋଲ ମାଧ୍ୟମରେ ଜମିକୁ ପାଣି ମଡ଼ାଇଲେ ଚାଷୀ

ଝରିଗାଁ (ରମେଶ ପଟ୍ଟନାୟକ): ପାହାଡ଼ରୁ ନିର୍ଗତ ଝରଣା ଜଳ କୃଷକର କ୍ଷେତରେ ଫସଲ ଫଳାଉଛି। ଝରଣାର ଜଳ ଚାଷୀଭାଇର ଆର୍ଥିକ ବିକାଶରେ ସହାୟକ ହେଉଛି। ଚାଷୀଭାଇମାନେ ଝରଣାର ଜଳକୁ ସଦବିନିଯୋଗ କରି ସରକାର ଓ ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଉପାନ୍ତ ତେଲନଦୀ ପଂଚାୟତ ଅନ୍ତର୍ଗତ ଦୁର୍ଗମ କୁନିନାଲ ଗ୍ରାମର ଚାଷୀମାନେ ନିଜେ ବୁଦ୍ଧି ଲଗାଇ ଗୋଟିଏ ପାହାଡ଼ରେ ବହୁଥିବା ଝରଣା ପାଣିକୁ ବାଉଁଶପୋଲ ସାହାଯ୍ୟରେ ପ୍ଲାଷ୍ଟିକ ପାଇପ ଯୋଗେ ଜମିରେ ପାଣି ମଡ଼ାଇବା ପାଇଁ ସକ୍ଷମ ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରାଧାନ୍ୟ ବ୍ଲକ ଭାବେ ପରିଚିତ। ଏହି ବ୍ଳକରେ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଜମିରେ ଜଳ ସେଚନ ପାଇଁ କୌଣସି ସୁବିଧା ନାହିଁ। ତେଣୁ ବ୍ଳକର ପ୍ରାୟ ଚାଷୀ ବର୍ଷା ପାଣି ଉପରେ ଭରସା କରୁଛନ୍ତି।


କୁନିଲାଲ ଗ୍ରାମ ଠାରୁ କିଛି ଦୂରରେ ରହିଛି ଦୁଇଟି ପାହାଡ଼ (ଚି଼ଙ୍ଗିଡ଼ା-ଡଙ୍ଗରି ଏବଂ ସାନକୁନି)। ଏହି ଦୁଇ ପାହାଡ଼ ମଝିରେ ପ୍ରବାହିତ ହେଉଛି ପଦାମ ନଦୀ। ଉକ୍ତ ନଦୀର ଏକ ଛୋଟ ଝରରୁ ପ୍ରାୟ ୫୦ ଫୁଟ ଉପରେ ଥିବା ଚାଷ ଜମିରେ ପାଣି ନେବା ପାଇଁ କୁନିଲାଲ ଗ୍ରାମବାସୀ ପ୍ରଥମେ ଚିନ୍ତା କରିଥିଲେ। ପରେ ଗ୍ରାମବାସୀ ନିଜ ବୁଦ୍ଧି ବଳରେ ଆରମ୍ଭ କରିଥିଲେ ଜମିରେ ଜଳସେଚନ ପାଇଁ କାମ। ପ୍ରଥମେ ଦୁଇ ପାହାଡ଼ର ତଳେ ବଡ଼ବଡ଼ ବାଉଁଶ ସାହାଯ୍ୟରେ ୫୦ ଫୁଟର ଟାୱାର ଆକୃତିର ତିଆରି କରିଥିଲେ। ଏହି ଟାୱାର ଆକୃତିର ବାଉଁଶ ଉପରେ ସିଧାସିଧା ବାଉଁଶଗୁଡ଼ିକ ବାନ୍ଧିଥିଲେ, ଯାହାକି ପ୍ରାୟ ୧୦୦ ମିଟର ହେବ। ଫଳରେ ଚି଼ଙ୍ଗିଡ଼ା-ଡଙ୍ଗରି ପାହାଡ଼ ଏବଂ ସାନକୁନି ପାହାଡ଼ ସମତୁଲ ପାଇଁ ସୁବିଧା ହୋଇଥିଲା। ପରେ ଗ୍ରାମବାସୀ ସାନକୁନି ପାହାଡ଼ ଉପରୁ ପ୍ରବାହିତ ଏକ ଛୋଟ ଝରରେ ଏକ ଟିଣ ଡବା ଲଗାଇ ପାଣିକୁ ଅଟକାଇ ଥିଲେ। ସେହି ଟିଣ ଡବା ପଛପଟ ପ୍ଲାଷ୍ଟିକ ପାଇପଗୁଡିକୁ ଭଲ ଭାବେ ଖଞ୍ଜି ଥିଲେ। ଏହି ଭଳି ଭାବେ ଗୋଟିଏ ପରେ ଗୋଟିଏ ପ୍ଲାଷ୍ଟିକ ପାଇପକୁ ଯୋଡ଼ି ବାଉଁଶପୋଲ ଦେଇ ଜମି ପର୍ଯ୍ୟନ୍ତ ବିଛାଇ ଥିଲେ। ଶେଷରେ ସେମାନେ ପ୍ଲାଷ୍ଟିକ ପାଇପ ଯୋଗେ ଜମିକୁ ପାଣି ନେବାରେ ସକ୍ଷମ ହୋଇଥିଲେ।

ତେବେ ପ୍ଲାଷ୍ଟିକ ପାଇପଗୁଡ଼ିକ ମଝିମଝିରେ ଫାଟି ଯାଇଥିବା ଯୋଗୁଁ ପାଣି ଅଳ୍ପ ଆସୁଥିବା ବେଳେ ଫଟା ପାଇପଗୁଡ଼ିକୁ ମରାମତି କଲେ ପାଣିର ବେଗ ବଢ଼ିବା ସହ ଅଧିକ ପାଣି ଜମିରେ ମଡ଼ାଇବା ହେବ। ପାଣି ଚାଷଜମିରେ ପହଞ୍ଚିବା ପରେ ଗ୍ରାମବାସୀ ଖୁସି ଥିବା ବେଳେ ଏହି ପାଣି ଦ୍ୱାରା ପ୍ରାୟ ପାଞ୍ଚ ଏକର ଜମିରେ ଚାଷ କରିହେବ ବୋଲି ଗ୍ରାମବାସୀ କହିଛନ୍ତି।

ସବୁଠାରୁ କ୍ଷୋଭର ବିଷୟ ଯେ, କୁନିନାଲ ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ କରାଯାଇ ନାହିଁ। ଖଦରାପାଣି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଥିବା ବେଳେ ସେଠାରୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ପାହାଡ଼ ଦେଇ ଯିବା ପାଇଁ ପଡ଼େ। ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସରକାର ଚାହିଁଲେ ଝରଣାର ଜଳ କୃଷକମାନଙ୍କ ଚାଷକାମରେ ସଦ୍‌ବିନିଯୋଗ ହୋଇପାରନ୍ତା ବୋଲି ମଧ୍ୟ କୁହନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।