ରାଜ୍ୟ ସ୍ପେଶାଲ ରିପୋର୍ଟ

ଉଦଘାଟନ ପରଠାରୁ ବନ୍ଦ ପଡ଼ିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ୱାର୍ଡ

ଖୋର୍ଦ୍ଧା: ମାସେ ପୂର୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ଆଇସିୟୁ)ଉଦ୍‌ଘାଟିତ ହୋଇଥିଲା। ଏହି ସମୟରେ ସିଡିଏମ୍‌ଓଙ୍କ ଠାରୁ ଆରମ୍ଭ କରି ବିଧାୟକ ସମସ୍ତେ କହିଥିଲେ ଯେ ଏହା ଦ୍ବାରା ଲୋକଙ୍କୁ ତ୍ବରିତ ଓ ଉନ୍ନତ ମାନର ଚିକିତ୍ସାସେବା ମିଳିବ। ଏହା ମଧ୍ୟରେ ୧ ମାସ ବିତିଯାଇଛି, କିନ୍ତୁ ରୋଗୀଙ୍କୁ ଏହି ଉନ୍ନତମାନର ଚିକିତ୍ସାସେବା ମିଳିପାରିନାହିଁ।

ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଆଇସିୟୁ ୱାର୍ଡ ନଥିବାରୁ ଅନେକ ସମୟରେ ଦୀର୍ଘ ସମୟ ଧରି ହସପିଟାଲ୍‌ରେ ରହି ଜଟିଳ ସ୍ବାସ୍ଥ୍ୟ ସେବା ଆବଶ୍ୟକତା କରୁଥିବା ରୋଗୀଙ୍କୁ ଭୁବନେଶ୍ବର ପଠାଇଦିଆଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସିୟୁ ୱାର୍ଡ ଖୋଲିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦାବି ମଧ୍ୟ ହେଉଥିଲା। ଶେଷରେ ଏଥିପାଇଁ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ବିଧାୟକ ହାତପାଣ୍ଠୀରୁ ଦେଢ଼ କୋଟି ଟଙ୍କାର ଅନୁଦାନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ୫୦ଲକ୍ଷ ଟଙ୍କାର ଅନୁଦାନ ଏଭଳି ମୋଟ ୨ କୋଟି ଟଙ୍କା ଅନୁଦାନ କରାଗଲା।  ଚିକିତ୍ସାଳୟର ଦ୍ବିତୀୟ ମହଲାରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ  ୱାର୍ଡର ନିର୍ମାଣ କାର୍ଯ୍ୟ ପ୍ରାୟ ୨ ବର୍ଷ ଚାଲିଥିଲା। ଚଳିତ ବର୍ଷ ୪ ଅକ୍ଟୋବରରେ ଏହାର ଉଦ୍‌ଘାଟନ ହୋଇଥିଲା।

ଏହି ସମୟରେ ସିଡିଏମ୍‌ଓ ଡା ଆର୍ତବନ୍ଧୁ ନାୟକ କହିଥିଲେ ଯେ ଶୀତତାପ ଅନୁକୂଳ ପ୍ରକୋଷ୍ଠ ସହ ଅତ୍ୟାଧୁନିକ ଶଯ୍ୟା, ଭେଣ୍ଟିଲେଟର, ମନିଟର ସବୁ ପ୍ରସ୍ତୁତ ରହିଛି। କ୍ୟାବିନ୍‌କୁ ପାଇପ ଯୋଗେ ଅମ୍ଲଜାନ, ପ୍ରକୋଷ୍ଠକୁ ପାଇପ ଲାଇନ୍‌ ଆଦି କାମ ଚାଲୁଛି ଏହା ଖୁବ୍‌ଶୀଘ୍ର ସଂଯୋଗ ହେବ। ସେହିଭଳି ଆବଶ୍ୟକ ଥିବା ପାରାମେଡିକ୍‌ କର୍ମଚାରୀ, ଡାକ୍ତର ଆଦି ପୂରଣ କରିବାକୁ ରାଜ୍ୟ ଚିକିତ୍ସା ବିଭାଗକୁ ଚିଠି ଲେଖାଯାଇଛି, ଏହା ମଧ୍ୟ ପୂରଣ ହେବ। ଏହି ସମୟରେ ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଥିଲେ ଯେ ଏହି ଆଇସିୟୁ ୱାର୍ଡରେ ସେହି ଦିନ ଠାରୁ ହିଁ ଚିକିତ୍ସାସେବା ଆରମ୍ଭ ହେବ। ଏହା ମଧ୍ୟରେ ୧ ମାସ ବିତିଗଲାଣି, କିନ୍ତୁ ପ୍ରକୋଷ୍ଠ ରୋଗୀଙ୍କ କାମରେ ଲାଗିପାରିଲା ନାହିଁ। ରୋଗୀଙ୍କ ପାଇଁ ଖୋଲାଯିବା ପଛରେ ଥାଉ, ଏହାପୂର୍ବରୁ ଆବଶ୍ୟକ ଅମ୍ଲଜାନ ପାଇପ୍‌ଲାଇନ୍‌ ଓ ଅନ୍ୟ ବୈଷୟିକ ସଂଯୋଗ ଏଯାଏଁ ସଂପୂର୍ଣ୍ଣ ହୋଇପାରିନାହିଁ। ଆଇସିୟୁ ୱାର୍ଡର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ଅତିରିକ୍ତ ପାରାମେଡିକ୍‌ ଷ୍ଟାଫ୍‌, ଡାକ୍ତର ମଧ୍ୟ ଏଯାଏଁ ପୂରଣ ହୋଇପାରିଲେ ନାହିଁ।

ଚିକିତ୍ସାଳୟରୁ ମିଳିଥିବା ସୂଚନାନୁସାରେ ବର୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାରାମେଡିକ୍‌ ଓ ଡାକ୍ତର ଏଭଳି ମୋଟ ୧୫୪ଟି ପଦବୀ ରହିଛି, ଏହା ମଧ୍ୟରୁ କେବଳ ୪୬ଟି ପଦବୀ ପୂରଣ ହୋଇଛି। ଆଇସିୟୁ ୱାର୍ଡ ଚାଲିବାକୁ ସର୍ବନିମ୍ନ ୭ ଡାକ୍ତର, ୭ ନର୍ସ ଓ ୪ ପାରାମେଡିକ୍‌ କର୍ମଚାରୀ ଆବଶ୍ୟକ। ବର୍ତମାନ କେବଳ ୩ ଡାକ୍ତର ଓ ୩ ନର୍ସ ଅଛନ୍ତି। ୧ ମାସ ବିତିଯାଇଛି କୌଣସି ପାରାମେଡିକ୍‌ କର୍ମଚାରୀ ନିୟୋଜିତ ହେଇପାରିନାହାନ୍ତି।

ଏନେଇ ଜିଲ୍ଲା ଚିକିତ୍ସାଳୟର ପରିଚାଳକ ଡା ବିନାୟକ ପାଣିଗ୍ରାହୀ କହିଛନ୍ତି ଯେ ଅମ୍ଲଜାନ ପାଇପ ଲାଇନ କାମ ଚାଲିଛି। ଆଇସିୟୁରେ ନିୟୋଜିତ ଥିବା ୩ ଡାକ୍ତରଙ୍କ ମଧ୍ୟରୁ ୨ ଜଣ ରିଫ୍ରେସର କୋର୍ସ ପାଇଁ ଯାଇଛନ୍ତି। ସେହିଭଳି ଆବଶ୍ୟକ ଥିବା ୭ ନର୍ସ ମଧ୍ୟ ଆଜି ଜିଲ୍ଳା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ପ୍ରସ୍ତୁତି ଚାଲିଛି ଖୁବ୍‌ ଶୀଘ୍ର ଆଇସିୟୁ ଖୋଲାହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।