ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସର ୩ କୋଟିରୁ ଅଧିକ ଟଙ୍କା ହେରଫେର୍!

କଟକ : କଟକ ତଳ ତେଲେଙ୍ଗାବଜାରରେ ଥିବା ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ (ୟୁସିସିସି) ନାମରେ ଥିବା ପାଣ୍ଠିର ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୁରୀଘାଟ ଥାନାରେ ଆଜି ଏତଲା ଦିଆଯାଇଛି। ପାଣ୍ଠି ହେରଫେର ପରିମାଣ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି କିଛି ସଦସ୍ୟ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।

ADVERTISEMENT

ଅଭିଯୋଗ ଅନୁଯାୟୀ, ୟୁସିସିସିର ଏକ ଶାଖା ଭାବେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍‌ ଆସୋସିଏସନ୍‌କୁ ଦର୍ଶାଇ ନୂଆ ସଦସ୍ୟଙ୍କ ନିକଟରୁ ବହୁବର୍ଷ ଧରି ଅର୍ଥ ଲୁଟ୍ ହୋଇଆସୁଛି। ଏଭଳି କୌଣସି ଶାଖା ସଂସ୍ଥା ପଞ୍ଜିକୃତ ହୋଇ ନଥିବା ବେଳେ ଯୋଜନାବଦ୍ଧ ଭାବେ ଅର୍ଥ ଲୁଟ୍ କରାଯାଉଥିବା ନେଇ କିଛି ପ୍ରଯୋଜକ ପୁରୀଘାଟ ଥାନାରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଓଡିଆ ଚଳଚ୍ଚିତ୍ର ନିର୍ମାତା, ବିତରକ ଏବଂ ଏକ୍‌ଜିବିଟର୍‌ଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୟୁସିସିସି ୧୯୯୩ରେ ଗଠନ କରାଯାଇଥିଲା। ସୋସାଇଟିସ୍ ଆକ୍ଟ ଅନୁଯାୟୀ ଏହା ପଞ୍ଜୀକରଣ କରାଯାଇଛି। ସମୟକ୍ରମେ ନୂଆ ପ୍ରଡକ୍ସନ ହାଉସ୍, ବିତରକ, ଏକ୍‌ଜିବିଟର୍‌ମାନେ ଏହି ସଂସ୍ଥା ସହିତ ଯୋଡ଼ି ହୋଇଛନ୍ତି। କିନ୍ତୁ କାର୍ଯ୍ୟନିର୍ବାହୀ କମିଟି ପାଇଁ ଅଫିସ୍‌ ବିୟରର୍ସଙ୍କ ଉପଯୁକ୍ତ ନିର୍ବାଚନ ହୋଇନାହିଁ। ଗଲା ଦୁଇ ଦଶନ୍ଧି ତଳେ ନିର୍ବାଚନ ହୋଇଥିଲା। କିଛି ସଦସ୍ୟଙ୍କ ଏହାରି ଭିତରେ ଦେହାନ୍ତ ହୋଇଯାଇଛି। କିନ୍ତୁ ସେମାନଙ୍କ ପରେ କୌଣସି ଉପନିର୍ବାଚନ କରାଯାଇନାହିଁ। ସୋସାଇଟିର କିଛି ସଦସ୍ୟ ନିଜେ ନିର୍ବାଚନ ତାରିଖ ସ୍ଥିର କରୁଛନ୍ତି। କିନ୍ତୁ ସାଧାରଣ ପରିଷଦ ବୈଠକ ନଡ଼ାକି ଚୟନ ପଦ୍ଧତି ମାଧ୍ୟମରେ ସେମାନେ ନିଜକୁ ଅଫିସ୍‌ ବିୟରର୍ସ ଭାବେ ପୁନଃ ନିଯୁକ୍ତ କରୁଛନ୍ତି।

The Indian Express

ଅନେକ ନୂଆ ସଦସ୍ୟ ୟୁସିସିସିରେ ଯୋଗ ଦେଉଥିବା ବେଳେ ସେମାନଙ୍କୁ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍‌ ଆସୋସିଏସନ୍ ନାଁରେ ଏକ ରସିଦ୍ ପ୍ରଦାନ କରାଯାଇଛି। ଉକ୍ତ ଅନୁଷ୍ଠାନ ୟୁସିସିସିର ଏକ ଶାଖା ବୋଲି ଦର୍ଶାଯାଉଛି। କିନ୍ତୁ ଏଭଳି କୌଣସି ପଞ୍ଜିକୃତ ଶାଖା ନଥିବା ବେଳେ ୟୁସିସିସିର ବାଇ ଲରେ ଏଭଳି କୌଣସି ଶାଖା ଗଠନ ପାଇଁ ଅନୁମତି ବି ଦିଆଯାଇନାହିଁ। ଗଲା କିଛିବର୍ଷ ଧରି ଏହି ଶାଖା ଅନୁଷ୍ଠାନ ପକ୍ଷରୁ ସଦସ୍ୟତା ଫି ବାବାଦ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରାଯାଇଛି। ଏହି ଅର୍ଥକୁ ପରବର୍ତ୍ତୀ ସମୟରେ ଅପବ୍ୟବହାର କରାଯାଇଛି। ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍‌ ଆସୋସିଏସନ୍‌ର ଆକାଉଣ୍ଟାଣ୍ଟ ବୁଦ୍ଧିରାମ ବେହେରା ନାମକ ଜଣେ ବ୍ୟକ୍ତି ନୂଆ ସଦସ୍ୟଙ୍କ ପିଛା ୫୦ ହଜାର ଟଙ୍କା ସଦସ୍ୟତା ଦେୟ ଆଦାୟ କରୁଛନ୍ତି। ପ୍ରତିବାଦ କଲେ ଦୁର୍ବ୍ୟବହାର ସହିତ ଚଳଚ୍ଚିତ୍ର ମୁକ୍ତିଲାଭ କରାଇ ନଦେବାକୁ ଧମକ ଦେଉଛନ୍ତି। ବ୍ଲାକ୍‌ମେଲ୍ କରି ଏହି ଫି ବଳପୂର୍ବକ ସଂଗ୍ରହ କରାଯାଉଛି। ସିନେମା ପ୍ରଯୋଜନା କ୍ଷେତ୍ରରେ ନୂଆ କରି ପ୍ରବେଶ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧମକ ଦିଆଯାଉଛି। ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ସହିତ ସେମାନଙ୍କ ଦ୍ବାରା ପ୍ରଯୋଜିତ ଚଳଚ୍ଚିତ୍ର ମୁକ୍ତିଲାଭ କରିବାରେ ରୋକ ଲଗାଇବାକୁ ଚେତାବନୀ ବି ଦିଆଯାଉଛି।

ସୋସାଇଟିର ନୂତନ ସଦସ୍ୟମାନଙ୍କୁ ସାଧାରଣ ପରିଷଦ ବୈଠକରେ ସାମିଲ ହେବାକୁ ଅନୁମତି ଦିଆଯାଉ ନାହିଁ। ସେମାନଙ୍କୁ ସୋସାଇଟି ଅଫିସକୁ ପ୍ରବେଶ ଅନୁମତି ଦିଆଯାଉ ନଥିବା ବେଳେ ଦୁର୍ବ୍ୟବହାର ବି କରାଯାଉଛି। ଏପରିକି ସୋସାଇଟି ତରଫରୁ ଦାଖଲ କରାଯାଇଥିବା ବାର୍ଷିକ ରିଟର୍ଣ୍ଣ ନକଲ ଏବଂ ଆକାଉଣ୍ଟ ଷ୍ଟେଟମେଣ୍ଟ ନକଲ ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କଲେ ମଧ୍ୟ ଏହାକୁ ପ୍ରକାଶ କରାଯାଉ ନାହିଁ। ସୋସାଇଟିରେ ଅର୍ଥ ଠକେଇ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରୁ ନାହିଁ। ଏଭଳି ଭାବେ ଆଦାୟ ହେଉଥିବା ଅର୍ଥରାଶିର ଅପବ୍ୟବହାର ହେଉଥିବା ଭଳି ସଂଗିନ ଅଭିଯୋଗ ସିନେ ପ୍ରଯୋଜକ ସଂଜୟ ନାୟକ, ସୌଭାଗ୍ୟଲକ୍ଷ୍ମୀ ଜେନା, ଏନ.ଜି. ରେଡ୍ଡି, ଜ୍ୟୋତିରଞ୍ଜନ ମହାନ୍ତି ପୁରୀଘାଟ ଥାନାରେ କରିଛନ୍ତି। ଏହି ମାମଲାରେ ପୁଲିସ ଅର୍ଥ ହେରଫେର ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଏ ସମ୍ପର୍କରେ ପୁରୀଘାଟ ଥାନା ଆଇଆଇସି ଯତୀନ୍ଦ୍ରନାଥ ସେଠୀ କହିଛନ୍ତି ଯେ, ୟୁସିସିସିରେ ଆର୍ଥିକ ଅନିୟମିତତା ଦିଗକୁ ନେଇ ତଦନ୍ତ କରାଯିବ। ତଦନ୍ତ ସମୟରେ କିଛି ଅନିୟମିତତା ହୋଇଥିବା ଜଣାପଡ଼ିଲେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୟୁସିସିସିରେ ପ୍ରକୃତରେ କେତେଜଣ ସଦସ୍ୟ ଅଛନ୍ତି ଏବଂ କେଉଁମାନେ ଟଙ୍କା ଦେଇଛନ୍ତି, ସେ ନେଇ ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।