ଦେଶ ବିଦେଶ

ଇସ୍ରାଏଲ-ହମାସ୍‌ ଯୁଦ୍ଧ ଜାରି: ଗାଜାରେ ମୃତ୍ୟୁସଂଖ୍ୟା ୩୦,୦୦୦ ଟପିବ

ଗାଜା: ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୯୦ ଜଣ ପାଲେଷ୍ଟିନୀୟ ନିହତ ହୋଇଥିବା ବେଳେ ୧୬୪ ଜଣ ଆହତ ହୋଇଛନ୍ତି। ଏହା ଭିତରେ ଅନେକ ନିରୀହ ପାଲେଷ୍ଟିନୀୟଙ୍କ ଜୀବନ ବି ପେଷିହୋଇ ଯାଉଛି। ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଅଦ୍ୟାବଧି ଅତିକମ୍‌ରେ ୨୯,୭୮୨ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୭୦,୦୪୩ ଜଣ ଆହତ ହୋଇଛନ୍ତି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର ଏକ ବିବୃତିରେ କହିଛି। ଗାଜାରେ ମୃତ୍ୟୁ ସଂଖ୍ୟା ଚଳିତ ସପ୍ତାହରେ ୩୦,୦୦୦ର ମାଇଲଖୁଣ୍ଟ ଅତିକ୍ରମ କରିବା ସମ୍ଭାବନା ରହିଛି, କାରଣ ଅସ୍ତ୍ରବିରତି ଓ ବନ୍ଧକମୁକ୍ତି ପାଇଁ କେହି କାହାର ସର୍ତ୍ତ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଇସ୍ରାଏଲ ରାଫା ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର ବିଳମ୍ବିତ ରାତିରେ ଯୁଦ୍ଧ କ୍ୟାବିନେଟ୍ ଡକାଇଥିଲେ। ଆନୁମାନିକ ୧୫ ଲକ୍ଷ ବିସ୍ଥାପିତ ପାଲେଷ୍ଟିନୀୟ ଆଶ୍ରୟ ନେଇଥିବା ଦକ୍ଷିଣ ସୀମାନ୍ତ ସହର ରାଫା ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ନେଇ ଚଳିତ ସପ୍ତାହରେ ପୁଣି ଥରେ ବୈଠକ ବସିବ। ନେତାନ୍ୟାହୁ କହିଛନ୍ତି ଯେ ଏହି ଅପରେସନରେ ସାମାନ୍ୟ ବିଳମ୍ବ ଘଟିପାରେ, କିନ୍ତୁ ଏହାକୁ କୌଣସି ଚୁକ୍ତି ରୋକିପାରିବ ନାହିଁ। ଅନ୍ୟପକ୍ଷରେ ଇସ୍ରାଏଲ, କତର, ଇଜିପ୍ଟ ଏବଂ ଆମେରିକାର ଆଲୋଚନାକାରୀମାନେ ପ୍ୟାରିସରେ ସପ୍ତାହାନ୍ତ ଆଲୋଚନା ସମୟରେ ଏକ ବ୍ୟବସ୍ଥାର ମୌଳିକ ରୂପରେଖ ଉପରେ ରାଜି ହୋଇଛନ୍ତି ବୋଲି ହ୍ୱାଇଟ୍ ହାଉସ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ କହିଛନ୍ତି।

ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ କରିଛି ଯେ ସମ୍ଭାବ୍ୟ ଚୁକ୍ତି ଦ୍ୱାରା ୩୦୦ ପାଲେଷ୍ଟିନୀୟ କଏଦୀଙ୍କ ବଦଳରେ ୩୦ରୁ ୪୦ ଜଣ ବନ୍ଧକ ମହିଳା, ବୟସ୍କ ବ୍ୟକ୍ତି ଓ ଆହତଙ୍କୁ ମୁକ୍ତ କରାଯାଇପାରିବ ଏବଂ ୬ ସପ୍ତାହ ପର୍ଯ୍ୟନ୍ତ ଅସ୍ତ୍ରବିରତି ଜାରି ରହିବ। ତେ‌ଣେ ହମାସ୍‌ ପାଲେଷ୍ଟିନୀୟ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ଦାବି କରିଥିବା ବେଳେ ତାହା କଦାପି ସମ୍ଭବ ନୁହେଁ ବୋଲି ନେତାନ୍ୟାହୁ‌ ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି। ପରବର୍ତ୍ତୀ ମୁକ୍ତି ଓ ସ୍ଥାୟୀ ଅସ୍ତ୍ରବିରତି ପାଇଁ ଉଭୟ ପକ୍ଷ ଆଲୋଚନା ଜାରି ରଖିବେ ବୋଲି ଇଜିପ୍ଟର ଜଣେ ଅଧିକାରୀ କହିଛନ୍ତି। ଲଢ଼େଇରେ ବିରତି ମୁସଲମାନଙ୍କ ପବିତ୍ର ରମଜାନ ମାସକୁ ଅନ୍ତର୍ଭୁକ୍ତ କରିବ, ଯାହା ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଛି ଏବଂ ଏହି ଚୁକ୍ତିରେ ଅତ୍ୟାବଶ୍ୟକ ସହାୟତା ବୃଦ୍ଧି ଅନ୍ତର୍ଭୁକ୍ତ ହେବ। ପ୍ୟାରିସରେ ପ୍ରାରମ୍ଭିକ ଆଲୋଚନା ପରେ ଦୋହା ଓ କାଇରୋରେ ପରବର୍ତ୍ତୀ ଆଲୋଚନା ହେବ ବୋଲି ଇଜିପ୍ଟର ସୁରକ୍ଷା ସୂତ୍ରରୁ ସୂଚନା ମିଳିଛି। ଏତେ ସଂଖ୍ୟକ ହତାଶ ସାଧାରଣ ନାଗରିକ ଆଶ୍ରୟ ନେଇଥିବା ରାଫାରେ ହମାସ୍‌ ଆତଙ୍କୀଙ୍କ ଉପରେ ଆକ୍ରମଣ ଯୋଜନା ନେଇ ଇସ୍ରାଏଲକୁ ସଂଯମ ଅବଲମ୍ବନ କରିବାକୁ ବ୍ୟାପକ ଆନ୍ତର୍ଜାତିକ ଆହ୍ୱାନ ଆସୁଛି। କିନ୍ତୁ ସମ୍ପୂର୍ଣ୍ଣ ବିଜୟ ପ୍ରତିଶ୍ରୁତି ଦେଇଥିବା ନେତାନ୍ୟାହୁ କହିଛନ୍ତି ଯେ ସେଠାରେ ଥିବା ହମାସର ୪ଟି ବାଟାଲିୟନକୁ ମୂଳପୋଛ କରିବା ପାଇଁ ଏକ
ବିଶାଳ ଅପରେସନ ଜରୁରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ