ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରେ ଚମକୁଥିବା ହକି ଗାଁ ସଉନାମରା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ହାତରେ ନା ଥିଲା ଅତ୍ୟାଧୁନିକ ହକି ବାଡ଼ି, ନା ଥିଲା ଖେଳିବାକୁ ଆଷ୍ଟ୍ରୋଟର୍ଫ। ହାତତିଆରି କେନ୍ଦୁଗଛର ବଙ୍କାକାଠ, ବାଉଁଶଫାଳିଆରେ ଓ ଘର ଅଗଣା ନ‌ହେଲେ ଗାଁର ଗୋଡ଼ିବାଲି ମିଶା ଦନ୍ତୁର ପଡ଼ିଆରେ ସେମାନେ ଶିଖିଥି‌ଲେ ହକିର କୌଶଳ। କୌଶଳ ଶିଖାଇବାକୁ ବି ନଥିଲେ ହକି ପ୍ରଶିକ୍ଷକ ବା କୋଚ୍‌। ଦେଖାଶିଖାରେ ସେମାନଙ୍କ ପିଲାଦିନର ହକି ଅଭ୍ୟାସ ଆଗକୁ ବଢ଼ିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ଆଗ୍ରହ, ଶାରୀରିକ କ୍ଷମତା, ପରିଶ୍ରମ ମଧ୍ୟରେ ଲୁଚି ରହିଥିବା ହକି ସମ୍ଭାବନାକୁ ଆବିଷ୍କାର କରିଥିଲେ ହକି ଖେଳାଳି ଚୟନ ସଂସ୍ଥା, କେନ୍ଦ୍ରର ‘ସାଇ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଛାତ୍ରାବାସ। ସେହି ବାଟ ଦେଇ ସେମାନେ ହକି ପାଇଁ ଲେଖିଛନ୍ତି ଇତିହାସ। ହକିର ଗଡ଼ ସୁନ୍ଦରଗଡ଼ର ଏକ ଛୋଟପଲ୍ଲୀ ସଉନାମରାରୁ ଅଲିମ୍ପିକ୍‌, ଅନ୍ତର୍ଜାତୀୟ ଓ ହକି ବିଶ୍ବକପ୍‌ ପଡ଼ିଆରେ ପ୍ରବେଶ କରି ଦେଶ ପାଇଁ ଆଣିଛନ୍ତି ସୁନାମ।

ହକିର ଜୀବନ୍ତ କିଂବଦନ୍ତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ସମେତ ଭାରତୀୟ ମହିଳା ହକିଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ଭାରତୀୟ ପୁରୁଷ ହକିର ଉପଅଧିନାୟକ ଅଲିମ୍ପିଆନ୍‌ ଅମିତ ରୋହିଦାସ, ଭାରତୀୟ ପୁରୁଷ ଜୁନିୟର ହକିଦଳର ଉପଅଧିନାୟକ ଦୀପସାନ ତିର୍କୀ ଏକ ଏକ ସୁନାମଧନ୍ୟ ନାମ। ଗାଁ ପୁଅ ଦିଲୀପଙ୍କ ହକି ଇଣ୍ଡିଆ ସଭାପତି ଦାୟିତ୍ବ ମିଳିବା ଓ ଅମିତଙ୍କ ସହ ନେତୃତ୍ବରେ ଭାରତୀୟ ଦଳ ଚଳିତ ୨୦୨୩ ହକି ବିଶ୍ବକପ୍‌ ଖେଳିବା ସଉନାମରା ଗାଁ ମାଟି ପାଇଁ ଆଣିଦେଇଛି ସବୁଠାରୁ ବଡ଼ ଗୌରବମୟ ଉପଲବ୍ଧି। ଏହାଛଡ଼ା ମହାନ ଭାରତୀୟ ହକି ଖେଳାଳି ଧ୍ୟାନଚାନ୍ଦ, ବଲବୀର ସିଂହ, କେଡିସିଂହ ବାବୁ, ଉଧାମ ସିଂହ, ଅଜିତ ପାଲ୍ ସିଂହ ଓ ଧନରାଜ ପିଲ୍ଲେଙ୍କ ସୂଚୀରେ ଦିଲୀପ ତିର୍କୀଙ୍କ ନାମ ସଂଲଗ୍ନ ହେବା ଜନ୍ମମାଟି ସଉନାମରା ଓ ସୁନ୍ଦରଗଡ଼ବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଛି।
ତେବେ ଏତେ ସବୁ ସୁନାମକୁ ସାଉଁଟି ଆଣିଥିବା ଆଦିବାସୀ ଓ ଦଳିତ ପରିବାରର ଏ ସମସ୍ତ ତାରକାଙ୍କ ପିଲାଦିନ ଦାରିଦ୍ର୍ୟ, ଅଭାବ, ଅନଟନରେ କଟିଥିଲା। ସେଥିମଧ୍ୟରୁ ଚଳିତ ହକି ବିଶ୍ବକପ୍‌ରେ ଭାରତୀୟ ହକିଦଳ ଉପଅଧିନାୟକ ଭାର ସମ୍ଭାଳି ରକ୍ଷଣଭାଗରେ ଖେଳୁଥିବା ଅଣଆଦିବାସୀ ଦଳିତ ପରିବାରର ଅମିତଙ୍କ କାହାଣୀ ଅବିଶ୍ବସନୀୟ। ଘରଡିହ ଖଣ୍ଡିକ ବ୍ୟତୀତ ଜମିବାଡ଼ି କିଛି ନଥିବାରୁ ଅମିତଙ୍କ ବାପା ଗୋପାଳ ରୋହିଦାସ ଜୋତା ମରାମତି କାମ କରି ବହୁକଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ। ସେଥିରେ ଯାହା ମିଳୁଥିଲା ତାଙ୍କର ୬ ଜଣିଆ ବଡ଼ ପରିବାର ଚଳିବା କଷ୍ଟକର ଥିଲା। ସେଥିପାଇଁ ସେ ଅନେକ ସମୟରେ ଦାଦନ ଖଟିବାକୁ ଗୋଆ, ମୁମ୍ବାଇ ଚାଲିଯାଉଥିଲେ। କିନ୍ତୁ ଏତେ ଅଭାବ, ଦାରିଦ୍ର୍ୟ ଭିତରେ ବି ହକି ଖେଳ ପ୍ରତି ଗୋପାଳଙ୍କ ବଡ଼ ଝୁଙ୍କ ଥିଲା। କେଉଁଠି ହକି ଖେଳ ହେଉଛି ଶୁଣିଲେ ସେ ସବୁ କାମ ଛାଡ଼ି ପାଗଳ ପରି ଧାଇଁ ଯାଉଥିଲେ। ଏଥିପାଇଁ ଅନେକ ସମୟରେ ତାଙ୍କ ଜୋତା ମରାମତି ଦୋକାନକୁ ବି ବନ୍ଦ କରିବାକୁ ପଡ଼ୁଥିଲା। ଗୋପାଳଙ୍କ ଏହି ହକି ପାଗଳାମୀକୁ ଅତି ପାଖରୁ ଦେଖିଥିବା ସାନପୁଅ ଅମିତ ହକି ପ୍ରେମରେ ପଡ଼ି ଯାଇଥିଲେ। ପିଲାଦିନେ ଅମିତ ଅର୍ଥ ଅଭାବରୁ ହକି ବାଡ଼ି କି ବଲ୍‌ କିଣିବା ସମ୍ଭବ ନଥିବାରୁ ବାଉଁଶ ଓ କାଠଫାଳିଆକୁ ହକି ବାଡ଼ି କରି ଗାଁ ମିସନ ସ୍କୁଲ ପଡ଼ିଆରେ ଅଭ୍ୟାସ କଲେ। ୨୦୦୪ରେ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେବା ପରେ ତାଙ୍କ ପାଇଁ ସୁଯୋଗର ବାଟ ଖୋଲି ଦେଇଥିଲା। ଏହିଠୁ ତାଙ୍କ ସଂଘର୍ଷର ଅନ୍ତ ଘଟିଥିଲା। ଶେଷକୁ ସେ ଅଲିମ୍ପିକ୍ସ ପଦକ ହାସଲ କରି ରଚିଥିଲେ ଇତିହାସ।
ଏବେ ଏହି ତାରକା ଖେଳାଳିମାନଙ୍କ ଅଗଣ‌ାରେ ଅଟକି ରହିନାହିଁ ହକି। ତାହା ସଉନାମରା ଗାଁ ଆଦିବାସୀଙ୍କ ସାଂସ୍କୃତିକ ଓ ସାମାଜିକ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। ସକାଳ ପାହିଲେ ଗାଁ ପୁଅଝିଅ ହକି ବାଡ଼ି ଓ ବଲ୍‌ ଧରି ଦାଣ୍ଡ ନ ହେଲେ ଧୂଳିଧୂସରିତ ପଡ଼ିଆକୁ ଓହ୍ଲାଇ ଯାଇଥାନ୍ତି। ସେଥିପାଇଁ କେବଳ ବର୍ଷା ସମୟ ବ୍ୟତୀତ ଅନ୍ୟ ୮ ମାସ ଗାଁରେ ଲାଗି ରହିଥାଏ ହକି ପରବ। ଏହି ଅବସରରେ ଗାଁ, ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ହକି ମ୍ୟାଚ୍‌। ଖାସି ବା ଛେଳି, କୁକୁଡ଼ା ଓ ଘୁଷୁରିକୁ ପୁରସ୍କାର ଭାବେ ରଖି ଆୟୋଜିତ ହୁଏ ପ୍ରତିଯୋଗିତା। ଖାସି, କୁକୁଡ଼ା ପ୍ରତି‌ଯୋଗିତା ଏବେ ଜିଲ୍ଲାର ଅନେକ ଗାଁରେ ଚାଲିଛି। ଗ୍ରାମୀଣ ଅଞ୍ଚଳରେ ହେଉଥିବା ଏହି ପ୍ରତିଯୋଗିତାରେ ଆଖପାଖ ଗାଁର ଶହ ଶହ ଦଳ ଭାଗ ନେଇଥାନ୍ତି। ଏବେ ସଉନାମରା ପଡ଼ିଆରେ ଲାଗିଲାଣି ହକି ଆଷ୍ଟ୍ରୋଟର୍ଫ। ଏଣିକି ଗାଁ ପିଲା ଧୂଳିଦାଣ୍ଡ ଓ ଗୋଡ଼ିମାଟିର ପଡ଼ିଆ ଛାଡ଼ି ଏହି ଆଷ୍ଟ୍ରୋଟର୍ଫରେ ହକି ଅଭ୍ୟାସ କରିବେ। ସେଇଠୁ ତିଆରିହେବେ ଆହୁରି ଅନେକ ଦିଲୀପ, ଅମିତ, ଦୀପସ‌ାନ, ସୁଭଦ୍ରା। ଆଉ ଜିଲ୍ଲାର ଅନ୍ୟତମ ହକି ଗାଁ ରୂପେ ପରିଚିତ ସଉନାମରା ବିଶ୍ବ ଦରବାରରେ ପୁଣି ଚମକିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।