ଭୁବନେଶ୍ବର : କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶା କ୍ୟାମ୍ପସରେ ଏକ ଭାଷା ପାଠାଗାର ପ୍ରତିଷ୍ଠା ହୋଇଛି। ଭାଷାକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଭାରତୀୟ ଜ୍ଞାନ ବ୍ୟବସ୍ଥା, ଭାଷା, ସଂସ୍କୃତି, ଦେଶାତ୍ମବୋଧ ଓ ମୂଲ୍ୟବୋଧ ଉପରେ କ୍ୟାମ୍ପସରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଆ ସାହିତ୍ୟ ଗ୍ରନ୍ଥକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ କରିବା କାର୍ଯ୍ୟ ଏବେ ଜାରି ରହିଛି। ଏଥିସହ ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଲାଗି ନିଷ୍ପତ୍ତି ହୋଇଛି। କୋରାପୁଟ ଜିଲ୍ଲାରେ କଥିତ କୁଇ ଓ ଦେଶିଆ ଭାଷାରେ ବହି ପ୍ରକାଶ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଥିବା ନେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି।
ADVERTISEMENT
Ads by
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ନୀତି ୨୦୨୦’ର ତୃତୀୟ ବର୍ଷ ପୂର୍ତ୍ତି: ଓଡ଼ିଶାରେ ଗ୍ରହଣ କରାଯାଇଥିବା ପଦକ୍ଷେପ’ ବିଷୟବସ୍ତୁକୁ ନେଇ ଗତକାଲି ଅନୁଷ୍ଠିତ ସମ୍ମିଳନୀରେ ପ୍ରଫେସର ତ୍ରିପାଠୀ ଏହା କହିଛନ୍ତି। ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର କହିଲେ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଆଇଟିପିଓଠାରେ ଦ୍ୱିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଜାତୀୟ ଶିକ୍ଷା ନୀତି(ଏନ୍ଇପି) ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀତା ଦିଗରେ ଆଲୋଚନା ହେବ। ଜାତୀୟ ଶିକ୍ଷା ନୀତି(ଏନ୍ଇପି) ଭାରତକୁ ଏକ ଜୀବନ୍ତ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱ ଗୁରୁ ଭାବେ ରୂପାନ୍ତରିତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପ ଆୟୁକ୍ତ ଶିହରଣ ବୋଷ କହିଲେ ୨୦୨୨-୨୩ରୁ ଓଡ଼ିଶାର ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବାଟିକା ଖୋଲିଛି। ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ଆଉ ୧୯ଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ୍ବାଟିକାରେ ଶିକ୍ଷାଦାନ ଆରମ୍ଭ କରାଯିବ। ୨୦୨୨ ଅକ୍ଟୋବର ୨୦ରେ ଆରମ୍ଭ କରାଯାଇଥିବା ମୌଳିକସ୍ତର ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା(ଏନସିଏଫଏଫଏସ) ଭାରତରେ ୩-୮ ବର୍ଷ ବୟସର ପିଲାଙ୍କ ପାଇଁ ପ୍ରଥମ ଏକୀକୃତ ପାଠ୍ୟକ୍ରମ ଢାଞ୍ଚା ଏବଂ ୫+୩+୩+୪ ‘ପାଠ୍ୟକ୍ରମ ଓ ଶୈକ୍ଷଣିକ’ ଭିତ୍ତିଭୂମିର ପ୍ରତ୍ୟକ୍ଷ ପରିଣାମ। ଗତ ଫେବ୍ରୁଆରିରେ ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଏନସିଏଫଏଫଏସ ଉପରେ ଆଧାରିତ ଜାଦୁଇ ପିଟାରା: ଅଧ୍ୟୟନ ଶିକ୍ଷା ସାମଗ୍ରୀ ଆରମ୍ଭ ହୋଇଥିଲା। ଏନସିଇଆରଟି ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ‘ବିଦ୍ୟା ପ୍ରବେଶ’ ନାମକ ଏକ ବିଦ୍ୟାଳୟ ପ୍ରସ୍ତୁତି ପାଠ୍ୟବିଷୟ ବା ମଡ୍ୟୁଲ ପ୍ରସ୍ତୁତ କରିଛି। ଏହା ପିଲାଙ୍କ ପ୍ରାକ୍-ସାକ୍ଷରତା, ପ୍ରାକ୍-ସଂଖ୍ୟା ଜ୍ଞାନ, ସଂଜ୍ଞାନାତ୍ମକ ଓ ସାମାଜିକ କୌଶଳକୁ ସୁଦୃଢ଼ କରିବ। ୨୦୨୨-୨୩ ଶିକ୍ଷାବର୍ଷଠାରୁ ୩୩ଟି ରାଜ୍ୟ/କେନ୍ଦ୍ର ଶାସିତ ରାଜ୍ୟ ବିଦ୍ୟାପ୍ରବେଶକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ୮ ଲକ୍ଷ ୭୭ ହଜାର ୭୯୩ଟି ବିଦ୍ୟାଳୟର ପାଖାପାଖି ୧ କୋଟି ୮୦ ଲକ୍ଷ, ୧୩ ହଜାର ୯୩୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।
ନାଇଜର ଡିନ୍ ପ୍ରଫେସର ପ୍ରଣୟ ସ୍ୱାଇଁ ଜାତୀୟ ଶିକ୍ଷା ନୀତିର ପ୍ରମୁଖ ବିଷୟ ଉପରେ ଆଲୋକପାତ କରିବା ସହିତ ଶିକ୍ଷା କ୍ରେଡିଟ୍ ହସ୍ତାନ୍ତର, ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ବିକଳ୍ପ ବିଷୟରେ ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଦକ୍ଷତା ବିକାଶ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବି କେ ସିଂଘା ଏନ୍ଇପିରେ ଧନ୍ଦାମୂଳକ ଶିକ୍ଷା ଓ କୌଶଳ ବିକାଶ, ଭୁବନେଶ୍ୱରସ୍ଥିତି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି ସି ଅଗ୍ରୱାଲ, ସିବିଏସ୍ଇର କ୍ଷେତ୍ରର ଅଧିକାରୀ କେ. ଶ୍ରୀନିବାସନ ପ୍ରମୁଖ ଉପସ୍ଥିତ ଥିଲେ।