ସମ୍ୱଲପୁର ୨୭/୧୦: ଆସିଲାନି ଆମ୍ବୁଲାନ୍ସ ଦୋକାନ ବାରଣ୍ଡାରେ ପ୍ରସବ କଲେ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ସମ୍ବଲପୁର ସହର ଅଇଁଠାପାଲି ଅଂଚଳରେ ।
ସୂଚନା ଅନୁସାରେ ମହିଳା ରାଉରକେଲାର ସରସ୍ୱତୀ ନାୟକ ଓ ସ୍ୱାମୀ ରବି ନାୟକ ପ୍ଲାଷ୍ଟିକ ଗୋଟାଇ ତାକୁ ବିକ୍ରି କରି ଚଳିଥାନ୍ତି । ସମ୍ବଲପୁରରେ ଗତ କିଛି ବର୍ଷ ହେଲା ରହିଆସୁଥିବା ବେଳେ ତାଙ୍କର ୩ଟି ଛୋଟ ଛୋଟ ଛୁଆ ଅଛନ୍ତି । ଘର ନଥିବାରୁ ଦୋକାନ ବାରଣ୍ଡାରେ ରହିଆସୁଛନ୍ତି ପରିବାର । ତେବେ ପ୍ରସବ ଯନ୍ତ୍ରଣା ହେବାରୁ ମହିଳାଙ୍କ ସ୍ୱାମୀ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ଦୋକାନ ବାରଣ୍ଡାରେ ପ୍ରସବ କରିଛନ୍ତି ମହିଳା ।
ତେବେ ଘଟଣା ଜଣା ପଡିବା ପରେ ଲୋକ ଜମା ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଫଳରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଏ ସଂପର୍କରେ ଜଣାଯାଇଥିଲା । ଏ ବାବଦରେ ଜାଣିବା ପରେ ପରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ମାଆ ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି ସହ ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସଂଗେ ସଂଗେ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ପରେ ଗୋଟିଏ ଅଧିକାରୀ ପହଞ୍ଚି ମାଆ ଓ ଶିଶୁଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିଛନ୍ତି ।