ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିକା ବିଧାନସଭା କ୍ଷେତ୍ର: ବିଧାୟିକା ବିରୋଧୀ ମେଳି ଜାରି, ବିଜେଡିରୁ ଡଜନେ ଆଶାୟୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ଗତ ତିନିଟି ନିର୍ବାଚନରେ ବିଜେଡି ହ୍ୟାଟ୍ରିକ୍ ସଫଳତା ପାଇଛି। ଦଳ ଗଠନ ହେବା ପରେ ୨୦୦୦ ମସିହାରେ ବିଜେଡି ଏଠାରେ ପ୍ରଥମେ ଜିତିବା ପରେ ୨୦୦୪ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ହେଲେ ପୁଣି ୨୦୦୯, ୨୦୧୪ ଓ ୨୦୧୯ରେ ଜିତିବାରେ ସଫଳ ‌ହୋଇଛି ବିଜେଡି। ମୋଟାମୋଟି ଭାବେ କହିବାକୁ ଗଲେ, ୨୦୦୪କୁ ଛାଡ଼ିଦେଲେ ବିଜେଡି ଏଠାରେ ଏକତରଫା ବିଜୟ ଲାଭ କରି ଆସୁଛି। ତେବେ ୨୦୨୪ରେ ବିଜେଡିରୁ କିଏ ପ୍ରାର୍ଥୀ ହେବ, ଏହାକୁ ରାଜନୈତିକ ସମୀକ୍ଷକ ଅଙ୍କକଷା ଆରମ୍ଭ କରିଛନ୍ତି।

ଗତ କିଛିବର୍ଷ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ବିଜେଡିରେ ଗୋଷ୍ଠୀକନ୍ଦଳ ଖୋଲାଖୋଲି ସାମ୍ନାକୁ ଆସିଛି। ବିଧାୟିକାଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀମାନେ ମେଳି ବାନ୍ଧିଥିବା ବେଳେ ଆଗାମୀ ନିର୍ବାଚନରେ ବିଧାୟକ ଟିକଟ୍ ପାଇଁ ମାଳମାଳ ଆଶାୟୀ ରହିଛନ୍ତି। ପୂର୍ବତନ ସାଂସଦ ସ୍ବର୍ଗତ ଲଡ଼ୁକିଶୋର ସ୍ବାଇଁଙ୍କ ପତ୍ନୀ ମଞ୍ଜୁଳା ସ୍ବାଇଁ ବର୍ତ୍ତମାନ ଏଠାରେ ବିଧାୟିକା ଅଛନ୍ତି। ସେ ମଧ୍ୟ ପୁଣିଥରେ ବିଧାୟିକା ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ‌ହେଉଛନ୍ତି। ସ୍ବାମୀଙ୍କ ଲୋକସଂପର୍କ ଓ ଦଳର ପତିଆରାକୁ ସେ ଏଥିପାଇଁ ଅସ୍ତ୍ର କରିଛନ୍ତି। ତେ‌ବେ ବିରୋଧୀ କଂଗ୍ରେସ ଓ ବିଜେପିରୁ କେହି ଲଢ଼ୁଆ ପ୍ରାର୍ଥୀ ନଥିବାରୁ ଶାସକଦଳରୁ ପ୍ରାର୍ଥୀ ହୋଇ ସହଜ ବିଜୟ ହାସଲ କରିବାକୁ ଏବେ ଏଠାରେ ଡଜନେରୁ ଅଧିକ ଆଶାୟୀ ସକ୍ରିୟ ହୋଇଉଠିଛନ୍ତି। ଆସିକା ବିଜେଡିରେ ଅନ୍ତଃକନ୍ଦଳ ତୀବ୍ର ହୋଇଥିବା ବେଳେ ବିଧାୟିକା ଓ ତାଙ୍କ ପୁଅ ଯୁବ ବିଜେଡି ଜୋନ୍‌ ସଭାପତି ନଚିକେତା ସ୍ବାଇଁଙ୍କ ପକ୍ଷଛେଦନ ପାଇଁ ଗୋଟିଏ ଗୋଷ୍ଠୀ ରୀତିମତ ଯୋଜନା ଆରମ୍ଭ କରି ସାରିଛନ୍ତି।

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକଙ୍କ ନେତୃତ୍ବ‌ରେ ବିଧାୟିକା ବିରୋଧୀ ମଞ୍ଚ ଗଠିତ ହୋଇଛି। ମାଆପୁଅ ହଟାଅ ଅଭିଯାନ ଆରମ୍ଭ କରି ଏହି ଗୋଷ୍ଠୀ ଖୋଲାଖୋଲି ବିରୋଧ କରୁଥିବା ସହ ବିଭିନ୍ନ ସ୍ଥାନରେ ସାଂଗଠନିକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଗତ ସପ୍ତାହରେ ରାଜ୍ୟ ବିଜେଡି ସମ୍ପାଦିକା କଳ୍ପନା ଭୋଳଙ୍କ ଦ୍ବାରା ଆସିକା ବ୍ଲକ୍ ବାଙ୍ଗରଡ଼ାସ୍ଥିତ ଖମ୍ବେଶ୍ବରୀ କଲ୍ୟାଣମଣ୍ଡପରେ ଆୟୋଜିତ ମାନସିକ ଭୋଜିରେ ବିଧାୟିକାଙ୍କ ବିରୋଧରେ ମେଳି କରି ବିରୋଧୀ ଏହାର ସଦ୍ୟ ପ୍ରମାଣ ଦେଇଛନ୍ତି। ଆଉ କିଛି ଗୋଷ୍ଠୀ ଖୋଲାଖୋଲି ପ୍ରତିବାଦ କରି ପାରୁ ନଥିଲେ ମଧ୍ୟ ଗୋଳିଆ ପାଣିରୁ ମାଛ ଧରିବାକୁ ଟାକି ବସିଛନ୍ତି। ଉଭୟ ଗୋଷ୍ଠୀ ଏବେ ହାଇକମାଣ୍ଡ୍‌ଙ୍କ ଶରଣରେ। ହେଲେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ଏହାକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରିନି। କାରଣ ଯଦି ବିଧାୟିକା ମଞ୍ଜୁଳାଙ୍କୁ ନେଇ ଦଳରେ ଥିବା ଅନ୍ତଃକନ୍ଦଳ ଯୋଗୁଁ ବିରୋଧୀ ଫାଇଦା ନେବାର ଆଶଙ୍କା ରହୁଛି। ସେହିପରି ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ବାଛିବ, ନା ପୁଣି ଥରେ ସମସ୍ତଙ୍କୁ ଚକିତ କରି ପୂରା ନୂଆମୁହଁକୁ ସୁଯୋଗ ଦେବ, ଏହାକୁ ନେଇ ଉତ୍କଣ୍ଠା ଲାଗି ରହିଛି।

୨୦୦୪ ନିର୍ବାଚନରେ ବିଜେଡିରେ ଅନ୍ତର୍ଦ୍ବନ୍ଦ୍ବ କାରଣରୁ ହିଁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ୨୦୦୦ରେ କଂଗ୍ରେସ ପ୍ରାର୍ଥୀ ଉମାଚରଣ ବିଷୋୟୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ଦେବରାଜ ମହାନ୍ତିଙ୍କୁ ବିଜେଡି ଆଉ ଟିକଟ୍ ଦେଇ ନଥିଲା। ତାଙ୍କ ବଦଳରେ ସେତେବେଳେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ରାଘବ ପରିଡ଼ାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଫଳରେ ଦେବରାଜ ଏହାକୁ ଖୋଲାଖୋଲି ବିରୋଧ କରି ସ୍ବାଧୀନ ପ୍ରାର୍ଥୀ ଭାବେ ଉଭା ହୋଇଥିଲେ। ଯାହାର ଫାଇଦା ସ୍ବାଧୀନ ପ୍ରାର୍ଥୀ ସରୋଜ ପାଢ଼ୀଙ୍କୁ ମିଳିଥିବା ବେଳେ ସେ ବିଜୟୀ ହୋଇଥିଲେ। ବିଜେଡି ଉକ୍ତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା। ହେଲେ ୨୦୦୯ ନିର୍ବାଚନରେ ଦଳ ପୁଣି ଦେବରାଜଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା। ସେବେଠାରୁ ଦଳ ଆଉ ପଛକୁ ହଟିନାହିଁ। ତେବେ ଅନ୍ତଃକନ୍ଦଳ ଜାରି ରହିଲେ ୨୦୦୪ର ପୁନରାବୃତ୍ତିକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ରାଜନୈତିକ ସମୀକ୍ଷକ ଆଲୋଚନା କରୁଛନ୍ତି। ଦଳୀୟ ସୁପ୍ରିମୋଙ୍କ ଚାପରେ ଦଳୀୟ ଅନ୍ତଃକନ୍ଦଳ ଦବି ରହୁଥିଲେ ମଧ୍ୟ ପାଉଁଶ ତଳର ନିଆଁ ଭଳି କୁହୁଳୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।