ବେଙ୍ଗାଲୁରୁ,୨୬/୦୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବଡ ଝଟ୍କା ଲାଗିଛି । ଦଳର ୨ ବୋଲର ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଦ୍ରୁତ ବୋଲର କେନ୍ ରିଚାର୍ଡସନ୍ ଓ ଲେଗ୍ ସ୍ପିନର୍ ଆଡାମ ଜାମ୍ପା ଚଳିତ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଉଭୟ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆରସିବି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି ।
ଆରସିବି ଟ୍ୱିଟ୍ କରି ଲେଖିଛି ଯେ, ଆଡାମ ଜାମ୍ପା ଓ କେନ୍ ରିଚାର୍ଡସନ୍ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ସେମାନେ ଆଇପିଏଲ ୨୦୨୧ର ବାକି ଥିବା ମ୍ୟାଚ୍ ଗୁଡିକରେ ଅନୁପସ୍ଥିତ ରହିବେ । ଆରସିବି ମ୍ୟାନେଜମେଣ୍ଟ ଉଭୟ ଖେଳାଳିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଯଥା ସମ୍ଭବ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛି ।
୨୯ ବର୍ଷୀୟ ଲେଗ୍ ସ୍ପିନର୍ ଆଡାମା ଜାମ୍ପାଙ୍କୁ ଚଳିତ ସିଜିନରେ ଏବେସୁଦ୍ଧା ଗୋଟିଏ ହେଲେ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳିନଥିଲା । ଗତ ସିଜିନରେ ସେ ଆରସିବି ପାଇଁ ତିନୋଟି ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରୁ ସେ ୩ଟି ଓ୍ୱିକେଟ୍ ନେଇଥିଲେ । ଏହାପୂର୍ବରୁ ସେ ୨୦୧୬-୧୭ରେ ରାଇଜିଂ ପୁଣେ ସୁପରଜିଆଣ୍ଟ୍ ପାଇଁ ଖେଳୁଥିଲେ ।

ସେହିପରି ୩୦ ବର୍ଷୀୟ ରିଚାର୍ଡସନ୍ ଚଳିତ ଆଇପିଏଲରେ ଏବେସୁଦ୍ଧା ଗୋଟିଏ ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ ସେ ୨୯ ରନ୍ ଦେଇ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ଆରସିବି ଏବେସୁଦ୍ଧା ୫ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ଲାଭ କରିଛି । ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।