ରାଜ୍ୟ

ଆରମ୍ଭରୁ ବିଧାନସଭା ହଲଚଲ: ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର,: ବିଧାନସଭା ଗୃହ ଭରପୂର ଥିଲା। ପୂର୍ବାହ୍ନ ୧୧ଟା ବେଳେ ରାଜ୍ୟପାଳ ରଘୁବର ଦାସ ଓ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପ୍ରବେଶ କଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେଲା। ସଙ୍ଗେ ସଙ୍ଗେ ଗୃହର ଚିତ୍ର ବଦଳିଗଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଠିଆ ହୋଇ କିଛି କହିବାକୁ ଆରମ୍ଭ କରିବା ମାତ୍ରେ ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। କଂଗ୍ରେସ ସଦସ୍ୟ ବି ଠିଆ ହେଲେ। ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପ୍ରଶ୍ନ କଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ନାରାବାଜି କଲେ। ବିଜେପିର ‘ଓଡ଼ିଆ ଅସ୍ମିତା’ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ୨/୩ ମିନିଟ୍ ଭିତରେ ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି ଉଭୟ ବିଜେଡି ଓ କଂଗ୍ରେସ ସଭ୍ୟ କକ୍ଷତ୍ୟାଗ କଲେ।

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନର ପ୍ରାରମ୍ଭିକ ଦୃଶ୍ୟ ଏମିତି ଥିଲା। ବିନା ବିରୋଧୀ ଦଳରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଜାରି ରଖିଲେ। ନୂଆ ସରକାରଙ୍କ ଆଭିମୁଖ୍ୟକୁ ଉପସ୍ଥାପନ କଲେ। ରାଜ୍ୟପାଳଙ୍କ ଅଭିଭାଷଣକୁ ମଝିରେ ମଝିରେ ଟେବୁଲ୍ ବାଡ଼େଇ ସମର୍ଥନ କରିଥିଲେ ଶାସକ ଦଳ ସଭ୍ୟମାନେ। ଅଭିଭାଷଣ ରଖି ରାଜ୍ୟପାଳ ଗୃହରୁ ଯିବା ପରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହକୁ ଫେରିଥିଲେ। ଏହାପରେ ଶୋକପ୍ରସ୍ତାବ ଆଗତ ହୋଇଥିଲା। ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଡମ୍ବରୁଧର ଉଲାକା ଓ କମଳା ଦାସ, ପୂର୍ବତନ ବିଧାୟକ ଭି ସୁଜ୍ଞାନୀ ଦେଓ ଓ ଆଦିତ୍ୟ ମାଢ଼ୀ, ପଦ୍ମଶ୍ରୀ କମଳା ପୂଜାରୀ, ଓଡ଼ିଶା ପୁଲିସ୍‌ର ପୂର୍ବତନ କନେଷ୍ଟବଳ ହିମାଂଶୁ ଶେଖର ରଥଙ୍କ ବିୟୋଗରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବ୍ୟକ୍ତିମାନଙ୍କର ସ୍ମୃତିଚାରଣ କରିବା ସହ ସେମାନଙ୍କର ସମାଜ ପ୍ରତି ଥିବା ଅବଦାନ କଥା କହିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ସିପିଆଇ(ଏମ୍) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଶୋକପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ବାଚସ୍ପତି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସ୍ବର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ତେବେ ଗୃହ ବାହାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଥିଲେ, ମୁଁ ଓ ମୋ ଦଳ ଦୁଃଖିତ। ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ଭାଙ୍ଗି ଯାଇଛି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆମେ ଗୃହ ପରିତ୍ୟାଗ କଲୁ। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଲେ, ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି। ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ବାଡ଼େଇଲେ। କିନ୍ତୁ ତଦନ୍ତ ହେଉନି। ରାଜ୍ୟପାଳ ହିନ୍ଦୀରେ ଭାଷଣ ଦେଲେ। ଏହା ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି। ଆମେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲୁ ଯେ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ରାଜ୍ୟପାଳଙ୍କୁ ହଟାଇବା ଦାବିରେ ଆମେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କଲୁ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାକୁ ପଡ଼ିବ। ରାଜ୍ୟପାଳଙ୍କ ପୁଅ ଗିରଫ ନହେବା ଯାଏ ଆନ୍ଦୋଳନ ଚାଲିବ।




































NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।