ରାଜ୍ୟ

ଆନ୍ଦୋଳନରେ ବନ କର୍ମଚାରୀ, ପାଟ୍ରୋଲିଂ ବନ୍ଦ: ଭଗବାନ ଭରସା‌‌ରେ ବନ୍ୟଜନ୍ତୁ

ଭୁବନେଶ୍ବର : ଓଡ଼ିଶା ଜଙ୍ଗଲରେ ଶିକାରୀଙ୍କ ପତିଆରା। ବାଘ, ହାତୀ, ବଜ୍ରକାପ୍ତାଙ୍କ ପରେ ଏବେ ସେମାନଙ୍କ ଟାର୍ଗେଟ୍‌ରେ ବନ କର୍ମଚାରୀ। ମେ’ ମାସରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବନପାଳ ମାଥି ହାଁସଦାଙ୍କୁ ହତ୍ୟା କରିଥିଲେ। କିଛି ଦିନ ଯାଇଛି କି ନାହିଁ ଏବେ ବନରକ୍ଷୀ ବିମଳ ଜେନାଙ୍କୁ ହତ୍ୟା କରାଯାଇଛି। ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ରାଜ୍ୟ ସରକାର ଶିକାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ବନ କର୍ମଚାରୀଙ୍କୁ ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର‌ ଯୋଗାଇ ଦିଆଯାଉନି। ଯେଉଁଥିପାଇଁ ଦିନକୁ ଦିନ ଜଙ୍ଗଲରେ ସେମାନଙ୍କ ପଞ୍ଝା‌ ମେଲିବାରେ ଲାଗିଛି।

ଓଡ଼ିଶା ଅଣଗେଜେଟେଡ୍‌ ବନସେବା ସଂଘ ପକ୍ଷରୁ ଆଜିଠାରୁ ଜଙ୍ଗଲରେ ଫୁଟ୍‌-ପାଟ୍ରୋଲିଂ ବନ୍ଦ କରି ଦିଆଯାଇଛି। ପରିଣାମ ସ୍ବରୂପ ଏବେ ଜଙ୍ଗଲରେ କେବଳ ଶିକାରୀଙ୍କ ପତିଆରା। ଆଠଗଡ଼ରୁ ଆରମ୍ଭ କରି ଶିମିଳିପାଳ ପର୍ଯ୍ୟନ୍ତ, ସବୁଠି ଅସୁରକ୍ଷିତ ବନ୍ୟଜନ୍ତୁ। ସେମାନଙ୍କୁ ସୁରକ୍ଷା ଦେବାକୁ କେହି ନାହାନ୍ତି। ଭଗବାନଙ୍କ ଭରସାରେ ସେମାନଙ୍କ ଜୀବନ। ଏପରିକି ବନ୍ୟଜନ୍ତୁଙ୍କୁ ଅନୁସରଣ ବନ୍ଦ କରି ଦିଆଯାଇଥିବାରୁ ହାତୀ, ବାଘ ମଧ୍ୟ ଜନବସତିମୁହାଁ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହାତୀ, ବାଘ, କଲରାପତରିଆ ବାଘ, ଭାଲୁ ପରି ବନ୍ୟଜନ୍ତୁଙ୍କୁ ପରିଚାଳନା ପାଇଁ ଥିବା ଆପ୍‌ ରିପୋର୍ଟିଂକୁ ମଧ୍ୟ ବନ୍ଦ କରାଯାଇଥିବାରୁ ସେମାନଙ୍କ ପ୍ରତି ବିପଦ ମାଡ଼ି ଆସିଛି।

Telegraph India

ବନ କର୍ମଚାରୀଙ୍କ ଆନ୍ଦୋଳନ ଡାକରା ପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ବୈଠକ ବସିଥିଲା। ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାସ, ପିସିସିଏଫ୍‌(ବନ୍ୟପ୍ରାଣୀ) ଏସ୍‌.କେ ପୋପଲି, ସିସିଏଫ୍‌(ବନ୍ୟପ୍ରାଣୀ) ମନୋଜ ଭି. ନାୟର୍‌ ପ୍ରମୁଖ ଓଡ଼ିଶା ଅଣଗେଜେଟେଡ୍‌ ବନସେବା ସଂଘର ୪ଜଣିଆ ପ୍ରତିନିଧିଙ୍କ ସହ ବିଭିନ୍ନ ବି‌ଷୟ ଉପରେ ଆଲୋଚନା କରିଥିଲେ। ସଂଘ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ୫ଦଫା ଦାବି ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି ଏବଂ ପୂରଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେଣୁ ଆନ୍ଦୋଳନରୁ ଓହରି ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନେ ଅନୁରୋଧ କରିଥିଲେ।

ସଂଘ ପକ୍ଷରୁ କୁହାଯାଇଥିଲା ଯେ ପୂର୍ବରୁ ଅନେକଥର ଏଭଳି ଆଲୋଚନା ହୋଇଛି। ପ୍ରତିଶ୍ରୁତି ମଧ୍ୟ ମିଳିଛି। କିନ୍ତୁ କିଛି ଲାଭ ହୋଇନାହିଁ। ପ୍ରତିଶ୍ରୁତି ପରବର୍ତ୍ତୀ ସମୟରେ ପ୍ରହେଳିକା ହୋଇଛି। ତେଣୁ ପ୍ରଥମେ ଦାବି ପୂରଣ କରାଯାଉ। ତା’ ପରେ ଆନ୍ଦୋଳନରୁ ଓହରିବୁ ବୋଲି ସଂଘ ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି।

ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି କହିଛନ୍ତି ଯେ ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। କିଛି ଦାବି ପୂରଣ ହୋଇଛି। ଆଉ କିଛି ଦାବି ଉପରେ ଆଲୋଚନା ଚାଲିଛି। ମେ’ ୨୨ ଘଟଣା ପରେ କ୍ଷତିପୂରଣ ରାଶି ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉଛି। ଶିମିଳିପାଳ ଘଟଣା ସମୟରେ ଫରେଷ୍ଟରଙ୍କ ପାଖରେ ରିଭଲଭର୍‌ ରହିଥିଲା। ଶିକାରୀ ଅଚାନକ ଗୁଳି ଚଳାଇଥିବାରୁ ଏଭଳି ଘଟଣା ହେଲା। ବିଭିନ୍ନ ଡିଭିଜନ୍‌ର ରି-ଷ୍ଟ୍ରକଚରିଙ୍ଗ୍‌ କରାଯାଇଛି। ସୁରକ୍ଷା ପାଇଁ ବିଭିନ୍ନ ଜୋନ୍‌ ସୀମାରେ ପରିବର୍ତ୍ତନ ହୋଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପାଟ୍ରୋଲିଂ ପାଇଁ ୨୭ଟି ଗାଡ଼ି ରହିଛି। ଖୁବ୍‌ଶୀଘ୍ର ଆଉ ୧୫ଟି ଗାଡ଼ି ଦେବାର ବ୍ୟବସ୍ଥା କରାଯାଉଛି। ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଏବଂ ଷ୍ଟ୍ରାଇକିଂ ଫୋର୍ସ ପାଇଁ ବିଚାରବିମର୍ଶ ଚାଲିଛି। ତେଣୁ ବନ କର୍ମଚାରୀ ପାଟ୍ରୋଲିଂ ନ କରିବା ନିଷ୍ପତ୍ତିରୁ ଓହରିବାକୁ ସେ ଅନୁରୋଧ କରିଛନ୍ତି। ସେପଟେ ବନ କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗଣମାଧ୍ୟମକୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।